ମୁଖ୍ୟ ଖବର
ଭୁବନେଶ୍ୱର : ମୌସୁମୀ ଅଧିବେଶନର ପ୍ରଥମ ଦିନର ଅପରାହ୍ନରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ସୁରୁଖୁରୁରେ ଗୃହ ଚାଲିପାରିନଥିଲା । ଗୃହ ମଧ୍ୟରେ ପ୍ରବଳ ନାରାବାଜି କାରଣରୁ ଅପରାହ୍ଣ ୪ଟା ପରେ ମାତ୍ର ୧୧ ମିନିଟ ଚାଲିଥିଲା ଗୃହ କାର୍ଯ୍ୟ । ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା ମଧ୍ୟରେ ଗୃହରେ ୬ଟି ବିଲ୍ ଏବଂ ୨ଟି ଅଧ୍ୟାଦେଶ ଉପସ୍ଥାପିତ ହୋଇଥିଲା । ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ମୁଲତବୀ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜିବିକା ଏବଂ ନିୟୋଜନ କର(ନିରସନ) ବିଲ୍ ଆଗତ କରିଥିଲେ । ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଷ୍ଟାମ୍ପ(ସଂଶୋଧନ) ଅଧ୍ୟାଦେଶ, ୨୦୨୬କୁ ଗୃହରେ ଉପସ୍ଥାପନ କରିଥିଲେ ।
ମୋଟ ୬ଟି ବିଲ୍ ବିଭିନ୍ନ ମନ୍ତ୍ରୀମାନଙ୍କ ଦ୍ୱାରା ଗୃହରେ ଆଗତ ହୋଇଥିଲା । ସେଗୁଡ଼ିକ ହେଲା ଓଡ଼ିଶା ଦ୍ରବ୍ୟ ଓ ସେବା କର(ସଂଶୋଧନ) ବିଲ୍-୨୦୨୬, ଭାରତୀୟ ଷ୍ଟାମ୍ପ(ସଂଶୋଧନ) ବିଲ୍-୨୦୨୬, ଓଡ଼ିଆ ରଦ୍ଦକରଣ ବିଲ୍-୨୦୨୬, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ସଂଶୋଧନ) ବିଲ୍-୨୦୨୬ ଏବଂ ଓଡ଼ିଶା ସାମୁଦ୍ରିକ ମାଛଧରା(ନିୟନ୍ତ୍ରଣ ଓ ନିଷେଧ)ବିଲ୍-୨୦୨୬ । ତେବେ ବିଲ୍ ଗୁଡ଼ିକର ତର୍ଜମା କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ପରାମର୍ଶକ୍ରମେ କାର୍ଯ୍ୟନିର୍ବାହୀ କମିଟିକୁ ପଠାଇ ଦିଆଯାଇଥିଲା । ପରେ ଉପବାଚସ୍ପତି ଗୃହକୁ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
Comments ସମସ୍ତ ମତାମତ