Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    Share on :
    ajab-Image
    Date: Jul 18, 2025    Views: 2323

    ଭୁବନେଶ୍ୱର : ଆସନ୍ତା ଚବିଶ ତାରିଖ ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟରର ପୀଡ଼ିତା ସୌମ୍ୟାଶ୍ରୀଙ୍କ ଏକଦଶାହ। ତେବେ ଏହି ଦିବସକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ, ବାମ ଦଳ, ଆରଜେଡି, ଏସପି ସମେତ ଇଣ୍ଡିଆ ମେଣ୍ଟର ଆଠ ଦଳ। ସାରା ରାଜ୍ୟରେ ମହିଳା କଂଗ୍ରେସ ସହିତ ଆଠ ଦଳର ମହିଳା ସେଲ ଏହାକୁ ପାଳନ କରିବେ। କେବଳ ବାଲେଶ୍ଵର ପୀଡ଼ିତା ନୁହନ୍ତି ବାକି ଯେଉଁ ମହିଳା ଓ ଝିଅଙ୍କ ପ୍ରତି ଅଘଟଣ ହୋଇଛି ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯିବ । ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ୨ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

    ଆଠ ଦଳ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଥିଲେ, ସରକାରୀ ସମେତ ସବୁ ବେସରକାରୀ ଅନୁଷ୍ଠାନ ମଧ୍ୟ ୧ ମିନିଟ ନୀରବ ପ୍ରାର୍ଥନା ଲାଗି ଅନୁରୋଧ କରୁଛୁ । ତେବେ ରାଜ୍ୟରେ ନିର୍ୟାତିତ ମହିଳାଙ୍କ ଲାଗି ମହିଳା ସେଲ ଖୋଲିବ ପିସିସି । ସେମାନେ ଆପ ମାଧ୍ୟମରେ ଅଭିଯୋଗ କରିବା ପରେ ପିସିସି ଅନୁଧ୍ୟାନ କରି ତଦନ୍ତରେ ସହଯୋଗ କରିବ। ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ବଡ ନିଷ୍ପତି ହୋଇଥିବା ଭକ୍ତ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଲେ, ସୌମ୍ୟାଶ୍ରୀଙ୍କ ପ୍ରସଙ୍ଗ ଆଗାମୀ ଦିନରେ ବିଧାନସଭାରେ ଉଠିବ। ଆଗରୁ ନାରୀ ସୁରକ୍ଷା ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇଥିଲା। ହେଲେ ରାଜ୍ୟ ସରକାର ଶୁଣିନଥିଲେ । ଯେ ପର୍ୟ୍ୟନ୍ତ ଝିଅ ନ୍ୟାୟ ନ ପାଇଛି, ଆନ୍ଦୋଳନ ଜାରି ରହିବ ବୋଲି କଡ଼ାମ କହିଛନ୍ତି।

    ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଆସନ୍ତାକାଲି ଦିଲ୍ଲୀରେ ବସିବ ଇଣ୍ଡିଆ ବ୍ଲକ ବୈଠକ। ଏହି ବୈଠକରେ ଉଠିବ ବାଲେଶ୍ଵର ପୀଡ଼ିତା ପ୍ରସଙ୍ଗ। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ସଂସଦରେ ଉଠାଇବେ। କଂଗ୍ରେସ ଦାବି କରୁଛି, ଏହି ଘଟଣାରେ ନ୍ୟାୟିକ ତଦନ୍ତ ହେଉ। ଉଚ୍ଚତମ ନ୍ୟାୟାଳୟ ଜଜ୍ ଘଟଣାର ତଦାରଖ କରନ୍ତୁ। ତୁରନ୍ତ ରାଜ୍ୟ ସରକାର ମହିଳା କମିଶନ ନିଯୁକ୍ତି କରନ୍ତୁ ବୋଲି କଂଗ୍ରେସ ପ୍ରଭାରୀ ଶ୍ରୀ ଲଲ୍ଲୁ କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ଭାରତ ଇତିହାସରେ ଏଭଳି ଶାନ୍ତିପୂର୍ଣ୍ଣ ବନ୍ଦ ପ୍ରଥମ। ଆଗାମୀ ଦିନରେ ସମସ୍ତେ ମହିଳା ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିବେ। ସେହିଭଳି ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ କହିଥିଲେ, ଏଭଳି ବନ୍ଦ ପରେ ରାଜ୍ୟ ସରକାର ନିଜ ପଦରେ ନରହି ତୁରନ୍ତ ଇସ୍ତଫା ଦେବା ଉଚିତ। କ୍ରାଇମବ୍ରାଞ୍ଚ ତଦନ୍ତ ନକରି, ନ୍ୟାୟିକ ତଦନ୍ତ ହେଉ। ଫରୱାର୍ଡ଼ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର କହିଥିଲେ, ବିକେପି କର୍ମୀ ମଧ୍ୟ ରାସ୍ତାକୁ ଆସିନଥିଲେ। ସେମାନେ ମଧ୍ୟ ନିଜ ସରକାରକୁ ନୀରବ ଭାବେ ବିରୋଧ କରିଛନ୍ତି।ସମାଜବାଦୀ ପାର୍ଟିର ପ୍ରତାପ ବାରିକ ଓ ବିକ୍ରମ ସ୍ୱାଇଁ ପ୍ରମୁଖ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook