Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବଡ଼ ଓଷା

    Share on :
    ajab-Image
    Date: Nov 25, 2023    Views: 3235

    କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପାଳିତ ହୋଇଥାଏ ବଡ଼ଓଷା । ଏହି ଓଷା ଭୀଷ୍ମ ପଂଚକ ମଧ୍ୟରେ ବଡ଼ ଏକାଦଶୀ ବା ହରି ଉତ୍ଥାପନ ଏକାଦଶୀ ପରେ ପାଳିତ ହୋଇଥାଏ । ସବୁ ଓଷା ଭିତରେ ଏହା ବଡ ବୋଲି କୁହାଯାଏ । ବଡ ଓଷାର ମହିମା ପୁରାଣରେ ବର୍ଣ୍ଣିତ  । ଏକଦା ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଂଚିଥିଲେ  । ମହାଦେବଙ୍କ ଦର୍ଶନ ହେଲା  । ଭକ୍ତମାନଙ୍କ ଦୁଃଖ ଦୁର୍ଦ୍ଧଶା ସଂପର୍କରେ ନାରଦ ମହାଦେବଙ୍କୁ ଅବଗତ କରାଇଲେ  । ଭକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ  । କାର୍ତ୍ତିକ ଶୁଳ୍କ ଚତୁର୍ଦ୍ଧଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ  । ସେହି ଦିନଠାରୁ ମର୍ତ୍ତ୍ୟବାସୀ ନିଷ୍ଠାର ସହ ବଡ ଓଷା ପାଳନ କରିଆସୁଛନ୍ତି  । ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ବାବା ଧବଳେଶ୍ୱର । ଏହି ଓଷାରେ ଗଜଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ । 
    ତ୍ରୟୋଦଶୀ ଓ ଚର୍ତୁଦ୍ଧଶୀ ତିଥିର ମଧ୍ୟରାତ୍ରରେ ଏହି ଭୋଗ ଲାଗି ହୁଏ । ଚର୍ତୁଦ୍ଧଶୀ ତିଥିର ସକାଳେ ଭକ୍ତମାନେ ଗଜଭୋଗ ପାଆନ୍ତି ।ଏହି ଭୋଗର ମଧ୍ୟ ସ୍ୱତନ୍ତ୍ରତା ରହିଛି । ଠାକୁର କଳା ବଳଦକୁ ଧଳା କରିଥିବାରୁ ଗଜ ଭୋଗର ଭିତର କଳା ଓ ବାହାର ଧଳା ହୋଇଥାଏ ।ଧଳା ରଙ୍ଗର ଚାଉଳ ଚୁନାରେ ତିଆରି ହୋଇଥିବାରୁ ଏହା ଧଳା ଦେଖାଯାଏ । କିନ୍ତୁ ଭିତରେ ମୁଗ ଓ ଗୁଡରେ ତିଆରି ପୁର ଦିଆଯାଇଥାଏ । ତେଣୁ ଭିତର କଳା ଦିଶେ । ଗଜଭୋଗ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ପିଠା । ଏହାର ଉପରି ଭାଗ ବଳଦର ଶିଙ୍ଗ ପରି ଗୋଜିଆ ହୋଇଥାଏ ।
    ଲୋକକଥା ଅନୁଯାୟୀ, ଥରେ ଜଣେ ଚୋର ଗୋଟିଏ କଳା ବଳଦ ଚୋରି କରି ଆଣିଥିଲା । ଏ କଥା ଜାଣି ପାରିଲେ ଗାଁ  ଲୋକମାନେ । ତା ପରେ ଚୋରଟିକୁ ଲୋକେ ଗୋଡେଇବା ଆରମ୍ଭ କରିଦେଇଥିଲେ । ଚୋରଟି ବା ଆଉ କଣ କରିପାରିବ । ଧରାପଡି ମାଡ କାଇବା ଭୟରେ ସେ ଲୁଚି ଯାଇଥିଲା ମହାନଦୀର ପାଣି ଘେରି ରହିଥିବା ଏହି ଦ୍ୱୀପ ସଦୃଶ ସ୍ଥାନରେ ।ଏହି ସ୍ଥାନଟି ସେତେବେଳେ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ।ଲୋକମାନେ ଚୋରକୁ ଜଗି ରହିଥିଲେ । ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଚୋରକୁ ଘାରୁଥିଲା । ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା । ଚୋର ତା’ର ଜୀବନ ବଂଚାଇ ଦେବାକୁ ଭଗବାନଙ୍କୁ ଡାକୁଥାଏ । ଏହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ବେଶରେ ଗାଁ ଲୋକଙ୍କ ଆଗରେ ଉଭା ହେଲେ । ଲୋକମାନଙ୍କୁ ସେ ସେମାନଙ୍କ ରାଗିବାର କାରଣ ପଚାରିଲେ । 
    ଲୋକମାନେ କହିଲେ, ଆମର ଗୋଟିଏ କଳା ବଳଦ ଚୋରି ହୋଇଯାଇଛି । ଚୋର ଏଇଠି କୋଉଠି ଲୁଚିଛି, ଆମେ ତାକୁ ଜଗି ରହିଛୁ ।ଏ କଥା ଶୁଣି ସନ୍ୟାସୀ ରୂପରେ ଥିବା ଭଗବାନ ଶିବ କହିଲେ, ଏଠି ତ କଳା ବଳଦ ନାହିଁ । ଦୂରରେ ଚରୁଥିବା ବଳଦ ତ ଧଳା । ଲୋକମାନେ ମଧ୍ୟ ଦେଖିଲେ, ସତରେ କିଛି ଦୂରରେ ଗୋଟିଏ ଧଳା ବଳଦ ଚରୁଥିଲା । ଏହାପରେ ଲୋକମାନେ ବୁଝିଗଲେ । ଚୋରି ହୋଇଥିବା ବଳଦ ଏହା ନୁହେଁ । ଚୋର ବି ବାହାରି ଆସିଲା । ସେଠାରୁ ସନ୍ୟାସୀ ଜଣକ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଗଲେ । ଚୋର ଭୟରେ କିନ୍ତୁ ଥରୁଥାଏ । ସାହସ ଜୁଟାଇ ଚୋର ଲୋକଙ୍କୁ ସବୁ କଥା କହିଲା । ଚୋର କହିଲା ଯେ, ସେ କଳା ବଳଦ ଚୋରି କରି ଆଣିଥିଲା । କିନ୍ତୁ ଭଗବାନ ଶିବ ତା’ର ଆକୁଳ ନିବେଦନ ଶୁଣି କଳା ବଳଦକୁ ଧଳା କରିଦେଇଛନ୍ତି ସେହିଦିନଠାରୁ ଲୋକମାନେ ଏହି ପୀଠରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ୱର ଭାବେ ପୂଜା କଲେ । ଆଉ ପୀଠଟି ଧବଳେଶ୍ୱର ପୀଠ ନାମରେ ଖ୍ୟାତ ହେଲା । ସବୁଆଡେ ପ୍ରଚାରିତ ହେବାକୁ ଲାଗିଲା ବାବା ଧବଳେଶ୍ୱରଙ୍କ ମହିମା । 
    ପଦ୍ମପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ  । ଅନ୍ୟ ଏକ କାହାଣୀ ଅନୁସାରେ ଉକôଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ  । ସେ ଥରେ ଶିକାର ଉଦେ୍ଧଶ୍ୟରେ ବନକୁ ଯାଇଥିଲେ  । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଂଚିଲେ  । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ  । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ  । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ  । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା  । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ  । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ  । ସେ ଥରେ ଶିବଙ୍କ ପୂଜା ଉଦେ୍ଧଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ  । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ  । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା  । ତାଙ୍କର ଦୁଃଖ ବଢ଼ି ଚାଲିଲା  । ରାଣୀ ରାଜାଙ୍କ ସେବା ଓ ଈଶ୍ୱର ଭକ୍ତିରେ ସମୟ ଅତିବାହିତ କରୁଥିଲେ  । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ  । 
    ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ  । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ  । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ  । କ୍ରତୁ ରୋଗମୁକ୍ତ ହୋଇ ସପନôୀକ ଓ ପୁତ୍ର ସନ୍ତାନ ସହ ରାଜତ୍ୱ କଲେ   । ବାବା ଧବଳେଶ୍ୱରଙ୍କ ପାଖରେ ବଡଓଷା ଉପଲକ୍ଷେ ରୀତି ନୀତି ଅନୁଯାୟୀ ମଧ୍ୟରାତ୍ରରେ ସ୍ନାନ ନୀତି ପରେ ମହାଦେବଙ୍କ ଠାରେ ଗଜ ଭୋଗ ଲାଗି ହୁଏ । ଏହା ପରେ ବଡ ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଶ୍ରୀ ଧବଳେଶ୍ୱର  । 
    ବଡ଼ଓଷାରେ ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁ ଅରୁଆ ଚାଉଳ ଚୂନାରେ ଏକ ପ୍ରକାର ସ୍ୱତନ୍ତ୍ର ପିଠା ଧବଳେଶ୍ୱରଙ୍କ ପାଖରେ ଲାଗି କରିଥାନ୍ତି । ଏହାକୁ ଗଜ ପିଠା କୁହାଯାଏ । ବିଶେଷ କରି ଅତି ଶୁଦ୍ଧ ପୂତ ଭାବରେ ପୂଜକ ପରିବାର  ଏହାକୁ  ପ୍ରସ୍ତୁତ କରି  ଗଜଭୋଗ ଓ ତରଣ  ଭୋଗକୁ ଧବଳେଶ୍ୱରଙ୍କ ପାଖରେ ଅର୍ପଣ କରିଥାନ୍ତି ,ଏହି ପିଠାରେ ଖଳି, ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ବ୍ୟବହୃତ ହୋଇଥାଏ । ଗଜ ଭୋଗ ସେବନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରିନ୍ତି । ଏହି ଗଜଭୋଗ ଓ ତରଣ ପାଇବାକୁ ଶ୍ରଦ୍ଧାଳୁମାନେ ବର୍ଷ ସାରା ଅପେକ୍ଷା କରିଥାନ୍ତି ।
    ଏହି ଓଷାରେ ବ୍ରତଧାରୀମାନେ ଏକପ୍ରକାର ଭୋଗ ପ୍ରସ୍ତୁତ କରନ୍ତି , ଯାହାକୁ ମକର ଚାଉଳ କୁହାଯାଏ ।ଏହା ଅରୁଆ ଚାଉଳ ,ଖୀର ,କଦଳୀ , ନଡିଆରେ ପ୍ରସ୍ତୁତ ହୋଇ ପୂଜା କରାଯାଏ  । ପୁନଶ୍ଚ ଏହି ଓଷାରେ ଏକପ୍ରକାର ସ୍ୱତନ୍ତ୍ର ଭୋଗ ଅଛି ଯାହାକୁ ବଡ଼ଓଷା ଭୋଗ କହନ୍ତି  ।
    ଧୁଆଲିପା ହୋଇ ନୂତନ ଧାନର  ଅରୁଆ ଚାଉଳ ,ଗୁଡ଼ ,ନଡ଼ିଆ ,ଘିଅ ସହିତ ଏକ ପ୍ରକାର ଓଷା ଗୁଣ୍ଡ ଦେଇ  ନୂତନ ଭାବେ ଚୁଲି ବା ଅହିଆରେ ପ୍ରସ୍ତୁତ ହୁଏ  । ଶାଳ କାଠରେ ଭୋଗ ରାନ୍ଧିବା ପାଇଁ ଏକ ବାଡି ତିଆରି ହୁଏ  । ଯାହାକୁ ଘୋଟା କହନ୍ତି । କେହି କେହି ଏହି ଭୋଗକୁ ଚିନିରେ ତ କେହି ଏହାକୁ ଗୁଡ଼ରେ ତିଆରି କରନ୍ତି  । ଓଡ଼ିଆରେ ବଡ଼ ଓଷା ଭୋଗକୁ ତରଣ କହନ୍ତି  ।  

    Maximum 500 characters

    ବିଶେଷ View all

    Find Us on Facebook