ମୁଖ୍ୟ ଖବର
ମାଲକାନଗିରି: ବିଜେଡି ଦଳର ସାତ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଏମଭି-୨୬ ଓ ରାଖେଲଗୁଡା ଗ୍ରାମରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବରିଷ୍ଠ ବିଜେଡି ନେତା ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲଷ୍ମୀ ପ୍ରିୟା ନାୟକ ଟିମରେ ଅଛନ୍ତି ।
ବିଜେଡିର ଏହି ଟିମ ପ୍ରଥମେ ରାଖାଲଗୁଡା ଗାଁକୁ ଯାଇ ଆଦିବାସୀ ଲୋକଙ୍କ ସହ ଆଲୋଚନା କରିଥିଲେ। କେଉଁ ପରିସ୍ଥିତିରେ ଆଦିବାସୀ ମହିଳାଙ୍କ ହତ୍ୟା ହୋଇଥିଲା ତାହାର ଟିକିନିଖି ତଥ୍ୟ ଗାଁ ଲୋକଙ୍କ ଠାରୁ ସଂଗ୍ରହ କରିଥିଲେ । ଏହା ପରେ ଏମଭି ୨୬ ଗାଁ କୁ ଯାଇ ଘରକୁ ଘର ବୁଲି କ୍ଷତିଗ୍ରସ୍ତ ବଙ୍ଗୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଲୋକେ କାହିଁକି ଏମଭି ୨୬ ଗାଁରେ କ୍ଷୟକ୍ଷତି କରିଥିଲେ, ତାହାର ମଧ୍ୟ ଟିକିନିଖି ତଥ୍ୟ ସଂଗ୍ରହ କରିଛି । ଉଭୟ ଆଦିବାସୀ ଓ ବଙ୍ଗାଳି ଲୋକେ ଆଗାମୀ ଦିନରେ କିପରି ଶାନ୍ତି ବଜାଇ ରଖିବେ ସେ ନେଇ ବିଜେଡି ଚେଷ୍ଟା କରିବ ବୋଲି ବିଜେଡି ନେତା ପ୍ରଦୀପ ମାଝି କହିଛନ୍ତି । ଘଟଣା ପାଇଁ ସରକାର ଦାୟୀ ବୋଲି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ।
ରାଖଲଗୁଡା ଗ୍ରାମର ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ସରକାର ଓ ବିଜେଡି ଟିମ ନିକଟରେ ଦାବି ରଖିଛନ୍ତି ଜିଲ୍ଲା କୋୟା ସମାଜ ଓ ଗ୍ରାମବାସୀ। ଏହା ସହ ଏମଭି ୨୬ ହିଂସାକାଣ୍ଡରେ ଯେଉଁମାନଙ୍କୁ ଗିରଫ କରାଯାଇଛି, ସେମାନଙ୍କୁ ଜାମିନ ପ୍ରଦାନ ସହ ଛାଡିବା ପାଇଁ ଦାବି କରିଛନ୍ତି। ଅପର ପକ୍ଷରେ ଭଙ୍ଗା ଉଜୁଡା ଘର ଆଗରେ ପ୍ରଶାସନ ଯୋଗାଇ ଥିବା ଜରି ପାଲ ତଳେ ଏମଭି ୨୬ ଗ୍ରାମବାସୀ ଦିନ କାଟୁଥିବା ଦେଖିବାକୁ ମିଳିଛି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ତୃଣମୂଳ ସ୍ତରରୁ ସ୍ଥିତି ଅନୁସନ୍ଧାନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏହି ଟିମ କହିଛି।
Comments ସମସ୍ତ ମତାମତ