ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନ। ଆଜି ଶେଷଦିନରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ଵର ହୋତା। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୨ ସେଟ୍ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କମନ୍ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଦତ୍ତେଶ୍ଵର ହୋତାଙ୍କ ନାମାଙ୍କନ ପରେ ପିିସିସି ସଭାପତି ଭକ୍ତଚରଣ ଦାସ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ଅଜାଡ଼ି ଦେଇଛନ୍ତି । ଭକ୍ତ କହିଛନ୍ତି ବହୁ ବର୍ଷ ପରେ ଓଡ଼ିଶାର ସମଭାବାପନ୍ନ ଦଳମାନେ ଏକାଠି ହେଲେ । ବିଜେଡି-କଂଗ୍ରେସ-ସିପିଏମ ଏକାଠି ହେବା ରାଜନୈତିକ ନିଷ୍ପତ୍ତି । ଆଦରଣୀୟ ନବୀନ ବାବୁଙ୍କ ନିଷ୍ପତ୍ତିକୁ ଏଆଇସିସି ଗ୍ରହଣ କଲା । ଆମେ କଥାବାର୍ତ୍ତା ହୋଇ ରାଜ୍ୟ ହିତରେ କମନ କ୍ୟାଣ୍ଡିଡେଟ କଲୁ । ନବୀନ ବାବୁ ସ୍ପଷ୍ଟଭାବେ ସମାଜବାଦୀ ଓ ସମଭାବାପନ୍ନ ଦଳଙ୍କ କଥା କହିଛନ୍ତି । ତେଣୁ ଓଡ଼ିଶା ରାଜନୀତିରେ ଏହା ଏକ ଐତିହାସିକ ପଦକ୍ଷେପ । ଓଡ଼ିଶାରେ ନବୀନ ବାବୁଙ୍କର ନାହିଁନଥିବା ଲୋକପ୍ରିୟତା ରହିଛି । ଭୋଟ ପ୍ରତିଶତରେ ଆଜି ବି ସେ ରାଜ୍ୟରେ ସବୁଠୁ ଅଧିକ ଅଛନ୍ତି । ନବୀନ ବାବୁଙ୍କ ଏହି ନିଷ୍ପତ୍ତି ବହୁତ ବଡ଼ । ପୂର୍ବରୁ ବିଜୁ ବାବୁ ଏପରି କରୁଥିଲେ । ସେତେବେଳେ ବିଜୁ ବାବୁଙ୍କ ନିଷ୍ପତ୍ତିକୁ ଭାରତ ବର୍ଷର ନେତାମାନେ ଗ୍ରହଣ କରୁଥିଲେ । ପଞ୍ଚାୟତ ଓ ଅନ୍ୟ ନିର୍ବାଚନ ନେଇ ପରବର୍ତ୍ତୀ ଅବସ୍ଥାରେ ନିଷ୍ପତ୍ତି ନେବୁ ବୋଲି ଭକ୍ତ ଦାସ କହିଛନ୍ତି ।
ତେବେ ସଂତୃପ୍ତ ଓ ଦତ୍ତେଶ୍ୱର ନାମାଙ୍କନ ଭରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରାର୍ଥିପତ୍ର ଦାଖଲ କରିଥିବା ଦୁଇ ପ୍ରାର୍ଥୀଙ୍କୁ ସ୍ୱାଗତ କରୁଛି । ସେହିପରି ଧର୍ମନିରପେକ୍ଷ ମେଣ୍ଟ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ସମୟ ଭବିଷ୍ୟତ କହିବ ।
Comments ସମସ୍ତ ମତାମତ