Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିରେ ଲତିକା ବିସ୍ଫୋରଣ

    Share on :
    ajab-Image
    Date: Jan 12, 2026    Views: 2571

    ମୁହଁ ଖୋଲିଛନ୍ତି ବିଜେଡିର କବିସୂର୍ୟ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ଦଳର ପରିଚାଳନା ନେଇ ଖୋଲାଖୋଲି ସେ ଜାହିର କରିଛନ୍ତି ଅସନ୍ତୋଷ। ଗଞ୍ଜାମ ଜିଲ୍ଲାରେ ବିଜେଡି ଦିନକୁ ଦିନ ଦୁର୍ବଳ ହୋଇଯାଉଛି ବୋଲି ସେ କହିଛନ୍ତି ।ଲତିକା କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଯଦିଓ ଆମେ ହାରିଥିଲୁ, କିନ୍ତୁ ସ୍ଥିତି ଭଲ ଥିଲା। ବିକ୍ରମ ପଣ୍ଡା ଦାୟିତ୍ୱ ନେଇଥିଲେ। ଧୀରେ ଧୀରେ ଆମ ସ୍ଥିତିରେ ସୁଧାର ଆସୁଥିଲା। କିନ୍ତୁ ଏହି ଘଟଣା (ପୀତବାସ ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡା ଗିରଫ ହେବା) ଘଟିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ଆଜି ଯଦି ଆମେ ଗଞ୍ଜାମ ଜିଲ୍ଲାର ସଂଗଠନ କଥା କହିବୁ, ତା’ହେଲେ ଏହା ଗୋଟିଏ ଦିନରେ ଭାଙ୍ଗିଯାଇନି। ନିରନ୍ତର ଭାବେ ଗଞ୍ଜାମ ଜିଲ୍ଲା ନେତାଙ୍କୁ ଦାୟିତ୍ୱ ନଦେବା ଫଳରେ ଦଳର ସଂଗଠନ ଅତି ଦୁର୍ବଳ ହୋଇପଡ଼ିଛି। ଏବେ ଗଞ୍ଜାମ ଜିଲ୍ଲାର ମୁରବି ହେଉଛନ୍ତି ଆମ ଦଳର ସଭାପତି। ସେ ହିଞ୍ଜିଳିରୁ ବିଧାୟକ ଅଛନ୍ତି। କିନ୍ତୁ ସେ ମଧ୍ୟ ଜିଲ୍ଲା ପାଇଁ ସମୟ ଦେଇପାରି ନାହାନ୍ତି। ଆମେ ତାଙ୍କୁ ଅନୁରୋଧ କରୁଛୁ ଯେ ସେ ଗଞ୍ଜାମ ଜିଲ୍ଲାର ନେତାଙ୍କୁ ସ୍ୱତନ୍ତ୍ର ଭାବେ ଡାକି ଆଲୋଚନା କରନ୍ତୁ। ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ସେ ନିଅନ୍ତୁ। ଜିଲ୍ଲାରେ ବିଜେଡି କେମିତି ସୁଦୃଢ଼ ହେବ, ସେଥିପାଇଁ କାର୍ୟ୍ୟପନ୍ଥା ଗ୍ରହଣ କରାଯାଉ। 

    ସେ କହିଛନ୍ତି, ଗଞ୍ଜାମ ଜିଲ୍ଲା ପାଇଁ ନିରନ୍ତର ଭାବେ ପାତରଅନ୍ତର ନୀତି ଆପଣାଯାଉଛି। ଗଞ୍ଜାମ ଜିଲ୍ଲାର କୌଣସି ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଗଞ୍ଜାମ ଜିଲ୍ଲାରେ କେବଳ ଜଣେ ଦୁଇ ଜଣଙ୍କୁ ରିପିଟ୍ କରାଯାଉଛି। ଆଉ କାହାକୁ ସେମିତି ଗୁରୁ ଦାୟିତ୍ୱ ଦିଆଯାଉନାହିଁ। ଫଳରେ ସଂଗଠନ ଦିନକୁ ଦିନ ଆହୁରି ଦୁର୍ବଳ ହୋଇଯାଉଛି। ତେବେ କିଏ ପାତରଅନ୍ତର କରୁଛନ୍ତି, ତାହା ସେ କହି ନାହାନ୍ତି।ଲତିକା କହିଛନ୍ତି ଯେ ଶଙ୍ଖ ଭବନରେ ବସୁଥିବା ଲୋକେ ପାତରଅନ୍ତର କରୁଛନ୍ତି କି କିଏ, ସେ ଜାଣିନାହାନ୍ତି। ଏକଥା ସଭାପତିଙ୍କ ନଜରକୁ ଆସୁନାହିଁ। ଏହା ନିଶ୍ଚିତ ଭାବେ ସଭାପତିଙ୍କ ନଜରକୁ ଆସିବା ଦରକାର। ପାତରଅନ୍ତର କରି ଲୋକଙ୍କୁ ହଇରାଣ କରାଯାଉଛି। 

    ନବୀନଙ୍କୁ ସାକ୍ଷାତ କରିବା ପାଇଁ ସୁଯୋଗ ପାଇପାରୁ ନଥିବା ଲତିକା ଗଣମାଧ୍ୟମ ଜରିଆରେ ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ ଗଞ୍ଜାମ ଜିଲ୍ଲା ପାଇଁ ସେ ସ୍ୱତନ୍ତ୍ର ଦାୟିତ୍ୱ ନିଅନ୍ତୁ ଓ ଦଳର ସଂଗଠନକୁ ସୁଦୃଢ଼ କରନ୍ତୁ। 
    ସେହିପରି ସେ ବିଜେଡିର କୋର୍ ଟିମ୍ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କୋର୍ ଟିମ୍‌ର ଅଧିକାର କ’ଣ ମୁଁ କିଛି ଜାଣିନି। କୋର୍ ଟିମ୍ କେଉଁ ସମସ୍ୟାର ସମାଧାନ କରି ଦେଇଛନ୍ତି, ତାହା ମୁଁ ଜାଣିନି। କୋର ଟିମ୍ କଥା ମୁଁ କହିପାରିବିନି। କୋର୍ ଟିମ୍ କ’ଣ ପାଇଁ ଅଛି, ସେଥିରେ କିଏ କିଏ ଅଛନ୍ତି, ମୁଁ ଭଲ ଭାବେ ଜାଣିନି।ଲତିକା କହିଛନ୍ତି, ହାରିବା ପରେ ସଂଗଠନକୁ ଆମେ ଯେତିକି ଗୁରୁତ୍ୱ ଦେବା କଥା, ତାହା କରାଯାଇନାହିଁ। ସଂଗଠନକୁ ଦୃଢ଼ କରିବା ପାଇଁ ସମସ୍ତଙ୍କୁ ନେଇକି ଯିବା କଥା। କିନ୍ତୁ ତାହା ସମ୍ଭବ ହୋଇପାରୁ ନାହିଁ। ଯେଉଁ ନେତାମାନେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ୱରକୁ ଚପାଇ ନଦିଆଯାଉ। ତାଙ୍କ କଥାକୁ ଶୁଣାଯାଉ। ତାଙ୍କ ମତାମତକୁ ଶୁଣାଯାଉ ଓ ସମାଧାନର ବାଟ ବାହାର କରାଯାଉ। ନବୀନ ବାବୁ ସମସ୍ତଙ୍କ ସହିତ ଆଲୋଚନା କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଦଳର ଦାୟିତ୍ୱ ନେବା ପାଇଁ ଏକ ଟିମ୍‌ର ଆବଶ୍ୟକତା ରହିଛି। ନବୀନ ବାବୁ ସେହି ଟିମ୍ ଗଠନ କରନ୍ତୁ। କାହାକୁ ଅଣଦେଖା କରାନଯାଉ। ସମସ୍ତଙ୍କୁ ସାମିଲ କରାଯାଉ। 

    ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ଆସନ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଏଥିରୁ ୧୨ଟି ଆସନରେ ହାରିଥିଲା। କେବଳ ହିଞ୍ଜିଳି ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook