ମୁଖ୍ୟ ଖବର
ଭୁବନେଶ୍ବର: ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ରାଜଧାନୀ ଉପକଣ୍ଠ ଝୁମୁକା ଫାର୍ମ ହାଉସ୍ରେ ଦଳର ୫୦ରୁ ଅଧିକ ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ଥମୁନି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକୁ ଖାତିର ନକରି ୫୦ରୁ ଅଧିକ ନେତା ଏକାଠି ହୋଇଥିଲେ। ଶଙ୍ଖ ଭବନ ବାହାରେ ଏଭଳି ମେଳି କରିବାକୁ ନବୀନ କଟକଣା ଲଗାଇଥିବାବେଳେ ଏହାକୁ ବହୁ ପୂର୍ବତନ ବିଧାୟକ ଓ ପରାଜିତ ନେତା ମାନିନାହାନ୍ତି। ଏହି ମେଳି ଦଳର ପୂର୍ବତନ ନେତା ଭି.କେ. ପାଣ୍ଡିଆନଙ୍କ ବିରୋଧରେ ଶକ୍ତିପ୍ରଦର୍ଶନ ବୋଲି କୁହାଯାଉଛି।
ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ଅତୀତରେ ଭୋଜିଭାତ ଉପରେ କଟକଣା ରହିଥିଲା। ଏବେ ଦଳ ହାରିଗଲା ପରେ ଆଉ କଟକଣା ନାହିଁ। ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ। ରାଜନୀତି କଲେ ଚର୍ଚ୍ଚା ହେବ। ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା। ବହୁ ଦୂର ନେତାଙ୍କ ସହ ଦେଖା ହୋଇନଥିଲା। ସେଥିପାଇଁ ଭୋଜି ହୋଇଥିଲା, କିନ୍ତୁ ମେଳି କିଛି ନୁହେଁ। ଆଞ୍ଚଳିକ ଦଳ ଭାବେ ବିଜେଡି ସର୍ବବୃହତ ଦଳ। ଗୋଟିଏ ନେତା ନବୀନ। ନେତୃତ୍ବ ସଙ୍କଟ ଦଳରେ ନାହିଁ। ନୂତନ ଦଳ କାହିଁକି ଗଢ଼ାଯିବ। ବିଜେଡି ବିଜୁବାବୁଙ୍କ ଆଦର୍ଶରେ ଗଢ଼ା। ଦଳକୁ କେହି ହାଇଜାକ୍ କରିପାରିବେ ନାହିଁ। ଆମେ ସୈନିକ ଅଛୁ। ବିରୋଧୀ ଦଳ ଭାବେ ଆମେ ସରକାରର ଦୋଷ ତ୍ରୁଟି ଲୋକଲୋଚନକୁ ଆଣିବୁ। ନୂଆବର୍ଷରେ ନୂଆ ତରିକାରେ ଦଳ ଆହୁରି ସୁଦୃଢ଼ ହେବ। ଭି.କେ. ପାଣ୍ଡିଆନ ପ୍ରସଙ୍ଗରେ ସେ କହିଛନ୍ତି ଯେ, ତାଙ୍କ କଥା କାହିଁକି ଉଠୁଛି। ସରକାର ଥିବାବେଳେ ତାହା ଗୋଟିଏ ଫ୍ୟାକ୍ଟର ଥିଲା। ସେ ଜଣେ ଭଲ ମ୍ୟାନେଜର। ନେତା ହିସାବରେ ଆମେ ତାଙ୍କୁ କେବେ ମାନିନାହୁଁ। ନବୀନ ବାବୁଙ୍କର ଅନେକ ସେବା ସେ କରିଛନ୍ତି। ପୁଅ ଠାରୁ ଅଧିକ କରିଛନ୍ତି, କିନ୍ତୁ ନେତା ହେଉଛନ୍ତି ନବୀନ। ଏଥିସହ ସୁଜାତା ଆର. କାର୍ତ୍ତିକେୟନଙ୍କ ଦଳରେ ଯୋଗଦେବା ଚର୍ଚ୍ଚା ଗଣମାଧ୍ୟମ କହୁଛି। ଆମ ପାଖରେ ସେପରି କୌଣସି ସୂଚନା ନାହିଁ। ଅମାର ଥିଲେ ମୂଷା ରହିବ। ମୂଷା ଖାଇବାକୁ ସାପ ଆସିବ। ସବୁଦଳରେ ମୂଷା ଅଛନ୍ତି। ଏନେଇ ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ବର ଜିଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ମତାନ୍ତର-ମନାନ୍ତର ରହିବା ସ୍ବାଭାବିକ। ସମସ୍ତଙ୍କୁ ନେଇ ଦଳ ଚାଲିବ। ଭୋଜିଭାତ ହେବ। ସେଥିପାଇଁ କାହାକୁ ଡାକିବେ ନ ଡାକିବେ ସେମାନଙ୍କ ନିଷ୍ପତ୍ତି। ମେଳି କିଛି ନୁହେଁ। ଦଳ ଏକଜୁଟ ଅଛି। ବୃହତ ଆଞ୍ଚଳିକ ଦଳ ହିସାବରେ ବିଜେଡି ପ୍ରତିଷ୍ଠିତ। ଆସନ୍ତା ୨୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ହେବ। ବିଜେପି ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ, ଏବେ ଭୁଆଁ ବୁଲାଉଛନ୍ତି। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଯିବ। ବିଜେପି ଓ କଂଗ୍ରେସରେ ଯେଭଳି କନ୍ଦଳ ହୋଇଥିଲା, ସେଭଳି କନ୍ଦଳ ବିଜେଡିରେ ହେବ ନାହିଁ।
Comments ସମସ୍ତ ମତାମତ