Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏକାତ୍ମମାନବବାଦର ବିଚାରଧାରାକୁ ସ୍ମରଣ କରିବା ପାଇଁ ସମର୍ପଣ ଦିବସ ପାଳନ ହୋଇଛି : ବାବୁ ସିଂ

    Share on :
    ajab-Image
    Date: Feb 12, 2026    Views: 3199

    ଭୁବନେଶ୍ୱର: ରାଷ୍ଟ୍ର ସେବା ପାଇଁ ସମର୍ପିତ ଥିବା ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି ହେଉଛି ୫୮ତମ ପୂଣ୍ୟତିଥି । ଆଜିର ଦିନକୁ ଭାରତୀୟ ଜନତା ପାର୍ଟୀ ତରଫରୁ ସମଗ୍ର ଦେଶରେ ସମର୍ପଣ ଦିବସ ଭାବେ ପାଳନ କରାଯାଉଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି । ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ମନ୍ଦିର ସମ୍ମୁଖରେ ଆୟୋଜିତ ମହାନ ଚିନ୍ତାନାୟକ ତଥା ଏକାତ୍ମମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ‘ସମର୍ପଣ ଦିବସ -୨୦୨୬’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସିଂ କହିଛନ୍ତି ଯେ, ଦୀନଦୟାଲଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍‌ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ ଅଟେ । ଅନ୍ତ୍ୟୋଦୟ ଦର୍ଶନର ପରିକଳ୍ପନା ଓ ପ୍ରଣୟନ ପଣ୍ଡିତ ଦୀନଦୟାଲଜୀ ଙ୍କ ଏକ ଅଭୂତପୂର୍ବ ସଫଳତା । ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗିନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ ଜୀ କାର୍ଯ୍ୟ କରୁଥିଲେ । 
    ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ଏହାକୁ ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ପଂଚନିଷ୍ଠାରେ ସ୍ଥାନିତ କରିଛି । ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀ ଙ୍କ ଅନ୍ତ୍ୟୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି । ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରିବ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ବହୁ ଗରିବକଲ୍ୟାଣ ମୂଳକ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି । ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ, ବାସହୀନ ଗରିବଙ୍କୁ ପକ୍କାଘର, ସମସ୍ତଙ୍କୁ ଶସ୍ତା ବିଜୁଳି ଓ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ଘରେ ପାଇଖାନା ଓ ରୋଷେଇ ଗ୍ୟାସ ଯୋଗାଣ, ଜାତୀୟ ଜୀବିକା ମିଶନରେ ସମସ୍ତଙ୍କୁ କାମ ଓ ରୋଜଗାର, ମହିଳା ସଶକ୍ତିକରଣ ଆଦି ଗରୀବକଲ୍ୟାଣମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀ ଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର ବୋଲି କହିଛନ୍ତି। ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଣ୍ଡିତ ଦୀନଦୟାଲଜୀଙ୍କ ଫଟୋଚିତ୍ରରେ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ବିଜେପି ନେତା ରାମରଣ ସିଂହ, ପ୍ରଶାନ୍ତ ପ୍ରଧାନ, ପ୍ରମୋଦ ମହାପାତ୍ର, ସ୍ୱାଗତ ମହାପାତ୍ର, ଦୁର୍ଗା ପ୍ରସାଦ ମହାପାତ୍ର , କୃଷ୍ଣ ଚନ୍ଦ୍ର ବଟୁ ଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook