Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍‌କା

    Share on :
    ajab-Image
    Date: Apr 4, 2026    Views: 3096

    ଭୁବନେଶ୍ଵର : ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍‌କା। ଆନ୍ଧ୍ରର ଦାବିକୁ ସ୍ଵୀକାର କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଗେଜେଟ ନୋଟିଫିକେଶନ। ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ମିଳିଲା ଅନୁମତି। ବଂଶଧାରା ନଦୀ ଜଳ ବଣ୍ଟନ ନେଇ ବହୁବର୍ଷ ଧରି ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟକା ଦେଇଥିବା ବେଳେ ଆନ୍ଧ୍ର ସପକ୍ଷରେ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ଏହି ରାୟ ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ବଢାଇଛି। 

    ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍ସି  ସ୍ଥିର ହୋଇଛି। ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିର୍ଦ୍ଦେଶର ଉଲ୍ଲେଖ ରହିଛି। ୧୯୬୨ ମସିହା ୩୦ ସେପ୍ଟେମ୍ବରରେ ଏନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଇଛି। ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା। ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। 

    ରାୟରେ ଆନ୍ଧ୍ରକୁ ନେରେଡ଼ି ବ୍ୟାରେଜ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଛି। ଡାହାଣ ଡାଇକରେ ୮୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବାକୁ ଅନୁମତି ଦିଆଯାଇଛି। ଓଡ଼ିଶା ପାଇଁ ବାମ ପାଖରେ ଆଉ ଏକ ସ୍ଲୁଇସ୍ ଗେଟ୍ ନିର୍ମାଣର ଅନୁମତି ରହିଛି। ଅବଶିଷ୍ଟ ଛଅ ମାସରେ ନଦୀର ଜଳପ୍ରବାହକୁ ଉଭୟ ରାଜ୍ୟ ୫୦:୫୦ ଅନୁପାତରେ ବାଣ୍ଟି ନେବେ ବୋଲି ନିର୍ଦ୍ଦେଶ ହୋଇଛି। ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବ। ଏହି ଜମିର କ୍ଷତିପୂରଣ ଆନ୍ଧ୍ର ବହନ କରିବ। ଚାଷୀଙ୍କ ସ୍ୱାର୍ଥରେ ପାର୍ଶ୍ୱ କେନାଲ୍ ଦେଇ ୮ ଟିଏମ୍ସି ଜଳ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାର ପରିଚାଳନା ପାଇଁ ଉଭୟ ରାଜ୍ୟର ପ୍ରତିନିଧି ସହ ଏକ କମିଟି ଗଠନ କରାଯିବ। ଏହି ରାୟ ଓଡ଼ିଶାର କୃଷି ଓ ଜଳ ସମ୍ପଦ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook