Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୩ ବର୍ଷରେ ସମ୍ବଲପୁରରୁ ହଜିଥିବା ୩୫୪ ମହିଳାଙ୍କ ପତ୍ତା ମିଳୁନି

    Share on :
    ajab-Image
    Date: Mar 18, 2026    Views: 3250

    ସମ୍ବଲପୁର: ଓଡ଼ିଶାରେ ମହିଳା ଓ ଶିଶୁ ନିଖୋଜକୁ ନେଇ ଚିନ୍ତାଜନକ ତଥ୍ୟ ହସ୍ତଗତ ହୋଇଛି। ସମ୍ବଲପୁର ଜିଲାରେ ଏହି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ପ୍ରାପ୍ତବୟସ୍କ ଯୁବତୀ ଅଥବା ମହିଳା ନିଖୋଜ ଥିବା ନେଇ ସମ୍ବଲପୁରର ଯେଉଁ ତଥ୍ୟ ମିଳିଛି ଅନ୍ୟ ଜିଲା ତୁଳନାରେ ତାହା ବେଶ୍ ଅଧିକ। ୨୦୨୩ରୁ ୨୦୨୫ ଡିସେମ୍ବର ସୁଦ୍ଧା ସମ୍ବଲପୁର ଜିଲାରୁ ୧୧୧୨ଜଣ ମହିଳା ନିଖୋଜ ହୋଇଛନ୍ତି। ସେଥିମଧ୍ୟରୁ ୭୫୬ଜଣଙ୍କୁ ସନ୍ଧାନ କରାଯାଇଥିବା ବେଳେ ୩୫୬ଜଣ ମହିଳା ଏବେ ବି ନିଖୋଜ ଅଛନ୍ତି। ଓଡ଼ିଶାରେ ବିଗତ ୩ବର୍ଷ ମଧ୍ୟରେ ନାବାଳିକା, ମହିଳା ଓ ଶିଶୁ ନିଖୋଜ ହୋଇଥିବା ସଂକ୍ରାନ୍ତରେ କଟକ ସାଲେପୁରର ବିଧାୟକ ପ୍ରଶାନ୍ତ ବେହେରା ବିଧାନସଭାରେ ଆଗତ କରିଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ତଥ୍ୟ ଦେଇଛନ୍ତି। ଗତ ୩ବର୍ଷରେ ଶହ ଶହ ସଂଖ୍ୟାରେ ମହିଳା କେଉଁ ଆଡ଼େ ଯାଇଛନ୍ତି ତାହା ଜଣା ନ ପଡ଼ିବା ସମ୍ଭାବ୍ୟ ମାନବ ଚାଲାଣ ନା ଅନ୍ୟ କ’ଣ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ।

    ପ୍ରକାଶ ଯେ, ୨୦୨୩ ମସିହାରେ ୩୩୮ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଥିବା ବେଳେ ୨୧୯ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା। ସେହିପରି ୨୦୨୪ ମସିହାରେ ୩୩୪ଜଣ ମହିଳା ନିଖୋଜ ହୋଇଥିବା ବେଳେ ୨୫୩ ଜଣ ମିଳିଛନ୍ତି। ୨୦୨୫ ମସିହାରେ ୪୪୦ଜଣ ମହିଳା ନିଖୋଜ ଥିଲେ, ପୁଲିସ ୨୮୪ ଜଣଙ୍କୁ ଖୋଜାଖୋଜି ପାଇବାରେ ସମର୍ଥ ହୋଇଛି। ଅପରପକ୍ଷେ ସମଗ୍ର ରାଜ୍ୟରେ ଏହି ସମୟ ଅବଧି ମଧ୍ୟରେ ୪୪ହଜାର ୧୮୦ମହିଳା ନିଖୋଜ ଥିବା ବେଳେ ହାରାହାରି ୬୫ ପ୍ରତିଶତ ଅର୍ଥାତ ୨୮, ୯୬୭ ମହିଳାଙ୍କ ପତ୍ତା ମିଳିଛି। କିନ୍ତୁ ୧୪ହଜାର ୭୦୦ ମହିଳା ନିଖୋଜ ଅଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ନିଖୋଜ ଶିଶୁ ଏବଂ ମହିଳା ଚାଲାଣ ସମସ୍ୟାର ମୁକାବିଲା ପାଇଁ ରାଜ୍ୟର ୩୬ଟି ପୁଲିସ ଜିଲାରେ ୩୬ଟି ସମନ୍ବିତ ମାନବ ଚାଲାଣ ପ୍ରତିରୋଧ ୟୁନିଟ (ଆଇଏଏଚଟିୟୁ) କାର୍ୟ୍ୟକରୁଛି। ‘ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସ୍ବତନ୍ତ୍ର ଭାବେ ରହିଥିବା ବେଳେ ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ ସବୁ କାର୍ୟ୍ୟକ୍ଷମ ରହିଛି। ରେଳଷ୍ଟେସନ ଏବଂ ବିମାନବନ୍ଦର ଗୁଡିକରେ ନିଖୋଜ ଶିଶୁ ଏବଂ ମାନବ ଚାଲାଣ ଚିହ୍ନଟ ତଥା ଏହାର ପ୍ରତିରୋଧ ନିମନ୍ତେ ସିଆଇଏସଏଫ ଏବଂ ଆରପିଏଫ ସହିତ ସମନ୍ବୟ ରକ୍ଷା କରିବା ପାଇଁ ଏକ ସ୍ଥାୟୀ ନିର୍ଦେଶନାମା ଜାରି କରାଯାଇଛି। ଏହିପରି ବହୁ ବ୍ୟବସ୍ଥା ସତ୍ତ୍ବେ ସମ୍ଭାବ୍ୟ ମାନବ ଚାଲାଣକୁ ରୋକାଯାଇ ପାରୁନାହିଁ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook