ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ଆତ୍ମପ୍ରଚାର ଓ ଉତ୍ସବ ପାଳନରେ ବିଭୋର ଥିଲା ବେଳେ ପବିତ୍ର ରଜ ପର୍ବରେ ବେଳାଭୂମିକୁ ଖୁସି ମନାଇବା ପାଇଁ ଆସିଥିବା ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମର ଶୀକାର ହେବାକୁ ପଡିଛି । ଗୋପାଳପୁର ବେଳାଭୂମିରେ ମହିଳାଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଥିଲେ ଯେ, ଗୋପାଳପୁର ଭଳି ଏକ ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ପର୍ୟ୍ୟଟନସ୍ଥଳୀରେ ଏହି ଭଳି ଘୃଣ୍ୟ ଘଟଣା ରାଜ୍ୟବାସୀଙ୍କୁ ବିଚଳିତ କରିଛି । ରାଜ୍ୟ ସରକାର ବର୍ଷପୂରାଣୀ ଉତ୍ସବରେ ବିଭୋର ଥିଲା ବେଳେ ରାଜ୍ୟବାସୀଙ୍କ ସୁରକ୍ଷା ପ୍ରତି ସମ୍ବେଦନହୀନ ହୋଇପଡିଛନ୍ତି । ସରକାରକୁ ଆସିଲା ପରେ ରାଜ୍ୟରେ ମହିଳା ବିରୋଧୀ ହିଂସା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବା ସହ ଅପରାଧ କ୍ଷେତ୍ରରେ ଓଡିଶା ସର୍ବଭାରତୀୟ ସ୍ତରରେ ୮ମ ସ୍ଥାନରେ ପହଞ୍ଚି ଯାଇଛି । ଗତ ଏକ ବର୍ଷ ମଧ୍ୟରେ ୩୩ ପ୍ରତିଶତ ଫୈଜଦାରୀ ମୋକଦମା ବୃଦ୍ଧି ପାଇବା ସହ ଦୁଷ୍କର୍ମ ହାର ୮ ପ୍ରତିଶତ ବଢିଛି । ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ, ପର୍ୟ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ତେଣୁ ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ରାଜ୍ୟର ପର୍ୟ୍ୟଟନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଥିଲେ ।
ସେହିପରି ମୁଖପାତ୍ର ଶ୍ରୀ ପଣ୍ଡା କହିଥିଲେ, ପର୍ୟ୍ୟଟନର ବିକାଶ ପାଇଁ ଡିଣ୍ଡିମ୍ ପିଟୁଥିବା ବିଜେପି ସରକାର ଏଭଳି ସମ୍ବେଦନଶୀଳ ଘଟଣାକୁ ଅଣଦେଖା କରି ସାରା ଦେଶରେ ଓଡିଶାକୁ ଲଜ୍ଜିତ କରିଛନ୍ତି ଓ ଗୋପାଳପୁର ବେଳାଭୂମିର ଗାରିମାକୁ ସରକାର କ୍ଷୁର୍ଣ୍ଣ କରିଛନ୍ତି । ଏ ସରକାରରେ ଘରୁ ମହିଳାଟିଏ ଗୋଡ କାଢିଲେ ସୁରକ୍ଷିତ ଫେରିବା ପାଇଁ ନିଶ୍ଚିତ ହୋଇପାରୁନାହିଁ । ପୋଲିସ ବ୍ୟବସ୍ଥାକୁ ଦଳୀୟ କାର୍ୟ୍ୟରେ ନିୟୋଜିତ କରିବା ଦ୍ୱାରା ଅପରାଧୀଙ୍କର ଆଉ ଭୟ ରହୁନାହିଁ ଏବଂ ଏଭଳି ବେଧଡକ ଜଘନ୍ୟକାଣ୍ଡ ଭିଆଉଛନ୍ତି ।
Comments ସମସ୍ତ ମତାମତ