Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଘୋଷଣା ହୋଇପାରୁନି ବିଜେଡି ରାଜ୍ୟ କାର୍ୟ୍ୟକାରିଣୀ

    Share on :
    ajab-Image
    Date: May 4, 2025    Views: 3888

    ଭୁବନେଶ୍ବର: ବିଜେଡିର ସଭାପତି ନିର୍ବାଚନକୁ ଦୁଇ ସପ୍ତାହ ବିତିଗଲାଣି। ନବୀନ ପଟ୍ଟନାୟକ ନବମ ଥର ରାଜ୍ୟ ସଭାପତି ହେଲେ। କିନ୍ତୁ ରାଜ୍ୟ କାର୍ୟ୍ୟକାରିଣୀର ସଦସ୍ୟ କିଏ, ତାହା ଜଣାପଡ଼ିଲାନି। ସଭାପତିଙ୍କ ଉପରେ ଅନ୍ୟ କର୍ମକର୍ତ୍ତାଙ୍କ ଚୟନ ଛାଡ଼ିଦିଆଯାଇଛି। ତାହା ବି ହୋଇପାରୁନି। ଦଳ ଭିତରେ ଏହାକୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି। କେଉଁ ଅଦୃଶ୍ୟ କାରଣ ପାଇଁ କର୍ମକର୍ତ୍ତା ଘୋଷଣା ହୋଇପାରୁନି, ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡିର ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ପରିଷଦ ଗଠନ ପରେ ରାଜ୍ୟ କାର୍ୟ୍ୟକାରିଣୀ ଗଠନ ହେବ। କାର୍ୟ୍ୟକାରିଣୀ ବୈଠକରେ ସଭାପତି ନିର୍ବାଚନ ହେବ। ଗତ ୧୯ ତାରିଖରେ ସଭାପତି ନିର୍ବାଚନ ଶେଷ ହୋଇଥିଲେ ହେଁ ରାଜ୍ୟ ପରିଷଦ ଓ କାର୍ୟ୍ୟକାରିଣୀ ସଦସ୍ୟଙ୍କ ନାମ ସ୍ପଷ୍ଟ ହେଲାନାହିଁ। ଏପରିକି ରାଜ୍ୟ ପରିଷଦ ପୂର୍ଣ୍ଣାଙ୍ଗ ହୋଇପାରିନି ବୋଲି କୁହାଯାଉଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁଯାୟୀ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଏପ୍ରିଲ୍‌ ୩୦ ସୁଦ୍ଧା ସାରି ନିର୍ବାଚନ କମିସନ୍‌କୁ ଲିଖିତ ଭାବେ ଅବଗତ କରାଇବା ପାଇଁ ସମୟ ନିଆଯାଇଥିଲା। ‌କିନ୍ତୁ ପ୍ରକ୍ରିୟା ଶେଷ ହୋଇପାରିନାହିଁ ବୋଲି ନିର୍ବାଚନ କମିସନ୍‌ଙ୍କ ନିକଟରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟଙ୍କ ତାଲିକା ଦିଆଯାଇ ପାରିନାହିଁ। 
    ଅନ୍ୟପଟରେ ଦଳ ପରିଚାଳନା କ୍ଷେତ୍ରରେ ଭିତରେ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଗଣମାଧ୍ୟମରେ ଏବେ କେହି ଖୋଲା ମନ୍ତବ୍ୟ ଦେଉ ନଥିଲେ ବି ମେଳି ଜାରି ରହିଛି। ବିଭିନ୍ନ ସ୍ଥାନରେ ବରିଷ୍ଠ ଓ ଯୁବ ନେତାମାନେ ଏକାଠି ହୋଇ ରଣନୀତି ଚଳାଇଛନ୍ତି। ରାଜ୍ୟ କାର୍ୟ୍ୟକାରିଣୀ ଓ କର୍ମକର୍ତ୍ତା ମନୋନୟନ ପରେ ହିଁ ସେମାନେ ନିଜ ନିଜ ଭବିଷ୍ୟତ ପନ୍ଥା ବାଛିନେବେ। ନେତାମାନେ ଦଳର ଭବିଷ୍ୟତ ନେଇ ଏବେ ବି ସନ୍ଦିହାନ ଅଛନ୍ତି। ଏହା ଜଣାପଡ଼ିବା ପରେ ସଭାପତିଙ୍କୁ ବିଦ୍ରୋହର ଭୟ ସବୁବେଳେ ଗୋଡ଼ାଉଛି। ସେପଟେ ଆଗଧାଡ଼ିର ନେତାମାନଙ୍କୁ ନବୀନ ସେତେଟା ଗୁରୁତ୍ବ ଦେଉ ନଥିବା ସେମାନେ ଅନୁଭବ କରୁଛନ୍ତି। 

    Maximum 500 characters

    ରାଜନୀତି View all

    Find Us on Facebook