ମୁଖ୍ୟ ଖବର
ଡିସେମ୍ବର ୯ରେ ବାରବାଟୀରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ଶୁକ୍ରବାରଠାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହେବ । କିନ୍ତୁ ଗୁରୁବାର ସନ୍ଧ୍ୟାରେ ଷ୍ଟାଡିୟମ ବାହାରେ ଭିଡ଼ ଲଗାଇଲେଣି କ୍ରିକେଟ୍ ପ୍ରେମୀ । ବାରବାଟୀ ଟି-୨୦ ମ୍ୟାଚ୍ ଟିକେଟ ପାଇଁ ଟିକେଟ କାଉଣ୍ଟର ବାହାରେ ଠେଲାପେଲା । ସନ୍ଧ୍ୟା ପରେ ମାଡ଼ି ଆସିଲେ ହଜାର ହଜାର ଦର୍ଶକ । ଆଉ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ପୋଲିସ୍ ଘଉଡ଼ାଇଛି । ରାତିରୁ ନୁହେଁ ବରଂ ସକାଳ ୬ଟାରୁ ଟିକେଟ୍ ପାଇଁ ବ୍ୟାରିକେଡ୍ ଭିତରେ ଦର୍ଶକଙ୍କୁ ପ୍ରବେଶ କରିବା ପାଇଁ ଅନୁରୋଧ କରିଛି ପୋଲିସ୍ । କିନ୍ତୁ ଏହାକୁ ମାନିବାକୁ ନାରାଜ ଦର୍ଶକ।
ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଡିସେମ୍ବର ୧ରେ ଅନଲାଇନ୍ରେ ଟିକେଟ୍ ବିକ୍ରି ସରିଥିବା ବେଳେ ଆସନ୍ତାକାଲିଠୁ ଅଫଲାଇନ୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ । ମୋଟ ୫ଟି କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍ କାଉଣ୍ଟର ରହିବ । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶକ କାଉଣ୍ଟରରୁ ଟିକେଟ୍ କିଣିପାରିବେ । ଏଥିପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ରିଫିଂ ମଧ୍ୟ କରାଯାଇଛି । ଏଥର ସାଧାରଣ ଦର୍ଶକ ପାଇଁ ପ୍ରାୟ ୧୦ ହାଜର ଟିକେଟ ବିକ୍ରି କରାଯିବ ।
ବାରବାଟୀ ଷ୍ଟାଡିୟମର ପଛ ପଟେ ଥିବା କ୍ରିକେଟ ଏକାଡେମୀ ପଟେ ଟିକେଟ କାଉଣ୍ଟର କରାଯାଇ ଟିକେଟ ବିକ୍ରି କରାଯିବ । ସେଥିପାଇଁ କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ୟ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ଟିକେଟ୍ ବିକ୍ରିର ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ୍ରେ ଠିଆ ହୋଇପାରିବେ ନାହିଁ । ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକାଡେମୀ ପଡ଼ିଆରେ ରହିବେ । ଟିକେଟ୍ ପାଇଁ ସକାଳ ୬ଟାରୁ ଲାଇନ୍ ଲଗାଇ ପାରିବେ ।
ସେପଟେ ଟିକେଟ କିଣିବାକୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଆସିବେ । ତେଣୁ ସେମାନେ କିପରି ଆସି ଶାନ୍ତି ଶୃଙ୍ଖଳାରେ ଟିକେଟ୍ କିଣିପାରିବେ ସେଥିପାଇଁ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସମୀକ୍ଷା କରିଛନ୍ତି । କେବଳ ଟିକେଟ୍ କିଣିବାକୁ ଆସୁଥିବା ଲୋକଙ୍କୁ ଛାଡ଼ି ବ୍ୟାରିକେଡ୍ ଭିତରେ ଆଉ କେହି ରହିପାରିବେ ନାହିଁ । ସେହିପରି ଟିକେଟ୍ କଳାବଜାରୀଙ୍କ ଉପରେ ନଜର ରହିବ ବୋଲି କଟକ ଡିସିପି କହିଛନ୍ତି ।
Comments ସମସ୍ତ ମତାମତ