Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆପଡା ପରାଜୟର କାରଣ ଖୋଜୁଛି ବିଜେଡି

    Share on :
    ajab-Image
    Date: Nov 23, 2025    Views: 2254

    ଭୁବନେଶ୍ବର: ନୂଆପଡା ବିପର୍ଯ୍ୟୟକୁ ସପ୍ତାହେ ବିତିବା ପରେ ଶନିବାର ପରାଜୟର ସମୀକ୍ଷା କରିଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜନୈତିକ ବ୍ୟାପାର କମିଟିର ବୈଠକ ଡାକି ଦଳର ପରାଜୟର କାରଣ ଖୋଜିଛନ୍ତି । ନବୀନ ନିବାସରେ ପ୍ରାୟ ୨ ଘଣ୍ଟା ଧରି ଦଳର ପରାଜୟ ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନରେ ଅନିୟମିତତା ପାଇଁ ବିଜେଡିର ନୂଆପଡା ପରାଜୟ ହୋଇଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଦଳ ଖୁବଶୀଘ୍ର ଏନେଇ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବ ବୋଲି ସେ ସୂଚନା ଦେଇଛନ୍ତି ।
    ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ସଂଧ୍ୟାରେ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ଶେଷ ହୋଇଛି । ବୈଠକରେ ତିନୋଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ନୂଆପଡ଼ା ଉପନିର୍ବାଚନରେ ଦଳର ପରାଜୟର କାରଣ, ଆସନ୍ତା ବିଧାନସଭା ବୈଠକରେ ଦଳର ଏଜେଣ୍ଡା ଓ ଦଳର ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଛି । ବୈଠକରେ ସଂତୃପ୍ତ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଦାମ ମାରାଣ୍ଡି, ସଞ୍ଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
    ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର କମିଟିର ବୈଠକ ହୋଇଛି । ବୈଠକରେ ନୂଆପଡା ନିର୍ବାଚନର ଫଳାଫଳ ବାବଦରେ ଆଲୋଚନା ହୋଇଛି । ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି । ସରକାରୀ ଦଳ କଳ, ବଳ, କୌଶଳ, ବାହୁବଳ, ଅର୍ଥ ବଳ ଓ EVM ବ୍ୟବହାର କରି ଯେଉଁ ଭଳି ଭୋଟ ନେଲେ ତାହା ଆଲୋଚନା ହୋଇଛି । ସମସ୍ତ କୌଶଳକୁ ପ୍ରୟୋଗ କରି ୬୩ଟି ବୁଥରେ ବିଜେଡି ଭୋଟକୁ ଜୋରଜବରଦସ୍ତି ବିଜେପି ନେଇଛି । ବୁଥ କ୍ୟାପଚରିଂ କିମ୍ବା EVM ମେସିନରେ ହେରଫେର କରି ଏହା କରିଛନ୍ତି । କିପରି ଭାବେ ବିଜେଡି ଭୋଟ ନେଲେ ତାର ବୁଥ ସ୍ତରରୁ ତର୍ଜମା କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବୁ ।"
    ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଅନୁସନ୍ଧାନ କରି ନିର୍ବାଚନ ଅଧିକାରୀଙ୍କୁ ପୁଣି ଜଣାଇବୁ । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ । ଶାସକ ଦଳ ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରୁଛି । ସେହିପରି ଦଳର ସଂଗଠନକୁ ମଜବୁତ କରାଯିବ । ଛାତ୍ର, ମହିଳା, ଯୁବକ, ଜିଲ୍ଲା କମିଟି ଓ ବ୍ଲକ କମିଟିର ବୈଠକ ହେବ । ବିଜୁ ଜନତା ଦଳର ସଂଗଠନ କିପରି ସୁଦୃଢ ହେବ ତାହା ଆଲୋଚନା କରାଯାଇଛି । ଆଗାମୀ ବିଧାନସଭା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।"
    ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 83748 ଖଣ୍ଡ ଭୋଟ ବ୍ୟବଧାନରେ ନୂଆପଡ଼ାରେ ବିଜୟ ହାସଲ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ 40121 ଭୋଟରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ 38408 ଭୋଟରେ ତୃତୀୟ ସ୍ଥାନରେ ରହିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook