ମୁଖ୍ୟ ଖବର
ଭୁବନେଶ୍ୱର : ସ୍ଥାନୀୟ ବିଧାୟକଙ୍କୁ କୌଣସି ସୂଚନା ନ ଦେଇ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଆସି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହଟହଟା ହେବା ସହିତ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ ଶେଷରେ ମନ୍ତ୍ରୀ ଶ୍ରୀ ନାୟକ ତିର୍ତ୍ତୋଲ ବିଧାୟକଙ୍କୁ ଫୋନ୍ କରି ସୂଚନା ଦେଇଥିଲେ। ତା’ପରେ କିନ୍ତୁ ପ୍ରତିଷ୍ଠା ଉତ୍ସବରେ ମାତ୍ର ୧୦ ମିନିଟ୍ ରହି ସେଠାରୁ ପଳାଇ ଯାଇଥିଲେ। ବିନା ସୂଚନାରେ ମନ୍ତ୍ରୀ ଆସିଥିବା ଜାଣି ସ୍ଥାନୀୟ ବିଜେଡି କର୍ମୀମାନେ ଚକିତ ହେବା ସହ ଏ ବିଷୟରେ ବିଧାୟକ ବିଜୟ ଶଙ୍କର ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ବ୍ଲକ୍ ସଭାପତି ଦେବାଶିଷ ତ୍ରିପାଠୀ, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଜିଲ୍ଲାପରିଷଦ ସଭ୍ୟା ରିନାରାଣୀ ମଲ୍ଲିକ ଓ ଇତିଶ୍ରୀ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ। ତେବେ ସେମାନେ ମନ୍ତ୍ରୀଙ୍କ ଆସିବା ବିଷୟରେ ଜାଣି ନଥିବା କହିଥିଲେ।
ଶତାଧିକ ବିଜେଡି କର୍ମୀ ଗନାଇଲୋ ଛକଠାରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇବା ସହିତ ‘ମନ୍ତ୍ରୀ ତୁମେ ଫେରିଯାଅ, ଗୋ ବ୍ୟାକ୍ ନାରା’ ଦେଇ ମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ବାଣରେ ଘାଇଲା କରି ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟ ହୋଇ ମନ୍ତ୍ରୀ ବିଧାୟକ ବିଜୟ ଶଙ୍କରଙ୍କୁ ସେଠାରୁ ଫୋନ୍ କରିଥିଲେ। ବିଜୟଶଙ୍କର ଫୋନ୍ ଯୋଗେ କର୍ମୀମାନଙ୍କୁ ବୁଝାଇବା ସହିତ ମନ୍ତ୍ରୀଙ୍କୁ ସ୍କୁଲ୍ ପ୍ରତିଷ୍ଠା ଉତ୍ସବକୁ ଛାଡ଼ିବାକୁ କହିବାରୁ କର୍ମୀମାନେ ଜିଦ୍ରୁ ହଟିଥିଲେ। ପରେ ମନ୍ତ୍ରୀ ଶ୍ରୀ ନାୟକ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ହେଲେ ସେଠାରେ ମଧ୍ୟ ଲୋକଙ୍କର ପ୍ରଶ୍ନର ସାମ୍ନା କରି ନପାରି ମାତ୍ର ୧୦ ମିନିଟ୍ ପରେ ସଭାସ୍ଥଳ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ଘଟଣା ଆଜି ରଘୁନାଥପୁର ବ୍ଲକ୍ରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
Comments ସମସ୍ତ ମତାମତ