ମୁଖ୍ୟ ଖବର
ଆନ୍ଧ୍ରପ୍ରଦେଶ: ଧମାକାଦାର ଲଞ୍ଚିଂ ପରେ ନୂଆ ଇତିହାସ ରଚିଲା 'ବିକ୍ରମ-୧'ର । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ପୁନର୍ବାର କାଉଣ୍ଟଡାଉନ ପରେ ଆଜି ମହାକାଶକୁ ଉଡ଼ାଣ ଭରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୨ଟା ୦୫ ମିନିଟ ଏହି ବହୁ ପ୍ରତିକ୍ଷିତ ରକେଟ୍ର ଉତକ୍ଷେପଣ କରାଯାଇଛି । ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ । ଏହି ଅତ୍ୟାଧୁନିକ ରକେଟ୍କୁ ହାଇଦ୍ରାବାଦର ପ୍ରସିଦ୍ଧ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ 'ସ୍କାଇରୁଟ୍ ଏରୋସ୍ପେସ୍' ପ୍ରସ୍ତୁତ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରକେଟ୍ ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତାର ପ୍ରମାଣ ଦେଉଛି । ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ 'ସ୍କାଇରୁଟ୍ ଏରୋସ୍ପେସ୍'ର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-୧' ମିଶନ ଆଗମନ ଉତକ୍ଷେପଣ ହେବାର ଥିଲା । ମାତ୍ର ଉଡ଼ାଣର ଠିକ୍ ୫ ମିନିଟ୍ ପୂର୍ବରୁ ଅର୍ଥାତ୍ ୧୧:୨୫ ରେ ଏହାକୁ ମିଶନ କଣ୍ଟ୍ରୋଲ୍ ଟିମ୍ ଦ୍ୱାରା "ପ୍ଲାନଡ୍ ହୋଲ୍ଡ" ରେ ରଖାଯାଇଥିଲା । ରକେଟ୍ଟି ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ୍ରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା ଏବଂ ଗ୍ରୀନ୍ ସିଗନାଲ୍ ମିଳିବା ମାତ୍ରେ ୧୨.୦୫ରେ ଏହା ଉଡ଼ାଣ ଭରିଥିଲା ।
ଏହା ଦେଶର ପ୍ରଥମ ବେସରକାରୀ ରକେଟ୍ ଯାହା ଉପଗ୍ରହଗୁଡ଼ିକୁ କକ୍ଷପଥରେ ସ୍ଥାପିତ କରି ଭାରତୀୟ ସ୍ପେସ୍ ସେକ୍ଟରରେ ଏକ ନୂଆ ଯୁଗର ଆରମ୍ଭ କରିବ । ପାରମ୍ପରିକ ଷ୍ଟିଲ୍ ବଦଳରେ ଏହାକୁ ସମ୍ପୂର୍ଣ୍ଣ ହାଲୁକା ଓ ଶକ୍ତ 'ଅଲ୍-କାର୍ବନ କମ୍ପୋଜିଟ୍'ରେ ତିଆରି କରାଯାଇଛି, ଯାହା ଏହାର କ୍ଷମତା ବଢ଼ାଇଥାଏ । ଏହି ରକେଟ୍ର ଅର୍ବିଟାଲ୍ ଆଡଜଷ୍ଟମେଣ୍ଟ ମଡ୍ୟୁଲ୍ରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ 3D-ପ୍ରିଣ୍ଟେଡ୍ ଲିକ୍ୱିଡ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ମିଶନ ସହିତ 'EMBRACE' ଟେକ୍ନୋଲୋଜି ଯାଉଛି, ଯାହା ଭବିଷ୍ୟତରେ ମହାକାଶରେ ଜମା ହେଉଥିବା ଆବର୍ଜନାକୁ ସଫା କରିବା ପାଇଁ ରୋବୋଟିକ୍ ଆର୍ମର ପରୀକ୍ଷଣ କରିବ । ଏଥିରେ ଡ. ବିକ୍ରମ ସାରାଭାଇ, ସିଭି ରମଣ ଏବଂ ଡ. ଏପିଜେ ଅବଦୁଲ କଲାମଙ୍କର ଚାଉଳ ଦାନାଠୁ ଛୋଟ ସୁନାର ମୂର୍ତ୍ତି, ଏକ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବନ୍ଦେ ମାତରମ୍' ଶୁଭେଚ୍ଛା ବାର୍ତ୍ତା ମହାକାଶକୁ ପଠାଯାଉଛି ।
ସୂଚନାଯୋଗ୍ୟ ଯେ, ସ୍କାଇରୁଟ୍ କମ୍ପାନୀ ଏହା ପୂର୍ବରୁ ୨୦୨୨ ମସିହାରେ ‘ବିକ୍ରମ-ଏସ୍’ ନାମକ ଏକ ସବ୍-ଅର୍ବିଟାଲ୍ ରକେଟ୍ ସଫଳତାର ସହ ଲଞ୍ଚ କରିସାରିଛି । ତେବେ ସେହି ମିଶନରେ କୌଣସି ସାଟେଲାଇଟ୍କୁ କକ୍ଷପଥରେ ସ୍ଥାପିତ କରାଯାଇ ନଥିଲା । ‘ବିକ୍ରମ-୧’ ଏକାଧିକ ଗ୍ରାହକଙ୍କ ଛୋଟ ଛୋଟ ସାଟେଲାଇଟ୍କୁ ପୃଥିବୀ ପୃଷ୍ଠରୁ ପ୍ରାୟ ୪୫୦ କିଲୋମିଟର ଉଚ୍ଚରେ ଥିବା ଲୋ-ଅର୍ଥ ଅର୍ବିଟରେ ପହଞ୍ଚାଇବ । କମ୍ପାନୀର ତିନୋଟି ଗୁରୁତ୍ୱପୂର୍ଣ୍ଣ ଡେଭେଲପମେଣ୍ଟ ମିଶନ୍ ମଧ୍ୟରୁ ଏହା ପ୍ରଥମ । ଏହି ମିଶନ୍ ସଫଳ ହେବା ପରେ, ରକେଟ୍କୁ ନିୟମିତ କମର୍ସିଆଲ୍ ଲଞ୍ଚିଂ ପାଇଁ ବ୍ୟବହାର କରାଯିବ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ର ଦୁଇ ଜଣ ପୂର୍ବତନ ଇଞ୍ଜିନିୟର ପବନ କୁମାର ଚନ୍ଦାନା ଏବଂ ନାଗା ଭରତ ଡାକାଙ୍କ ମିଳିତ ପ୍ରୟାସରେ ୨୦୧୮ ମସିହାରେ ସ୍କାଇରୁଟ୍ ଏରୋସ୍ପେସ୍ର ଜନ୍ମ ହୋଇଥିଲା । ୨୦୨୦ ମସିହାରେ ଯେତେବେଳେ ଭାରତ ସରକାର ସ୍ପେସ୍ ସେକ୍ଟରକୁ ବେସରକାରୀ କମ୍ପାନୀଗୁଡ଼ିକ ପାଇଁ ସୁଯୋଗ ଦେଲେ, ସେତେବେଳେ ସ୍କାଇରୁଟ୍ ରକେଟ୍ ନିର୍ମାଣ କାର୍ଯ୍ୟକୁ ଆହୁରି ତେଜ୍ କରିଦେଇଥିଲା । ଆଉ ଆଜି ‘ବିକ୍ରମ-୧’ ସେହି କଠିନ ପରିଶ୍ରମର ସବୁଠାରୁ ବଡ଼ ସଫଳତା ଭାବେ ଉଭା ହୋଇଛି ।
Comments ସମସ୍ତ ମତାମତ