ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବିଜେଡି ୩ ନମ୍ବର ସ୍ଥାନରେ ରହିବା ପରେ ସେମାନଙ୍କ ଦଳ ଭିତରେ ଏବେ ପୁଣିଥରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଯାଇଛି। କାହିଁକି ଜିଲା ବାହାରୁ ଆଣି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ପ୍ରାର୍ଥୀ କଲା ବୋଲି ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଶ୍ନ ଉଠାଇଛନ୍ତି। ନୂଆପଡ଼ାକୁ ପ୍ରଚାର କରିବା ଲାଗି ଦଳର ସଭାପତି ନବୀନ ପଟ୍ଟନାୟକ ୨ ଥର ଯାଇଥିବାରୁ ତାଙ୍କ ଲୋକପ୍ରିୟତା କଥାକୁ ନେଇ ମଧ୍ୟ ଆଲୋଚନା ଜୋର୍ ଧରିଛି। ଫଳାଫଳ ବାହାରିବାର ୨ ଦିନ ପରେ ଦଳର କେତେଜଣ ବରିଷ୍ଠ ନେତା ନବୀନଙ୍କୁ ସୋମବାର ଭେଟିଥିବା ଶୁଣିବାକୁ ମିଳିଛି। ଏଭଳି ସ୍ଥିତିରେ ସମ୍ବିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରାର୍ଥୀ ଚୟନ ସମୟରେ ବିଚାରବିମର୍ଷ କରାଯିବା କଥା। କିନ୍ତୁ ବାହାର ନେତାଙ୍କୁ ନେଇ ଛିଡ଼ା କରାଯିବା ଭଳି ଏକ୍ସପରିମେଣ୍ଟ ହେବାରୁ ଦଳ ବିଫଳ ହେଲା। ଏହାସହ ଯେଉଁମାନେ ନିର୍ବାଚନ ପ୍ରଚାରରେ ଯାଇଥିଲେ ସେମାନଙ୍କୁ କିଏ ପଠାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ତାହାକୁ ପଠାଇବାର ଲାଭ କଣ ମିଳିଲା ବୋଲି ପ୍ରଶ୍ନ କରିବା ସହ ବିପର୍ୟ୍ୟୟର କାରଣ ଖୋଜିବା ଲାଗି ସମୀକ୍ଷା ନିହାତି ଦରକାର ବୋଲି ସେ କହିଛନ୍ତି।
ବରିଷ୍ଠ ନେତା ତଥା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯଦି ନବୀନ ପ୍ରଚାରକୁ ଯାଇ ନ ଥାଆନ୍ତେ ତାହାଲେ କୁହାଯାଇ ଥାଆନ୍ତା ଭାଜପା ସହିତ ବୁଝାମଣା ହୋଇଗଲା। ନୂଆପଡ଼ା ପରାଜୟର ସମୀକ୍ଷା ଦଳ ପକ୍ଷରୁ କରାଯିବ। ଯେଉଁମାନେ ନୂଆପଡ଼ା ଯାଇଥିଲେ ସେମାନେ ନବୀନଙ୍କ ଲୋକପ୍ରିୟତା କଥା ଜାଣିଛନ୍ତି। ଆଗାମୀ ସମୟ କହିବ ନବୀନ ବାବୁ କେତେ ଲୋକପ୍ରିୟତା। ଗୋଟିଏ ବିପର୍ୟ୍ୟକୁ ନେଇ ସିଦ୍ଧାନ୍ତରେ ପହଞ୍ଚତ୍ବା ବୁଦ୍ଧିମାନର କାମ ନୁହେଁ। ଦଳର ସଭାପତି କଣ ତାଙ୍କ ପ୍ରାର୍ଥୀ ପାଇଁ ପ୍ରଚାର କରି ନ ଥାଆନ୍ତେ କି ବୋଲି ଗଣେଶ୍ୱର ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ନବୀନ ନିବାସରେ ଦଳର ୫ ଜଣ ବରିଷ୍ଠ ନେତା ଯାଇ ନବୀନଙ୍କୁ ଭେଟି ନୂଆପଡ଼ା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଦଳ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ଦେବା କଥା ସେହି ଅନୁସାରେ ଟଙ୍କା ପହଞ୍ଚତ୍ ନ ଥିବା ଆଦି ବିଷୟ ଆଲୋଚନା ହୋଇଛି। ଦଳର ଯୋଉ ନେତାମାନେ ନୂଆପଡ଼ା ଦାୟିତ୍ୱରେ ଥିଲେ ସେମାନଙ୍କୁ ଏବେ ପରାଜୟ ପାଇଁ ଦାୟୀ କରାଯାଉଥିବା ବେଳେ ସେହି ନେତାମାନେ ନବୀନଙ୍କୁ ଭେଟିବା ବିଷୟକୁ ନେଇ ଦଳରେ ଆହୁରି ଅସନ୍ତୋଷ ଜୋର୍ ଧରିଲାଣି।
Comments ସମସ୍ତ ମତାମତ