Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିଲମ୍ବନ କାରଣ ଖୋଜୁଛନ୍ତି ସନା ଓ ଅରବିନ୍ଦ

    Share on :
    ajab-Image
    Date: Jan 18, 2026    Views: 2532

    ଭୁବନେଶ୍ବର: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବିତ କରିବାର ୨ ଦିନ ପରେ ମିଡ୍‌ ଡେ’ ଅପରେସନ ଥିଓରୀ ସାମ୍ନାକୁ ଆଣିଛି ବିଜେଡି। ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଏହି ଦୁଇଜଣ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ଥିଲେ, ଯାହା ଦଳକୁ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ଥିଲା। ମିଡ୍‌ ନାଇଟ୍‌ ଅପରେସନ ଭଳି ମିଡ୍‌ ଡେ’ ଅପରେସନ ବିଫଳ ହୋଇଛି। ମିଡ୍‌ ଇଭିନିଂ ଅପରେସନ ବି ବିଫଳ ହେବ। ଏନେଇ ନିଲମ୍ବିତ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି, ଭୁଲ ଭୁଲୈୟା କାହାଣୀ ନକହି ସିଧାସଳଖ ଉତ୍ତର ରଖିଲେ ଠିକ୍ ହେବ। ଗଣମାଧ୍ୟମକୁ ଆସିବା‌ ବେଳେ ବିଜେଡି ନେତା ତଥ୍ୟ ପ୍ରମାଣ ନେଇ ଆସନ୍ତୁ।

    ଦଳ ବିରୋଧୀ କାର୍ୟ୍ୟରେ ସମ୍ପୃକ୍ତି ଅଭିଯୋଗରେ ବିଜେଡିରୁ ଅରବିନ୍ଦ ଓ ସନାତନଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେ ଉଭୟଙ୍କୁ ଦଳ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକର ଆଖ୍ୟା ଦିଆଯାଇଛି। ହେଲେ ବାସ୍ତବରେ ୨ ବିଧାୟକ କେଉଁ କାର୍ୟ୍ୟ କରିଛନ୍ତି ତାହା ଅସ୍ପଷ୍ଟ ରହିଥିବାବେଳେ ବିଜେଡି ପକ୍ଷରୁ ଷଡ଼ଯନ୍ତ୍ର ଅଭିଯୋଗ ଅଣାଯାଇଛି। ଦଳର ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି, ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକଙ୍କୁ ସଭାପତି ନବୀନ ପଟ୍ଟନାୟକ ସଦାବେଳେ ଘୃଣା କରନ୍ତି। ଗତ ୨୪ ବର୍ଷ ମଧ୍ୟରେ ଯେଉଁମାନେ ବି ଦଳୀୟ ଅନୁଶାସନ ଭିତରେ ରହି ନାହାନ୍ତି ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ସେହିକ୍ରମରେ ଅରବିନ୍ଦ ଓ ସନାତନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି।
    ପାଟକୁରା ଓ ଚମ୍ପୁଆରୁ ତୃଣମୂଳସ୍ତରରୁ ମତାମତ ଆସିବା ପରେ ଦଳର ନେତାଙ୍କ ସହିତ ଆଲୋଚନା କରି ମାସାଧିକ କାଳ ଭଲ ଭାବେ ବିଚାର କରି ସଭାପତି ଏହି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ବଡ଼ ଷଡ଼ଯନ୍ତ୍ର କରାଯାଇଥିଲା। ସନାତନ, ବିଜୟ ମହାପାତ୍ର ଓ ଅରବିନ୍ଦ ଏହି ଷଡ଼ଯନ୍ତ୍ରର ଅଂଶ ଥିଲେ। ଗତ କିଛି ମାସ ଧରି ଏହି ଷଡ଼ଯନ୍ତ୍ର ଚାଲିଥିଲା। ସେଥିପାଇଁ ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକ କୁହାଯାଇଛି। ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। କିଛି ବର୍ଗ ଦଳକୁ ଦୁର୍ବଳ କରିବାକୁ ଲାଗିଛନ୍ତି। ସେଥିରେ ଅରବିନ୍ଦ ଓ ସନାତନ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ବ୍ୟାକ୍‌ଅପ୍ ଦେଉଛନ୍ତି ବିଜୟ। ବିଜେଡିକୁ ଦୁର୍ବଳ କରିବା ପାଇଁ ସନାତନ, ବିଜୟ ଓ ଅରବିନ୍ଦଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଥିଲା। କିଏ ବ୍ୟାକ୍‌ଅପ୍ ଦେବ, କିଏ ସଙ୍ଗଠିତ କରିବ ଓ କିଏ କାର୍ୟ୍ୟକାରୀ କରିବ ତାହା ସ୍ଥିର ହୋଇସାରିଥିଲା। ଯେତେବେଳେ ଏହା ସ୍ପଷ୍ଟ ହୋଇଗଲା, ଏହି ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଗଲା। ଅରବିନ୍ଦ ପ୍ରମାଣ ମାଗିବା ପ୍ରସଙ୍ଗରେ ଲେନିନ କହିଛନ୍ତି, ସେ କୋର୍ଟକୁ ଯାଉନାହାନ୍ତି। ଯେଉଁଠି ଦରକାର ସେଠାରେ ଆମେ ପ୍ରମାଣ ଦେବୁ। ବାହାରକୁ ନିରୀହ ଦେଖାଯାଉଥିବା ସମସ୍ତ ବ୍ୟକ୍ତି ସରଳ ନୁହନ୍ତି ବୋଲି ସେ କହିଛନ୍ତି।

    ବିଜେଡି ପକ୍ଷରୁ ଏହି ପ୍ରତିକ୍ରିୟା ଆସିବା ପରେ ଅରବିନ୍ଦ କହିଛନ୍ତି, ବିଧାନସଭାରେ କିଛି ସମୟ ପାଇଁ ସନାତନଙ୍କ ସହିତ ମୋର ଦେଖାସାକ୍ଷାତ ହୋଇଛି। ଦେଖା ହେଲେ ନମସ୍କାର କରେ। କିନ୍ତୁ ତାଙ୍କ ସହିତ କେବେ ବିଧାନସଭା ଲବିରେ ବି ବସି କଥା ହୋଇନି। ଅଯଥା ଟଣାଟଣି କଥାକୁ ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ବିଜୟ ମହାପାତ୍ରଙ୍କୁ ଏ ଭିତରକୁ ଟାଣନ୍ତୁ ନାହିଁ। ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସେ ବିଜେଡିରେ ନାହାନ୍ତି କି ଦଳକୁ ନେଇ ତାଙ୍କର କୌଣସି ଆଗ୍ରହ ନାହିଁ। କେଉଁ ସବୁ ବିଧାୟକମାନଙ୍କ ସହିତ ମୁଁ ବସାଉଠା କରୁଥିଲି ତା’ର ତଥ୍ୟ ଦିଅନ୍ତୁ। କେଉଁଠି ଓ କେତେବେଳେ ସେମାନଙ୍କ ସହିତ ମୁଁ ମିଶିଥିଲି କୁହନ୍ତୁ। କାହାଣୀ ନକହି ସିଧାସଳଖ ଉତ୍ତର ରଖିଲେ ଠିକ୍ ହେବ। ମୁଁ ପ୍ରଥମ ଥର ବିଧାୟକ ହୋଇଛି। ମୁଁ ମୋ ନିର୍ବାଚନ ମଣ୍ଡଳୀ ପାଟକୁରାରେ ସଙ୍ଗଠନ କରୁଛି। ପାଟକୁରା ବାହାରେ କୌଣସି ସଙ୍ଗଠନରେ ମୋର ସମ୍ପୃକ୍ତି ନାହିଁ। ଏଥିପ୍ରତି କୌଣସି ଆଗ୍ରହ ନାହିଁ। ଭିତ୍ତିହୀନ ଅଭିଯୋଗ କରନ୍ତୁ ନାହିଁ। ଯାହା ଅଭିଯୋଗ ଆଣିଛନ୍ତି, ତାକୁ ସାବ୍ୟସ୍ତ କରନ୍ତୁ। ତା’ପରେ ନୂଆ ଅଭିଯୋଗ ଆଣନ୍ତୁ। ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, ୧୮ ମାସ ହେଲା ମୁଁ ବିଧାୟକ ହୋଇଛି। ବ୍ଳକରେ ଦୁର୍ନୀତି ବନ୍ଦ କରିବାକୁ ଯେତେକି ଚେଷ୍ଟା କରିବା କଥା କରିଛି। ଏ ନେଇ ଗୋଟିଏ ସର୍ଭେ ହେଉ। ଆଗରୁ ଦୁର୍ନୀତି ହେଉଥିଲା ନା ନାହିଁ ଓ ବର୍ତ୍ତମାନର ସ୍ଥିତି କ’ଣ ତାହା ସ୍ପଷ୍ଟ ହୋଇଯିବ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook