ମୁଖ୍ୟ ଖବର
ଭୁବନେଶ୍ବର: ଅସ୍ତରଙ୍ଗ ବିଡିଓଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା । ବିଧାୟକଙ୍କ ସୁପାରିସରେ ମଞ୍ଜୁର ହୋଇଥିବା ୯ଟି ପ୍ରକଳ୍ପକୁ ବଦଳାଇବା ଅଭିଯୋଗ ହୋଇଛି । ବିଧାୟକ ତୁଷାରକାନ୍ତି ବେହେରା ଏନେଇ ବିଧାନସଭାରେ ଆପତ୍ତି କରିଥିଲେ । ବିଡିଓଙ୍କ ବିରୋଧରେ ଅଣାଯାଇଥିବା ନୋଟିସ୍ ଅନୁଧ୍ୟାନ କରିବେ ବାଚସ୍ପତି ସୁରମା ପାଢୀ ।
ବିଧାୟକଙ୍କ ସୁପାରିସରେ ମଞ୍ଜୁର ହୋଇଥିବା ଜନହିତକର ପ୍ରକଳ୍ପକୁ କିଏ ବଦଳାଇଲା ? କେଉଁ ଆଧାରରେ ବଦଳିଲା ପ୍ରକଳ୍ପର ରୂପରେଖ ? ଜନପ୍ରତିନିଧିଙ୍କୁ ଅନ୍ଧାରରେ ରଖି କିଏ ନେଲା ନିଷ୍ପତ୍ତି? ଏହାକୁ ନେଇ ଏବେ ବିଧାନସଭାରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ସ୍ୱାଧିକାର ଭଙ୍ଗ ପ୍ରସଙ୍ଗ ଉଠାଇଥିଲେ । ଗୁରୁବାର ଅସ୍ତରଙ୍ଗ ବିଡିଓ ସସ୍ମିତା ବେହେରାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି କାକଟପୁର ବିଧାୟକ ।
ବିଧାୟକଙ୍କ ଅଭିଯୋଗ ଅନୁସାରେ, 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାରେ ତାଙ୍କ ସୁପାରିସ କ୍ରମେ ଜନସ୍ୱାର୍ଥ ଦୃଷ୍ଟିରୁ ଅନୁମୋଦିତ ହୋଇଥିବା ୯ଟି ପ୍ରକଳ୍ପକୁ ବିଡିଓ ଏକପାଖିଆ ଭାବେ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ମିଥ୍ୟା ଓ ଭ୍ରମାତ୍ମକ କାରଣ ଦର୍ଶାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ ଆପତ୍ତି ହେଉଛି, ଏହି ନିଷ୍ପତ୍ତି ପୂର୍ବରୁ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇନଥିଲା କିମ୍ବା ତାଙ୍କ ସହ କୌଣସି ଆଲୋଚନା କରାଯାଇଥିଲା ।
ଏପରିକି ପୁରୀ ଜିଲ୍ଲା ପରିଷଦର ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକର କାମ ବନ୍ଦ ରଖିବା ସହ ବିଲ୍ ପୈଠ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ପ୍ରକଳ୍ପ ପରିବର୍ତ୍ତନକୁ ନେଇ ବିବାଦ ତୀବ୍ର ହୋଇଛି । ବିଧାୟକଙ୍କ ଯୁକ୍ତି, ଜନପ୍ରତିନିଧିଙ୍କ ସୁପାରିସରେ ମଞ୍ଜୁର ହୋଇଥିବା ପ୍ରକଳ୍ପକୁ ମନମୁଖୀ ଭାବେ ବଦଳାଇବା କେବଳ ପ୍ରଶାସନିକ ନିଷ୍ପତ୍ତିର ପ୍ରଶ୍ନ ନୁହେଁ, ବରଂ ଜନପ୍ରତିନିଧିଙ୍କ ଅଧିକାର ଓ ବିଧାନସଭାର ସ୍ୱାଧିକାର ସହ ଜଡ଼ିତ ଏକ ଗମ୍ଭୀର ବିଷୟ ହୋଇଛି ବୋଲି ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି । ତେଣୁ ଏହାର ନିରପେକ୍ଷ ତଦନ୍ତ ସହ ଦାୟିତ୍ୱ ନିର୍ଦ୍ଧାରଣ ପାଇଁ ସେ ଦାବି କରିଛନ୍ତି ।ଅନ୍ୟପଟେ, ସ୍ୱାଧିକାର ଭଙ୍ଗ ନୋଟିସ୍ ପାଇବା ପରେ ଏହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
Comments ସମସ୍ତ ମତାମତ