ମୁଖ୍ୟ ଖବର
କଟକ: ଘରୋଇ ହିଂସା ଅଭିଯୋଗ ମାମଲାରୁ ମୁକ୍ତ ହେଲେ ସିନେ ଷ୍ଟାର ଅନୁଭବ ମହାନ୍ତି । ଅନୁଭବଙ୍କ ବିରୁଦ୍ଧରେ ତାଙ୍କ ପୂର୍ବ ପତ୍ନୀ ବର୍ଷା, ଘରୋଇ ହିଂସା ସମେତ ଅନ୍ୟ ଯେଉଁ ସବୁ ଅଭିଯୋଗ ଆଣି ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ ତାହା ଖାରଜ ହୋଇଛି । ଯେହେତୁ ମାମଲା ଯୋଗ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇପାରିଲା ନାହିଁ, ତେଣୁ ବର୍ଷାଙ୍କୁ କ୍ଷତି ପୂରଣ ଅବା ଭରଣପୋଷଣ ଲାଗି ଅନୁଭବଙ୍କୁ କିଛି ଦେବାକୁ ହେବ ନାହିଁ ବୋଲି ଜେଏମ୍ଏଫ୍ସି କୋର୍ଟ କଟକ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ୨୦୨୨ ମସିହାରେ ବର୍ଷା ଅନୁଭବ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିଲେ ସଂଗୀନ ଅଭିଯୋଗ । ଶାଶୁଘରେ ତାଙ୍କୁ ପାରିବାରିକ ହିଂସାର ଶିକାର ହେବାକୁ ପଡୁଛି ବୋଲି ବର୍ଷା ଅଭିଯୋଗ କରି ଜେଏମ୍ଏଫ୍ସି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ୟାତନା ଦିଆଯାଉଛି, ତେଣୁ କ୍ଷତିପୂରଣ ବାବଦରେ ଏକ ନିର୍ଦ୍ଧିଷ୍ଟ ଅର୍ଥରାଶି ଦେବା ସହିତ ଭରଣପୋଷଣ ଲାଗି ଦାବି କରିଥିଲେ ବର୍ଷା । ଯାହାର ରାୟ ପ୍ରକାଶ କରିବା ସହିତ ବର୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।
ସୂଚନାଯୋଗ୍ୟ, ବର୍ଷକ ପୂର୍ବରୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ୨୦୨୪ ଫେବ୍ରୁଆରୀ ୮ରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ବର୍ଷାଙ୍କ ସହ ଛାଡ଼ପତ୍ର ହୋଇଥିବା ଅନୁଭବ ଘୋଷଣା କରିଥିଲେ । ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର ମୂଳ ମାମଲା ୨୦୨୦ ଜୁଲାଇ ୬ରେ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ପରେ ସର୍ବୋଚ୍ଚ ଅଦାଲତ ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ ହାଜର ହୋଇଥିଲେ । ସେବେଠାରୁ ଉଭୟ ଉଭୟଙ୍କ ନାଁରେ ଅନେକ ମୋକଦ୍ଦମା ରୁଜୁ କରିଥିଲେ ।ତେବେ କଟକ ପରିବାର ଅଦାଲତରେ ବିବାହ ବିଚ୍ଛେଦ ଆବେଦନ ଖାରଜ ହେବା ପରେ ଅନୁଭବ ମହାନ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨୦୨୩ ଡିସେମ୍ବର ୨୧ରେ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କରି ମାମଲାର ଶୁଣାଣି କରିଥିଲେ। ପରେ ଉଭୟଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିଲେ ।
୨୦୨୪ ଫେବ୍ରୁଆରୀ ୮ରେ ନିଜେ ଅନୁଭବ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରି ବିବାହ ବିଚ୍ଛେଦ କଥା ଘୋଷଣା କରିଥିଲେ । ସେ ଲେଖିଥିଲେ, ''ଏହି ଲଢେଇରେ ମୋର ଏବଂ ମୋ ପରିବାର ସହ ରହିଥିବା ନେଇ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଆଜି ମୋର ଛାଡପତ୍ରର ଆଦେଶ ପାଇଛି । ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ ତଥା ଯନ୍ତ୍ରଣାଦାୟକ ଏବଂ ସର୍ବୋପରି ମୋର ମିଥ୍ୟା ବିବାହର ଶେଷ ହୋଇଛି । ବିବାହର ୧୦ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ଏହି ଛାଡପତ୍ର ହୋଇଛି । ତଥାପି ମୁଁ ବର୍ଷାଙ୍କ ଖୁସି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।''
Comments ସମସ୍ତ ମତାମତ