ମୁଖ୍ୟ ଖବର
ସାଇନ୍ ବୋର୍ଡରେ ଆଉ ଚଳିବନି ପୁରୁଣା ଇଂରାଜୀ ବନାନ। ସପ୍ତାହେ ଭିତରେ ବଦଳାଅ ପୁରୁଣା ବନାନ। ସଂଶୋଧିତ ସ୍ଥାନନାମର ଇଂରାଜୀ ବନାନ ବ୍ୟବହାରକୁ ନେଇ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। ଇଂରାଜୀ ବନାନରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ସରକାରୀ ସାଇନ୍ ବୋର୍ଡରେ ସଂଶୋଧିତ ବନାନର ବ୍ୟବହାର ସୁନିଶ୍ଚିତ କରିବାକୁ କହିଛନ୍ତି। ପୂର୍ବରୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ସାଇନ୍ ବୋର୍ଡରେ ସଂଶୋଧିତ ବନାନ ଲାଗୁ କରିବା ପାଇଁ ଏକ ମାସର ସମୟ ଦିଆଯାଇଥିଲା।
ସେହିପରି ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନ ପାଇଁ ରହିଥିଲା ଛଅ ମାସର ସମୟସୀମା। ତେବେ ସମୟସୀମା ପରେ ମଧ୍ୟ କିଛି ସରକାରୀ କାର୍ଯ୍ୟାଳୟର ସାଇନ୍ ବୋର୍ଡରେ ପୁରୁଣା ବନାନ ବ୍ୟବହାର ହେଉଥିବା ନଜରକୁ ଆସିବା ପରେ ଏବେ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯେଉଁଠି ପୁରୁଣା ବନାନ ରହିଛି, ତାହାକୁ ତୁରନ୍ତ ବଦଳାଇବାକୁ କୁହାଯାଇଛି। ସପ୍ତାହେ ଭିତରେ ଆବଶ୍ୟକ ପଦକ୍ଷେପ ନେବା ସହ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି।
Comments ସମସ୍ତ ମତାମତ