ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟରେ ୩ ବର୍ଷରେ ୨୫୬ଟି ହାତୀ ମରିଛନ୍ତି । ସେଥିରୁ ୧୩ଟି ହାତୀକୁ ଶିକାରୀ ମାରିଛନ୍ତି । ପ୍ରତିଶୋଧମୂଳକ ଭାବେ ୧୨ଟି ହାତୀକୁ ହତ୍ୟା କରାଯାଇଛି । ଏହି ୩ ବର୍ଷରେ ୩୨ଜଣ ଶିକାରୀ ମଧ୍ୟ ଗିରଫ ହୋଇଛନ୍ତି । ବିଧାନସଭାରେ ରାଜ୍ୟ ସରକାର ଏହି ତଥ୍ୟ ଦେଇଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ତଥ୍ୟ ମୁତାବକ, ଢ଼େଙ୍କାନାଳରେ ସର୍ବାଧିକ ୩୮ଟି ହାତୀ ମରିଛନ୍ତି । ଆଠଗଡ଼ରେ ୩୨ଟି, କେନ୍ଦୁଝରରେ ୨୦ଟି, ଅନୁଗୋଳରେ ୧୩ଟି ଓ ଦେବଗଡ଼ରେ ୧୨ଟି ହାତୀଙ୍କ ଜୀବନ ଯାଇଛି । ବାର୍ଦ୍ଧକ୍ୟ/ଅନ୍ତକନ୍ଦଳ/ଶାବକ ମୃତ୍ୟୁ/ ମୃତଜନ୍ମ ଶାବକ ଭଳି କାରଣରୁ ୪୨ଟି ହାତୀ ମରିଥିବା ବେଳେ ଦୁର୍ଘଟଣା ଯୋଗୁ ୨୪ଟି ହାତୀର ପ୍ରାଣ ଯାଇଛି । ୪ଟି ହାତୀର ଜୀବନ ନେଇଛି ହର୍ପିସ ରୋଗ । ୫୯ଟି ହାତୀ ଅନ୍ୟାନ୍ୟ ରୋଗରୁ ମରିଛନ୍ତି ।
ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୪ଟି ହାତୀକୁ ଶିକାର କରାଯାଇଛି । ବାଲେଶ୍ୱରରେ ୨ଟି, ଆଠଗଡ଼, ଆଠମଲ୍ଲିକ, ଢେଙ୍କାନାଳ, ସାତକୋଶିଆ, ଶିମିଳିପାଳ ଦକ୍ଷିଣ, ଘୁମସୁର ଉତ୍ତର, କେନ୍ଦୁଝରରେ ଗୋଟିଏ ଲେଖାଏ ହାତୀ ଶିକାରୀଙ୍କ ଗୁଳି ଅବା ତୀରରେ ଟଳିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ବିଦ୍ୟୁତ ଆଘାତ ଦେଇ ୬୧ଟି ହାତୀକୁ ମରାଯାଇଛି । ଅକସ୍ମାକ ବିଦ୍ୟୁତ ଆଘାତରୁ ୪ଟି ହାତୀ ମରିଛନ୍ତି ।
ଶିମିଳିପାଳ(ଦକ୍ଷିଣ)ରୁ ୧୬ଜଣ ଶିକାରୀ ଗିରଫ ହୋଇଛନ୍ତି । ଅନୁଗୋଳରୁ ୪ଜଣ, ଆଠଗଡ଼ରୁ ୩ଜଣ, ବାଲେଶ୍ୱରରୁ ୬ଜଣ ଶିକାରୀଙ୍କୁ ବାନ୍ଧି ଜେଲ ପଠାଯାଇଛି । ହାତୀ-ମଣିଷ ଲଢ଼େଇ ଯୋଗୁ ପ୍ରତିବର୍ଷ ଢ଼େର ମାତ୍ରାରେ ଧନଜୀବନ ହାନୀ ଘଟୁଛି । ୨୦୨୪ ମସିହା ଏପ୍ରିଲରୁ ଚଳିତବର୍ଷ ସେପ୍ଟେମ୍ବର ୧୭ ସୁଦ୍ଧା ହାତୀ ଆକ୍ରମଣରେ ୪୩୧ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ୪୮୯ଜଣ ଆହତ ହୋଇଛନ୍ତି । ୧୩୩ଟି ଗୃହପାଳିତ ପଶୁ ମରିଛନ୍ତି । ଗତ ଜାନୁଆରୀରୁ ସେପ୍ଟେମ୍ବର ୧୭ ସୁଦ୍ଧା ୯୬ଜଣ ଲୋକ ମଲେଣି । ବଡ଼ କଥା ହେଉଛି, ଏହି ୩୦ ମାସରେ ହାତୀ ଉପଦ୍ରବ ଯୋଗୁ ୪୫୭ଟି ଘର ଭାଙ୍ଗିକି ମାଟିରେ ମିଶିଛି । ୬,୬୯୯ଟି ଘର ଆଂଶିକ ଭାବେ ଭାଙ୍ଗିଛି । ୩୧ ହଜାର ୭୪୨ ଏକର ଚାଷ ଜମି ନଷ୍ଟ କରିଛନ୍ତି ହାତୀ ।
Comments ସମସ୍ତ ମତାମତ