ମୁଖ୍ୟ ଖବର
ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶା ଉପକୂଳ ରାଜପଥ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ପ୍ରକଳ୍ପ ଯେ ପର୍ୟ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନ ନେଇଛି, ସେ ପର୍ୟ୍ୟନ୍ତ ବିଜୁ ଜନତା ଦଳ ନିରବ ବସିବ ନାହିଁ ବୋଲି ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି । ଏକ ପ୍ରେସ୍ ବିଜ୍ଞପ୍ତିରେ ଡ. ମହାନ୍ତି କହିଛନ୍ତି, ବିପର୍ୟ୍ୟୟ ପରିଚାଳନା, ପର୍ୟ୍ୟଟନ ଶିଳ୍ପର ବିକାଶ, ଅର୍ଥନୈତିକ କାରବାର ବୃଦ୍ଧି ଏବଂ ପରିବର୍ତ୍ତିତ ଜଳବାୟୁ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କରିବା ଲକ୍ଷ୍ୟରେ ବିଜେଡି ସରକାର ଉପକୂଳ ରାଜପଥ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ଆସୁଥିଲା । ତେବେ ୧୦ ବର୍ଷରୁ ଅଧିକ ସମୟ ହେଲା ଏହି ପ୍ରକଳ୍ପ କେବଳ ସରକାରୀ ନାଲି ଫିତା ଭିତରେ ଚାପି ହୋଇ ରହିଛି । ଶେଷ ମୁହୂର୍ତ୍ତରେ ଏହାର ଟେଣ୍ଡର ବାତିଲ, ପ୍ରଶାସନିକ ଅପାରଗତା ଏବଂ ମନଇଚ୍ଛା ଚାରି ଲେନ୍ ରାସ୍ତାକୁ ଦୁଇ ଲେନ୍ରେ ସୀମିତ ରଖିବା ପାଇଁ ଅପଚେଷ୍ଟା ଉପକୂଳ ରାଜପଥ ପ୍ରକଳ୍ପରେ ଗୁରୁତର ବାଧା ସୃଷ୍ଟି କରିଛି । ତେବେ ବିଳମ୍ୱରେ ହେଲେ ମଧ୍ୟ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିବା ଆମ ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ ।
ଡ. ମହାନ୍ତି ଆହୁରି କହିଛନ୍ତି, ଉପକୂଳ ରାଜପଥ ନିର୍ମାଣ, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକାନ୍ତ ଅପରିହାର୍ୟ୍ୟ । ପ୍ରାକୃତିକ ବିପର୍ୟ୍ୟୟ ପ୍ରବଣ ଉପକୂଳ ଜିଲାର ସୁରକ୍ଷା, ପର୍ୟ୍ୟଟନ ଓ ଆର୍ଥିକ ବିକାଶ (ବିଶେଷକରି ପୁରୀ-କାକଟପୁର, ଏରସମା) ପାଇଁ ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବା ଜରୁରୀ । ବିପର୍ୟ୍ୟୟ ସମୟରେ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟ ପୂରଣ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅବିଚାରିତ ଭାବେ ଏହି ପ୍ରକଳ୍ପକୁ ଦୁର୍ବଳ କରିବା ଦ୍ୱାରା ପରିବେଶ, ସାମାଜିକ ଓ ଆର୍ଥିକ ବିକାଶର ଗତିରୋଧ କରିବ । ତେଣୁ ଯେ ପର୍ୟ୍ୟନ୍ତ ଏହି ପ୍ରକଳ୍ପ ନିଜର ପୂର୍ଣ୍ଣ କ୍ଷମତା ନ ଫେରିଛି, ସେ ପର୍ୟ୍ୟନ୍ତ ବିଜେଡି ଚୁପ୍ ବସିବ ନାହିଁ ବୋଲି ଡ. ମହାନ୍ତି ଦୃଢ଼ତାର ସହ କହିଛନ୍ତି ।
Comments ସମସ୍ତ ମତାମତ