Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଚକ୍ରାନ୍ତ କରୁଛି: ବିଜେଡି

    Share on :
    ajab-Image
    Date: Nov 7, 2025    Views: 3090

    ଭୁବନେଶ୍ୱର:  ଶୁକ୍ରବାର  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକ ନୂଆପଡା ଓ ଖରିଆର ରୋଡ୍ରେ ରୋଡ୍ ସୋ’ କରିବେ ଏବଂ ଏକ ନିର୍ବାଚନ ସଭାକୁ ସମ୍ବୋଧନ କରିବେ । କିନ୍ତୁ ଏହି ରୋଡ୍ ସୋ’ ଓ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଚକ୍ରାନ୍ତ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି ବିଜେପିର ଆଜି ଆୟୋଜିତ ନିର୍ବାଚନ ସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି ବୋଲି ବିଜେଡିର ଏକ ପ୍ରତିନଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । 
    ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁଲତା ଦେଓ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ଆସନ୍ତା ଶୁକ୍ରବାର ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ଓ ରୋଡ୍ ସୋ’କୁ ଭଣ୍ଡୁର କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ଚକ୍ରାନ୍ତ କରୁଛନ୍ତି । ରୋଡ ସୋ’ରେ ବିଶୃଙ୍ଖଳା କରିବା, ପଥର ମାଡ କରିବା ଓ ଉତ୍ତେଜନା ସୃଷ୍ଟି କରିବା ପାଇଁ ଯୋଜନା କରୁଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଅଭିଯୋଗ କରିଛି । ଆସନ୍ତାକାଲି ହେବାକୁ ଥିବା ନିର୍ବାଚନୀ ସଭା ଓ ରୋଡ ସୋ’କୁ ଶୃଙ୍ଖଳିତ ତଥା ନିରାପଦ ଭାବେ ଆୟୋଜନ କରିବା ଏବଂ ମାନ୍ୟବର ବିରୋଧୀ ଦଳ ନେତାଙ୍କ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରିବା ପାଇଁ ବିଜେଡି ପ୍ରତିନିଧି ଦଳ ଏକ ସ୍ମାରକପତ୍ର ଦେଇ ଅନୁରୋଧ କରିଛନ୍ତି ।
    ଅନ୍ୟପଟେ ଆଜି ଆୟୋଜିତ ବିଜେପିର ବିଭିନ୍ନ ସାଧାରଣ ସଭା ପାଇଁ ନୂଆପଡାରେ ଟ୍ରାଫିକ୍ ବିଶୃଙ୍ଖଳା, ବେଆଇନ ଭାବେ ରାସ୍ତା ଅବରୋଧ କରି ବିଜେପି ଖୋଲାଖୋଲି ଭାବେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି । ଏହି ସମସ୍ତ ନିର୍ବାଚନ ସଭା ମୁଖ୍ୟମନ୍ତ୍ରୀ ଦ୍ୱାରା ସମ୍ବୋଧିତ ହୋଇଥିବାରୁ ଆଚରଣ ବିଧିର ଉଲ୍ଲଂଘନକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ମିହିର ରାୟ, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ସୋଫିଆ ଆଲାମ, ରୀତାଞ୍ଜଳୀ ପ୍ରଧାନ, ଜ୍ୟୋତ୍ସ୍ନା ପରିଡା, ପ୍ରଦୀପ ପଣ୍ଡା ପ୍ରମୁଖ ସାମିଲ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook