Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜନ ସମସ୍ୟାକୁ ନେଇ ବିଧାନସଭାରେ ପହଞ୍ଚାଇବାରେ ମାହିର ଥିଲେ ବିଷ୍ଣୁ ସେଠୀ

    Share on :
    ajab-Image
    Date: Sep 19, 2022    Views: 2963

    ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ହାତଗଣତି କିଛି ଟାଣୁଆ ରାଜନେତାଙ୍କ ମଧ୍ୟରେ ବିଷ୍ଣୁ ଚରଣ ସେଠୀଙ୍କ ନାଁ ରହିଛି। ୧୯୬୧ ମସିହା ଜୁନ ମାସ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ଗାଁରେ ଜନ୍ମଗ୍ରହଣ କରିଥିଲେ ବିଷ୍ଣୁ। ଭାରତୀୟ ଜନତା ପାର୍ଟିର ଏହି ବିଧାୟକ ଜନ ସମସ୍ୟାକୁ ନେଇ ବିଧାନସଭାରେ ପହଞ୍ଚାଇବାରେ ଥିଲେ ମାହିର।

    ତିହିଡ଼ି ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସାରିଥିଲେ। ତାଙ୍କର ପ୍ରଥମ ରାଜନୈତିକ ମୂଳଦୂଆ ପଡ଼ିଥିଲା ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦାନରୁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଇତିହାସ ଏବଂ ଲାଇବ୍ରେରୀ ସାଇନ୍ସରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ସେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। ସେ ଦୁଇଥର ଓଡିଶା ଜନସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

    ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଦିନ୍‌ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ପ୍ରଭାବିତ ହୋଇ ବିଷ୍ଣୁ ସେଠୀଙ୍କ ପ୍ରଥମ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଜଣେ ସଦସ୍ୟ ଭାବରେ ପ୍ରଥମେ ପରିଚୟ ପାଇଥିଲେ ବିଷ୍ଣୁ। ଭାରତରେ ବିଜେପିର ଉତ୍ଥାନ ସମୟରେ ଅଟଳ ବିହାରୀ ବାଜପେୟୀ ଏବଂ ଆଡଭାନୀଙ୍କ ନେତୃତ୍ୱରେ ଶ୍ରୀ ସେଠୀ ୩୦ ବର୍ଷ ବୟସରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ସାଂସନ ପ୍ରାର୍ଥୀ ଭାବରେ ବିଜେପିରୁ ଛିଡା ହୋଇଥିଲେ। ତା’ପରେ ତାଙ୍କୁ ଓଡିଶା ରାଜ୍ୟ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଭଦ୍ରକରେ ଏକ ବୃହତ ରାଜନୈତିକ ପ୍ରତିଷ୍ଠା କରିବାକୁ ଆଗେଇ ଆସିଥିଲା। ସେ ତାଙ୍କ ଦଳ ପକ୍ଷରୁ ତିନିଥର ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିଲେ।

    ୧୯୯୫ ମସିହାରେ ସେ ଭାରତୀୟ ଜନତା ପାର୍ଟିର ଜାତୀୟ ପରିଷଦର ସଦସ୍ୟ ଭାବରେ ଦାୟୀତ୍ବ ନେଇଥିଲେ। ତା’ପରେ ସେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଓଡିଶା ରାଜ୍ୟ ଉପାଧ୍ୟକ୍ଷ ଭାବରେ ନିଜର କାର୍ୟ୍ୟ ସମ୍ପାଦନ କରିଥିଲେ। ୨୦୦୦ ମସିହାରେ ଶ୍ରୀ ସେଠୀ ଚନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ପ୍ରଥମ ଥର ସଦସ୍ୟତା ସମୟରେ ସେ ଓଡିଶା ପକ୍ଷରୁ କର୍ଣ୍ଣାଟକ ରାଜ୍ୟସଭା ଆନୁମାନିକ କମିଟିରେ ଆଲୋଚନାରେ ଭାଗ ନେଇଥିଲେ। ୨୦୦୪ରେ ବିଷ୍ଣୁ ସେଠୀ ପୁନର୍ବାର ବିଜେପି ଏବଂ ବିଜେଡି ମିଳିତ ମିଳିତ ମଞ୍ଚର ବିଧାୟକ ପ୍ରାର୍ଥୀ ଭାବରେ ସାମ୍ନାକୁ ଆସିଥିଲେ ବି ଜନମତ ହାସଲ କରିପାରିନଥିଲେ।

    ୨୦୦୬ ମସିହାରେ ସେ ଓଡିଶା ରାଜ୍ୟ କାଜୁ ବିକାଶ ନିଗମର ଚେୟାରମ୍ୟାନ୍ ଭାବରେ ମନୋନୀତ ହୋଇଥିଲେ। ନିଗମର ଚେୟାରମ୍ୟାନ୍ ହୋଇ ସେ ହଠାତ୍ ଓଡିଶାରେ କାଜୁ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ବୃଦ୍ଧି କରିବା ଭରି ଯୁୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ଏବଂ ଗୋଆ ସମ୍ମିଳନୀ ପୂର୍ବରୁ ତମାମ ଦସ୍ତାବିଜ ହସ୍ତାନ୍ତର କରିଥିଲେ।

    ୨୦୦୯ ଏବଂ ୨୦୧୪ରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ବିଷ୍ଣୁ ସେଠୀ ପୁଣି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତଥାପି ବହୁମତ ହାସଲ କରିପାରିନଥିଲେ। ପରାଜୟ ନିର୍ବିଶେଷରେ, ତାଙ୍କର ବକ୍ତୃତା ତଥା ସାଂଗଠନିକ ଦକ୍ଷତା ଅନୁଯାୟୀ ସେ ପୂର୍ବ ଓଡିଶାର ଭାରତୀୟ ଜନତା ପାର୍ଟିର ଉପନେତା ହୋଇଥିଲେ। ୨୦୧୬ରେ ସେ ଓଡିଶା ବିଜେପିର ରାଜ୍ୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ୨୦୧୯ରେ ନିର୍ବାଚନ ଜିତି ବର୍ତ୍ତମାନ ସେ ଓଡିଶା ବିଧାନସଭାର ସକ୍ରୀୟ ସଦସ୍ୟ ଅଛନ୍ତି।
     ଦିର୍ଘଦିନ ଧରି କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିବା ବିଷ୍ଣୁ ଚରଣ ସେଠୀଙ୍କର ଆଜି ଭୁବନେଶ୍ବର ଏମ୍ସରେ ୬୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। 

    Maximum 500 characters

    ରାଜନୀତି View all

    Find Us on Facebook