ମୁଖ୍ୟ ଖବର
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁବାର ୧୦ଟା ୩୦ରେ ହେବ ବିଜେଡିର ବିଧାୟକ ଦଳ ବୈଠକ । ବୈଠକରେ ବିରୋଧୀଙ୍କୁ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବ । ଶାସକ ଦଳ ବିରୋଧୀଙ୍କୁ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ଅଛି ବୋଲି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।
ବୈଠକରେ କେନ୍ଦ୍ର ଅବହେଳାକୁ କିଭଳି ମୁଖ୍ୟ ଅସ୍ତ୍ର କରାଯିବ, ସେନେଇ ଆଲୋଚନା ହେବ । ଦୀର୍ଘ ଦିନ ହେବ ରେଳ ବିକାଶ କ୍ଷେତ୍ରରେ କେନ୍ଦ୍ର କିଭଳି ଓଡ଼ିଶାକୁ ଅବହେଳା କରି ଚାଲିଛି ସେ ନେଇ ଶାସକ ଦଳ ଗୃହରେ ଆଲୋଚନା କରିବ । ରେଳ ମନ୍ତ୍ରଣାଳୟ ପ୍ରତିବର୍ଷ ଓଡ଼ିଶାରୁ ପ୍ରାୟ ୨୦ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିବା ବେଳେ ଜାତୀୟ ହାର ତୁଳନାରେ ଓଡ଼ିଶାରେ ରେଳ ସାନ୍ଧ୍ରତା କମ୍ ରହିଛି ।
ରେଳ ସାନ୍ଧ୍ରତାର ଜାତୀୟ ହାର ୨୧ ଥିବା ବେଳେ ଓଡ଼ିଶାରେ ୧୮ ଥିବାରୁ ଦଳର ନେତାମାନେ କ୍ଷୋଭ ଜାହିର କରିବେ । ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡ଼ାକୁ ରେଳ ସଂଯୋଗ ନେଇ ବି ଦଳ କେନ୍ଦ୍ରକୁ ଟାର୍ଗେଟ୍ କରିବ । ସେହିପରି ଏଫ୍ସିଆଇ ଓଡ଼ିଶାର ବଳକା ଧାନ ନ କିଣିବା, ଓଡ଼ିଶାକୁ ସ୍ପେଶାଲ୍ ଫୋକସ୍ ଷ୍ଟେଟ୍ ମାନ୍ୟତା ପ୍ରସଙ୍ଗକୁ ଦଳ ଉଠାଇବ ବୋଲି ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ