ମୁଖ୍ୟ ଖବର
ନୂଆଦିଲ୍ଲୀ:୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତମିଲଗା ଭେଟ୍ଟ୍ରୀ କଜଗମ(TVK) ଶୁକ୍ରବାର ଆନୁଷ୍ଠାନିକ ଭାବେ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳର ମୁଖ୍ୟ ତଥା ପ୍ରତିଷ୍ଠାତା ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ସ୍ପଷ୍ଟ କରି ଦେଇଛନ୍ତି ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହିତ ମେଣ୍ଟ କରିବ ନାହିଁ।
ବିଜୟ କହିଛନ୍ତି ଯେ ତାଙ୍କ ଦଳର ଆଦର୍ଶ ସହିତ ବିଜେପିର ଆଦର୍ଶ ମିଶୁନାହିଁ। ବିଜେପି ଅନ୍ୟ କୌଣସି ସ୍ଥାନରେ ବିଷର ମଞ୍ଜି ବୁଣିପାରେ, କିନ୍ତୁ ତାମିଲନାଡୁରେ ନୁହେଁ। ଆପଣ ଅନ୍ନା ଓ ପେରିୟରଙ୍କୁ ବିରୋଧ କିମ୍ବା ଅପମାନିତ କରିପାରିବେ ନାହିଁ କି ତାମିଲନାଡୁରେ ଜିତି ପାରିବେ ନାହିଁ। ‘ଟିଭିକେ’ ଡିଏମ୍କେ ବା ଏଆଇଏଡିଏମ୍କେ ନୁହେଁ ଯେ ବିଜେପି ସହିତ ହାତ ମିଶାଇବ। ଟିଭିକେ ସର୍ବଦା ଡିଏମ୍କେ ଓ ବିଜେପିକୁ ବିରୋଧ କରିବ।
ଆଜି ବସିଥିବା ଦଳର ଏକ କମିଟି ବୈଠକରେ ଅନେକଗୁଡ଼ିଏ ପ୍ରସ୍ତାବ ପାରିତ ହୋଇଛି। ଆଗାମୀ ମାସଗୁଡ଼ିକରେ ଦଳର ଆଭିମୁଖ୍ୟ ଓ ରଣନୀତିକୁ ନେଇ ଏହି ପ୍ରସ୍ତାବଗୁଡ଼ିକ ପାରିତ ହୋଇଛି।
ଆଗକୁ ନିର୍ବାଚନ ଥିବା ବେଳେ ଦଳ କାହା ସହିତ ମେଣ୍ଟ କରିବ ବା ନକରିବ, ସେ ନେଇ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା ସଂପୂର୍ଣ୍ଣ ଭାବେ ବିଜୟଙ୍କୁ ଦିଆଯାଇଛି। ନିର୍ବାଚନ ପୂର୍ବରୁ ଦଳ ତା’ର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ଦଳ ରାଜ୍ୟରେ ୨ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।
Comments ସମସ୍ତ ମତାମତ