ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି କଳିକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏହା ଭିତରେ ଆଜି ବିଜେଡିର କିଛି ବରିଷ୍ଠ ଓ କିଛି ଯୁବ ନେତୃବୃନ୍ଦ ଭୁବନେଶ୍ୱରସ୍ଥ ଏକ ହୋଟେଲରେ ଏକାଠି ହୋଇଥିଲେ । ଏହି ଅବସରରେ ଏହି ମେଳିରେ ଉପସ୍ଥିତ ବରିଷ୍ଠ ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦୁର୍ବଳ କରିବାକୁ ଚେଷ୍ଟାକଲେ ଆମେ ଛାଡ଼ିବୁନି । କେହି ବି ଦୁର୍ବଳ କରିବାକୁ ଚେଷ୍ଟା କଲେ ବରଦାସ୍ତ କରିବୁନି । ବାହ୍ୟଶକ୍ତି ହେଉ ବା ଦଳ ଭିତରୁ ଚେଷ୍ଟା ହେଲେ ଛାଡ଼ିବୁନି ବୋଲି ଶ୍ରୀ ବେହେରା କହିଛନ୍ତି ।
ସେ କହିଛନ୍ତି, ଦଳୀୟ ରାଜନୀତି ବ୍ୟକ୍ତିମାନେ ଏକାଠି ବସିବାରେ କିଛି ଅସୁବିଧା ନାହିଁ। ଏବେ ବି ଆମ ମନ ଏବଂ ଓଡ଼ିଶାବାସୀଙ୍କ ମନରେ ନବୀନ ବାବୁ ଅଛନ୍ତି। ନିର୍ବିବାଦୀୟ ନେତା ନବୀନ ପଟ୍ଟନାୟକ। ଆମେ ନବୀନଙ୍କ ସାଥିରେ ଅଛୁ, ତାଙ୍କୁ କୌଣସି ବାହ୍ୟଶକ୍ତି ଦୁର୍ବଳ କରିବାକୁ ଆସିଲେ ଆମେ ବରଦାସ୍ତ କରିବୁ ନାହିଁ। ଆମେ ଏକାଠି ବସିବା କଥା ନବୀନ ଜାଣିଛନ୍ତି। ଦଳ ସଭାପତିଙ୍କଠାରୁ ଅନୁମତି ନେଇ ଆମେ ଏକାଠି ବସିଥିଲୁ କହିଛନ୍ତି ଶଶୀଭୂଷଣ ବେହେରା। ଏହି ବୈଠକ ସମ୍ପର୍କରେ ନବୀନ ଅବଗତ ଅଛନ୍ତି ବୋଲି ଅଶୋକ ପଣ୍ଡା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ଶଶୀଭୂଷଣଙ୍କ ସହ ସ୍ୱର ମିଶାଇଛନ୍ତି ଅଶୋକ ପଣ୍ଡା ଓ ନୃସିଂହ ସାହୁ ।
ସେହିପରି ବିଜେଡିର ପୂର୍ବତନ ବିଧାୟକ ଆୟୁବ ଖାଁ କହିଛନ୍ତି, ସମୁଦ୍ର ମନ୍ଥନ ହୋଇଥିଲା। ବିଷ ଆଉ ଅମୃତ ବାହାରିଥିଲା। ଏବେ ବିଜେଡିରେ ମନ୍ଥନ ଚାଲିଛି। ଦଳର ପୁରୁଣା ଓ ସମର୍ପିତ ନେତା ଅମୃତ ପିଇବେ, ବିଷ ଫୋପଡ଼ା ଯିବ। ଯେଉଁମାନେ ଦଳର କ୍ଷତି କରୁଛନ୍ତି ତାଙ୍କୁ ବିଷ ଦିଆଯିବ। ଆମେ ନବୀନଙ୍କ ସପକ୍ଷରେ ଅଛୁ।
ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ନେଇନାହିଁ ଦଳ ।
ସୂଚନା ଥାଉକି, ମଙ୍ଗଳବାର ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବରିଷ୍ଠ ବିଜେଡି ନେତାଙ୍କ ସହ ବୈଠକ କରିଥିଲେ ବିଜେଡି ସୁପ୍ରିମୋ । ତେବେ ଏହି ବୈଠକରେ ଓ୍ୱାକଫ୍ ବିଲ୍ ଚର୍ଚ୍ଚା ନୁହେଁ କେବଳ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଥିଲେ ନେତୃ ବୃନ୍ଦ ।
Comments ସମସ୍ତ ମତାମତ