ମୁଖ୍ୟ ଖବର
ଭୁବନେଶ୍ୱର : ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟରେ ବଳାତ୍କାର, ଗଣବଳାତ୍କାର ପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ମହିଳା ବିରୋଧୀ ଅପରାଧ ସଂଖ୍ୟା ୪୦ ହଜାରରୁ ଅଧିକ ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ଏପରି ଦୟନୀୟ ସ୍ଥିତିରେ ପହଞ୍ଚିଛି ଯେ, ଅପରାଧୀ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଗତ ୧୭ ମାସରେ ୨୮ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବେଳେ ରାଜ୍ୟ ମହିଳା ଆୟୋଗଙ୍କ ଦାୟିତ୍ବହୀନ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଲେ, ଧଉଳି ଗଣବଳାତ୍କାର ଘଟଣା ଭଳି ଜଘନ୍ୟ ଅପରାଧ ଏବେ ସାଧାରଣ କଥା ହେଲାଣି। ମା’ମାନେ ଝିଅମାନଙ୍କୁ ଏପରି ଜାଗାକୁ ଛାଡ଼ିବା ଉଚିତ୍ ନୁହେଁ ଓ ଝିଅମାନେ ନିଜ ସୁରକ୍ଷା କଥା ନିଜେ ଚିନ୍ତା କରିବା କଥା ବୋଲି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ମନ୍ତବ୍ୟ ଦେଉଛନ୍ତି। ଏହାର ଅର୍ଥ ସରକାର ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅସମର୍ଥ ବୋଲି ସେ ସ୍ୱୀକାର କରିଛନ୍ତି। ରାଜ୍ୟର ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ, ତେଣୁ ସରକାର ଗାଦି ଛାଡ଼ନ୍ତୁ। ସେ କହିଛନ୍ତି, ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ସଙ୍ଗୀନ ହୋଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଉ ନାହାନ୍ତି। ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିଲା ବେଳେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ବିଗିଡ଼ି ଯିବା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅପାରଗ ପଣିଆକୁ ପଦାରେ ପକାଉଛି ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ