Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    “ନଭେମ୍ବର ୭ରୁ ୨୬” ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”: ବିଷ୍ଣୁ ଦାସ

    Share on :
    ajab-Image
    Date: Nov 5, 2025    Views: 2512

    ଭୁବନେଶ୍ୱର: ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”କୁ ୭ ନଭେମ୍ବରରେ ୧୫୦ ବର୍ଷ ପୁରିବାକୁ ଯାଉଛି। ୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚାଟାର୍ଜୀ ଏହାକୁ ରଚନା କରିଥିଲେ। ଏହି ଗୀତ ଗାଇ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ହସି ହସି ଜେଲ୍ ଚାଲିଯାଉଥିଲେ, ତ କିଏ ନିଜର ପାଠପଢ଼ା ଓ ଚାକିରି ଆଦି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହେଉଥିଲେ, କିଏ ହସି ହସି ବିଟ୍ରିଶ ସରକାରଙ୍କ ଗୁଳିର ସମ୍ମୁଖୀନ ହେଉଥିଲେ ତ ଆଉ କିଏ ଫାଶୀ ଖୁଂଟରେ ଝୁଲି ଶହୀଦ ହୋଇଯାଉଥିଲେ। ଏହି ରାଷ୍ଟ୍ରଗୀତ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସମସ୍ତଙ୍କ ପାଇଁ ଉତ୍ସାହ ଓ ପ୍ରେରଣାର ଗୀତ ଥିଲା। ସ୍ୱଦେଶୀ ଆନ୍ଦୋଳନ ଓ ସ୍ୱତନ୍ତ୍ରତା ପାଇଁ ଦେଶବାସୀଙ୍କ ପ୍ରେରଣା ସାଜିଥିଲା। ମାତ୍ର କଂଗ୍ରେସ ମୁସ୍‌ଲିମ୍ ତୃଷ୍ଟିକରଣର ବଶବର୍ତୀ ହୋଇ ବନ୍ଦେ ମାତରମ୍ ଗୀତର ବିରୋଧ କରିଥିଲା ବୋଲି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ କହିଛନ୍ତି।
     ଶ୍ରୀ ଦାସ କହିଛନ୍ତି ଯେ, ୧୯୨୩ ମସିହାରେ କଂଗ୍ରେସ ଏହି ଗୀତ ଗାଇବାକୁ କୁଂଠା ବୋଧ କଲା। ପରେ କଂଗ୍ରେସ ବିଭିନ୍ନ କାର୍ୟ୍ୟକ୍ରମରେ ଏହି ଗୀତ ନ ଗାଇବା ପାଇଁ ଆନୁଷ୍ଠାନିକ ଭାବେ ନିଷ୍ପତି ନେଇଥିଲା। ଦେଶ ସ୍ୱାଧୀନ ହେଲାପରେ ୧୯୫୦ ମସିହାରେ ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦଜୀ “ବନ୍ଦେ ମାତରମ୍‌”କୁ ରାଷ୍ଟ୍ର ଗୀତର ମାନ୍ୟତା ଦେଇଥିଲେ। ଆଜି କାରଗିଲ୍ ଯୁଦ୍ଧଠାରୁ ଆରମ୍ଭ କରି ଯେଉଁଠି ବି ଲୋକେ ଦେଶ ପାଇଁ ଆନ୍ଦୋଳନ କରନ୍ତି ସେଠାରେ ସେମାନେ “ବନ୍ଦେ ମାତରମ୍‌” ନାରା ଦେବାଠାରୁ ଆରମ୍ଭ କରି ଏହି ଗୀତ ମଧ୍ୟ ଗାଇଥାନ୍ତି। ଦେଶର ଯୁବବର୍ଗ ମଧ୍ୟରେ ଏହି ଦେଶ ପ୍ରେମର ଭାବନାକୁ ପୁର୍ନଜୀବିତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୧ ଅକ୍ଟୋବର ୨୦୨୫ରେ କେନ୍ଦ୍ର କ୍ୟାବିନେଟ୍‌ରେ ସାରା ଦେଶରେ ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”ର ୧୫୦ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ସାହ ସହ ଏହି କାର୍ୟ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି। ଭାରତୀୟ ଜନତା ପାର୍ଟି ସବୁବେଳେ ଏହି ଗୀତକୁ ପ୍ରାଧାନ୍ୟ ଦେଇଆସିଛି। ଏନେଇ ଦଳ ପକ୍ଷରୁ ମଧ୍ୟ ଏହି ଗୀତକୁ ସାରା ଦେଶରେ ଧୁମ୍‌୍‌ଧାମ୍‌ରେ ପାଳନ କରିବାକୁ ସ୍ଥିରକୃତ ହୋଇଛି।
    ଆସନ୍ତା ୭ ତାରିଖରେ ଏହି ଗୀତର ଉଦ୍‌ଘାଟନୀ କାର୍ୟ୍ୟକ୍ରମ ସାରାଦେଶର ୧୫୦ଟି ସ୍ଥାନରେ ହେବାକୁ ନିଷ୍ପତି ହୋଇଛି। ଓଡ଼ିଶାର ୫ଟି ପ୍ରମୁଖ ସହର ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ରାଉରକେଲାରେ ଏହାକୁ ଆୟୋଜନ କରାଯିବ। ଏହାପରେ ୮ରୁ ୨୬ ତାରିଖ ମଧ୍ୟରେ ପ୍ରତ୍ୟେକ ବିଧାନସଭାରେ ଗୋଟିଏ କାର୍ୟ୍ୟକ୍ରମ ଆୟୋଜିତ ହେବ। ଏଥିରେ ଓଡ଼ିଶାର ସମସ୍ତ ଜନତା, ବୁଦ୍ଧିଜୀବୀ, ମା’, ଭଉଣୀ ଓ ଛାତ୍ରଛାତ୍ରୀ, ଧାର୍ମିକ ଅନୁଷ୍ଠାନ, ଯୁବ ସଂଗଠନ ଯୋଗଦିଅନ୍ତୁ ଏବଂ “ବନ୍ଦେ ମାତରମ୍‌” ଗୀତ ଗାଇ ସ୍ୱଦେଶୀ ସଂକଳ୍ପ ଓ ଦେଶପ୍ରେମର ଭାବନାକୁ ଉଜ୍ଜୀବିତ କରି ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି। 
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook