Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଉତ୍କର୍ଷ ଓଡ଼ିଶା କନକ୍ଲେଭ ମେକ ଇନ ଓଡ଼ିଶାର କପି ପେଷ୍ଟ: ବିଜେଡି

    Share on :
    ajab-Image
    Date: Jan 30, 2025    Views: 3193

    ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ ମାଧ୍ୟମରେ ଯେଉଁ ସବୁ ଶିଳ୍ପ ଅନୁଷ୍ଠାନ ମାନେ ଏମଓୟୁ କରାଗଲା ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଉଛି, ସେଗୁଡିକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଆସିଥିବା ପ୍ରତିଶ୍ରୁତିର ପୁନରାବୃତ୍ତି ହେଉଛି ବୋଲି ବିଜୁ ଜନତା ଦଳ କହିଛି। ଶଙ୍ଖ ଭବନରେ  ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ପୂର୍ବତନ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ପ୍ରଣୟନ କରାଯାଇଥିବା ନୂତନ ଶିଳ୍ପ ନୀତି, ଯଥା ଆଇପିଆର ୨୦୨୨, ନୂତନ ବିସ୍ଥାପନ ନୀତି, ଏକ ସଫଳ ଶିଳ୍ପ ନୀତି ଭାବେ ଆଦୃତ ହୋଇଥିଲା, ଯାହା ମାଧ୍ୟମରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା।
    ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିବା ମେକ ଇନ ଓଡିଶା କାର୍ୟ୍ୟକ୍ରମ ମାଧ୍ୟମରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଥିଲା। ପରବର୍ତ୍ତୀ ସମୟରେ ଏହି ପରିମାଣରୁ ପ୍ରାୟ ୩୩ ପ୍ରତିଶତ ପ୍ରକଳ୍ପ କାର୍ୟ୍ୟକ୍ଷମ ହୋଇପାରିଥିଲା ଓ ଆହୁରି ୧୭ ପ୍ରତିଶତ ପ୍ରକଳ୍ପ କାର୍ୟ୍ୟକ୍ଷମ ହେବାର ଶେଷ ପର୍ୟ୍ୟାୟରେ ପହଞ୍ଚିଥିଲା। ସେହିପରି, ଭଦ୍ରକ ଠାରେ ଟେକ୍ସଟାଇଲ ପାର୍କ, ଅନୁଗୁଳ ଠାରେ ଆଲୁମୁନିୟମ ଡାଉନଷ୍ଟ୍ରିମ ପାର୍କ ଓ କଳିଙ୍ଗ ନଗରରେ ଆଇରନ ଓ ଷ୍ଟିଲ ପାର୍କ ପ୍ରତିଷ୍ଠା ହେବା ସହିତ ପାରାଦ୍ୱୀପ ଠାରେ ପେଟ୍ରୋ କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି। ଶିଳ୍ପ କ୍ଷେତ୍ରରେ ଏହି କାର୍ୟ୍ୟ ଯୋଗୁଁ ରାଜ୍ୟର ପ୍ରାୟ ତିନି ଲକ୍ଷ ଲୋକ ଶିଳ୍ପ ଅନୁଷ୍ଠାନ ଗୁଡିକରେ ସିଧାସଳଖ ନିଯୁକ୍ତି ପାଇ ପାରିଛନ୍ତି। ଅପରପକ୍ଷରେ, ରାଜ୍ୟର ଶିଳ୍ପାୟନ ଓ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅନୁମୋଦନ ନମିଳି ପାରିବାରୁ ଅନେକ ପ୍ରକଳ୍ପ କାମ ଆଗକୁ ବଢ଼ିପାରିନାହିଁ। ରାଜ୍ୟର ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅନୁମୋଦନ ଅପେକ୍ଷାରେ ଅଛି, ଯାହା ମଧ୍ୟରୁ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ଅନ୍ୟତମ।ଶ୍ରୀ ମିଶ୍ର କହିଥିଲେ, ବର୍ତ୍ତମାନର ସରକାର କ୍ଷମତାକୁ ଆସିବାର ସାତ ମାସ ବିତି ଯାଇଥିଲେ ସୁଦ୍ଧା ଶିଳ୍ପ ପ୍ରତିଷ୍ଠା ଦିଗରେ ଗୋଟିଏ ବି ନୂତନ ନୀତି କରିନାହାନ୍ତି। ନୂତନ ସରକାର ଆସିବା ପରେ ଶିଳ୍ପ ଅନୁଷ୍ଠାନରେ ଜଣେ ବି ନୂତନ ନିଯୁକ୍ତି ପାଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଡାକି ଆୟୋଜିତ ହେଉଥିବା ଉକ୍ରର୍ଷ ଓଡିଶା କନକ୍ଲେଭରେ କେବଳ ପୂର୍ବରୁ ମେକ ଇନ ଓଡିଶା କାର୍ୟ୍ୟକ୍ରମ ମାଧ୍ୟମରେ ଆସିଥବା ଶିଳ୍ପ ଅନୁଷ୍ଠାନ ଗୁଡିକ କରିଥିବା ପ୍ରତିଶ୍ରୁତିକୁ ପୁନରାବୃତ୍ତି କରୁଛନ୍ତି। ସୁତରାଂ, ଉତ୍କର୍ଷ ଓଡ଼ିଶା କନକ୍ଲେଭ ବାସ୍ତବରେ ମେକ ଇନ ଓଡ଼ିଶାର କପି ପେଷ୍ଟ ବୋଲି ଶ୍ରୀ ମିଶ୍ର କହିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook