ମୁଖ୍ୟ ଖବର
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରୁଥିବା ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । କେନ୍ଦ୍ର ସରକାର ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଜଗମୋହନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରିଥିଲେ । ତେବେ ଜଗମୋହନଙ୍କ ଇସ୍ତଫା ସେପ୍ଟେମ୍ବର ୧୧ରୁ କାର୍ଯ୍ୟକାରୀ ହୋଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି । ଖୁବଶୀଘ୍ର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାକୁ ନୂଆ ଡିସିପି ନିଯୁକ୍ତ କରାଯିବ ନେଇ ସୂଚନା ।ଗତ ଜୁଲାଇ ୬ରେ ଇସ୍ତଫା ନେଇ ଖବର ସାମ୍ନାକୁ ଆସିବା ପରେ ଜଗମୋହନ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ‘ପାଖାପାଖି ୧୩ ବର୍ଷର ଚାକିରି କାଳ ପରେ କିଛିଦିନ ପୂର୍ବରୁ ମୁଁ ଇସ୍ତଫା ପତ୍ର ଦାଖଲ କରିଛି । ଏହା ବିଚାରଧୀନ ଅଛି । ବନ୍ଧୁ ଓ ପରିବାର ଲୋକଙ୍କ ସହ କଥା ହୋଇ ବହୁତ ଦିନ ପରେ ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ ବ୍ୟକ୍ତିଗତ କାରଣ ରହିଛି । ଏହାକୁ ସମ୍ମାନ ଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।’
ଜଗମୋହନ ମୀନା ଆହୁରି କହିଥିଲେ ଯେ, ଓଡ଼ିଶାରେ ବିଭିନ୍ନ ପଦ ପଦବୀରେ କାମ କରିଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛି । ଟ୍ରେନିଂ ଆରମ୍ଭରୁ ଗଞ୍ଜାମରେ କ୍ୟାରିଅର ଆରମ୍ଭ ହେଲା । କଳାହାଣ୍ଡିରେ SDPO ରହିଥିଲି । ମାଲକାନଗିରି, ଅନୁଗୋଳ, ଗଞ୍ଜାମରେ SP ଏବଂ କଟକ ଡିସିପି ଭାବେ କାର୍ଯ୍ୟ କରିଥିଲି । ଏସବୁ ସୁଯୋଗ ପାଇଁ ଓଡ଼ିଶାର ଲୋକ ଏବଂ ରାଜ୍ୟ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି ।
୨୦୨୫ ଫେବ୍ରୁଆରୀରେ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂଆ ନିଯୁକ୍ତି ଦିଆଯାଇଥିଲା । ୨୦୨୫ ମାର୍ଚ୍ଚ ୫ରେ ମୀନା ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ବିଦାୟୀ ଡିସିପି ପିନାକ ମିଶ୍ରଙ୍କ ଠାରୁ ସେ ଏହି ଦାୟିତ୍ୱ ନେଇଥିଲେ । ମୀନା ପୂର୍ବରୁ ଅନୁଗୋଳ ଓ ଗଞ୍ଜାମ ଏସ୍ପି ଏବଂ କଟକ ୟୁପିଡି ଡିସିପି ଭାବେ ମଧ୍ୟ କାମ କରିଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ରାଜ୍ୟ ସରକାରଙ୍କ ନିକଟରେ ଗତ ଜୁନରେ ଇସ୍ତଫା ପତ୍ର ଦାଖଲ କରିଥିଲେ ।
Comments ସମସ୍ତ ମତାମତ