ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଛି । ପାକିସ୍ତାନ ଏୟାରପୋର୍ଟ୍ସ ଅଥରିଟି ଜାରି କରିଥିବା ନୂତନ 'ନୋଟମ୍' (NOTAM) ଅନୁସାରେ, ଏହି କଟକଣା ଆସନ୍ତା ସେପ୍ଟେମ୍ବର ୨୪, ୨୦୨୬ ସକାଳ ୪:୫୯ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ । ପୂର୍ବରୁ ଏହି କଟକଣାର ସମୟସୀମା ଅଗଷ୍ଟ ୨୩ରେ ଶେଷ ହେବାର ଥିଲା, ଯାହାକୁ ବର୍ତ୍ତମାନ ଆହୁରି ଆଗକୁ ବଢ଼ାଯାଇଛି ।
କାହା କାହା ଉପରେ ରହିଛି କଟକଣା ? ଭାରତୀୟ ପଞ୍ଜୀକୃତ ବିମାନ: ଭାରତରେ ପଞ୍ଜୀକୃତ ସମସ୍ତ ବ୍ୟାବସାୟିକ ଓ ବେସରକାରୀ ବିମାନ । ଲିଜ୍ କିମ୍ବା ଭଡ଼ା ବିମାନ: ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ କିମ୍ବା ଲିଜ୍ରେ ନିଆଯାଇଥିବା ବିମାନ । ସାମରିକ ବିମାନ: ଭାରତୀୟ ବାୟୁସେନା ଏବଂ ଅନ୍ୟାନ୍ୟ ସାମରିକ ବିମାନ ପାଇଁ ମଧ୍ୟ ପାକିସ୍ତାନର କରାଚୀ ଏବଂ ଲାହୋର ଫ୍ଲାଇଟ୍ ଇନଫର୍ମେସନ୍ ଜୋନ୍ ସମ୍ପୂର୍ଣ୍ଣ ବନ୍ଦ ରହିବ ।
ପାକିସ୍ତାନର ଏହି କଟକଣା ଯୋଗୁଁ ଭାରତରୁ ପଶ୍ଚିମ ଏସିଆ, ୟୁରୋପ ଏବଂ ଆମେରିକା ଆଡ଼କୁ ଯାଉଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକୁ ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ୁଛି । ବିକଳ୍ପ ଏବଂ ବହୁତ ଲମ୍ବା ରାସ୍ତା ଦେଇ ବିମାନଗୁଡ଼ିକ ଯିବା ଫଳରେ ଯାତ୍ରା ସମୟ ବୃଦ୍ଧି ପାଉଛି, ଇନ୍ଧନ ଖର୍ଚ୍ଚ ଏବଂ ମୋଟ୍ ପରିଚାଳନାଗତ ଖର୍ଚ୍ଚ ବହୁମାତ୍ରାରେ ବଢ଼ିଯାଉଛି ।
ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ତଥା ସାମରିକ ଉତ୍ତେଜନା ପରେ, ଏପ୍ରିଲ୍ ୨୦୨୫ରୁ ପରସ୍ପରର ଏୟାରସ୍ପେସ୍ ବ୍ୟବହାର କରିବା ଉପରେ ଏହି କଟକଣା ଲଗାଯାଇଥିଲା । କେବଳ ପାକିସ୍ତାନ ନୁହେଁ, ଭାରତ ମଧ୍ୟ ପାକିସ୍ତାନୀ ପଞ୍ଜୀକୃତ ବିମାନ ଏବଂ ସାମରିକ ବିମାନଗୁଡ଼ିକ ପାଇଁ ନିଜର ଆକାଶମାର୍ଗ ବ୍ୟବହାର କରିବାକୁ ସମାନ ଭାବେ ପ୍ରତିବନ୍ଧକ ଲଗାଇଛି ।
Comments ସମସ୍ତ ମତାମତ