ମୁଖ୍ୟ ଖବର
ଭୁବନେଶ୍ୱର: ତ୍ୟାଗ ଓ ଆତ୍ମବିଶ୍ୱାସର ଭିତ୍ତି ଉପରେ ଦୃଢ଼ଭାବେ ଦଣ୍ଡାୟମାନ ଆଜିର ଓଡ଼ିଶା, ସ୍ୱୀକୃତି ପାଇବାକୁ ଆଉ ଅପେକ୍ଷାରତ ନୁହେଁ, ବରଂ ଉନ୍ନତି କରିବାକୁ, ପ୍ରସ୍ଫୁଟିତ କରିବାକୁ ଏବଂ ବିକଶିତ ଭାରତର ଅଭିବୃଦ୍ଧିର ଇଞ୍ଜିନ ଭାବରେ ନେତୃଥ୍ୱ ନେବାକୁ ପ୍ରସ୍ତୁତ ହୋଇଛି ।
ରାଜ୍ୟ ଯେତେବେଳେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଏକଶତବର୍ଷ ପୂରଣ କରିବ, ସେତେବେଳେ ଏହାକୁ ଗୌରବ, ସମୃଦ୍ଧି ଓ ସୁସ୍ପଷ୍ଟ ଉଦେ୍ଧଶ୍ୟବୋଧ ସହ ଦୃଢଭାବେ ଦଣ୍ଡାୟମାନ କରିବାକୁ ମୋ ସରକାର ପ୍ରତିବଦ୍ଧ । “ ସମୃଦ୍ଧ ଓଡ଼ିଶା” ଦୃଷ୍ଟିକୋଣ ସାକାର କରିବାକୁ, ମୋ ସରକାର, ନବସୃଜନଶୀଳ ଅଭିବୃଦ୍ଧିକୁ ଅବ୍ୟାହତ ରଖିବା, ସମାବେଶୀ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା, ପ୍ରତ୍ୟେକ ନାଗରିକ ପାଇଁ ସୁଯୋଗ ସୃଷ୍ଟି କରିବା, କୃଷି ଓ ଶିଳ୍ପକୁ ସଶକ୍ତ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ମାଧ୍ୟମରେ ଜୀବନମାନ ଉନ୍ନତ କରିବା, ସବୁଜ ବିକାଶକୁ ପ୍ରୋତ୍ସାନ, ସଂଯୋଗତା ବୃଦ୍ଧି, ଲୋକଶକ୍ତିକୁ ସକ୍ରିୟ କରିବା ଏବଂ ନ୍ୟାୟସଂଗତ ସମୃଦ୍ଧି ହାସଲ କରିବାକୁ ସଂକଳ୍ପବଦ୍ଧ ।
୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ମୋ ସରକାର ଏକ ବିସ୍ତୃତ ଭିଜନ ଡକୁ୍ୟମେଣ୍ଟ ପ୍ରସ୍ତୁତ କରିଛନ୍ତି, ଯାହାକି ଭାରତର ଶତବାର୍ଷିକୀ ରୋଡମ୍ୟାପ ସହିତ ସମ୍ବନ୍ୱିତ ଏବଂ ନାଗରିକ ଓ ଅଂଶୀଦାରମାନଙ୍କ ସହିତ ବ୍ୟାପକ ପରାମର୍ଶ ମାଧ୍ୟମରେ ବିକଶିତ କରାଯାଇଛି । ଏହି ଡକୁ୍ୟମେଣ୍ଟକୁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ଜୁନ ୨୦୨୫ରେ ଉନ୍ମୋଚନ କରିଥିଲେ, ଯାହା ଏକ ସୁସଂଗଠିତ ଦୀର୍ଘମିଆଦି ଭିଜନ ଢ଼ାଞ୍ଚା ଥିବା ରାଜ୍ୟଭାବେ ଓଡ଼ିଶାକୁ ଦେଶର ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରାଇଛି ।
୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ଏବଂ ୨୦୨୭ ସୁଦ୍ଧେ ୧.୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଏହି ଭିଜନ ଲକ୍ଷ୍ୟ ରଖିଛି । ଏହା ଜାତୀୟ ମୋଟ ଘରୋଇ ଉପôାଦରେ ରାଜ୍ୟର ଅବଦାନକୁ ୩ରୁ ୫%କୁ ବୃଦ୍ଧି କରିବା ସହିତ ନିବେଶ, କାର୍ଯ୍ୟାନ୍ୱୟନ ଏବଂ ପ୍ରଯୁକ୍ତି ଅନୁପ୍ରୋୟଗରେ ସୁଧାର ମାଧ୍ୟମରେ ସାଧାରଣ ବାର୍ଷିକ ବୃଦ୍ଧିହାରକୁ ୭ରୁ ୯.୫%କୁ ବୃଦ୍ଧି କରିବାକୁ ଉଦେ୍ଧଶ୍ୟ ରଖିଛି । ସେହିପରି, ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଜୀବନଧାରଣ ମାନକୁ ସୁଧାରିବା, ବହୁମୁଖୀ ଦାରିଦ୍ର୍ୟକୁ ୫%କୁ କମାଇବା, ଆୟୁ ସୀମାକୁ ୮୦ ବର୍ଷରୁ ଅଧିକ କରିବା ଏବଂ ରକ୍ତହୀନତା ଓ ପୌଷ୍ଟିକ ଅଭାବକୁ ନିରାକରଣ କରିବା ଲକ୍ଷ୍ୟ ରଖାଯାଇଛି ।
ପ୍ରାୟ ୮୩୦୮ କୋଟି ଟଙ୍କା ବିନିଯୋଗରେ ୬ ଲେନ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ(ଭୁବନେଶ୍ୱର ବାଇପାସ) ନିର୍ମାଣ ପାଇଁ ସବୁଜ ସଙ୍କେତ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାନବାହାନ ଭିଡ଼ କମାଇବା ସହିତ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ ।
ଭିତ୍ତିଭୂମି କେବଳ କଂକ୍ରିଟ ଓ ଇସ୍ପାତ ନୁହେଁ-ଏହା, ସମୃଦ୍ଧ ଓଡ଼ିଶା ୨୦୨୬ ପାଇଁ ପ୍ରତ୍ୟେକ ସ୍ୱପ୍ନର ନୀରବ ସମର୍ଥକ । ରାଜପଥ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନ-୨୦୨୫ ପ୍ରଣୟନ କରାଯାଇଛି । ସ୍ୱଚ୍ଛ ଭାରତ ମିଶନ(ସହର) ୨.୦ ଅଧୀନରେ ବିକେନ୍ଦ୍ରୀକୃତ “ବର୍ଜ୍ୟରୁ ସମ୍ପଦ” ପଦ୍ଧତି ଗ୍ରହଣ କରି “ ଆବର୍ଜନା ମୁକ୍ତ” ଓଡ଼ିଶା ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ୧୦୬ଟି ସହରାଞ୍ଚଳ ଜଳାଶୟର ପୁନଃରୁଦ୍ଧାର ଓ ୨୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସକ୍ରିୟ ସହଭାଗୀତାରେ ୩୮୦୦ ବୃକ୍ଷଚାରା ରୋପଣ ମାଧ୍ୟମରେ ସ୍ଥାୟୀ ସହରୀ ଉନ୍ନୟନରେ ଉକôୃଷ୍ଟ ପ୍ରଗତି ହୋଇଛି । ଅମୃତ-୨.୦ ଅଧୀନରେ ଓଡ଼ିଶା ଜାତୀୟ ରାଙ୍କିଂ ମାନ୍ୟତାରେ ଶୀର୍ଷ ସ୍ଥାନ ପାଇଛି ।
ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମର କମିଶନ-ଭୁକ୍ତ ଆୟ ମଡେଲ ଏବଂ କାର୍ଯ୍ୟକ୍ଷମ ଉକ୍ରର୍ଷ ପାଇଁ ଓଡ଼ିଶକୁ ୨୦୨୫ ମସିହାରେ ୧୮ତମ ଅର୍ବାନ ମୋବିଲିଟି ଇଣ୍ଡିଆ ପୁରସ୍କାର ଏବଂ ଜାତୀୟ ପବ୍ଲିକ ବସ ପରିବହନ ଉକ୍ରର୍ଷତା ପୁରସ୍କାର ମିଳିଛି ।
ସମସ୍ତ ନାଗରିକଙ୍କ ପାଇଁ ୨୪.. ୭ ନିର୍ଭରଯୋଗ୍ୟ ଓ ଉଚ୍ଚମାନର ବିଦୁ୍ୟତ ସୁନିଶ୍ଚିତ କରିଛି ଏବଂ ୨୦୨୫ ମସିହାରେ ୬,୨୪୨ ମେଗାୱାଟର ସର୍ବାଧିକ ଚାହିଦାକୁ ସଫଳତାର ସହ ପୂରଣ କରିଛି ।
୨୦୩୦ ସୁଦ୍ଧା ସୌର, ବାୟୁ ଏବଂ ଉନ୍ନତ ଶକ୍ତି ସଞ୍ଚୟ ସମାଧାନ ମାଧ୍ୟମରେ ୧୦ ଗିଗାୱାଟ ପୁନଃ ନବୀକରଣୀୟ କ୍ଷମତା ସ୍ଥାପନା ସମ୍ମିଳିତ ଅଛି ।
୨୪ଟି ସରକାରୀ ଉଦ୍ୟୋଗ ଲାଭ କରୁଛନ୍ତି ଏବଂ ୯ଟି ସରକାରୀ ଉଦ୍ୟୋଗ ୨୦୨୪-୨୫ ଆର୍ଥିକ ବର୍ଷରେ ୮,୩୮୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି ।
‘ଭୋକାଲ୍ ଫର୍ ଲୋକାଲ୍’ ଏବଂ ‘ଆତ୍ମନିର୍ଭର ଭାରତ’ର ଆହ୍ୱାନରେ ପ୍ରେରିତ ହୋଇ, ମୋ ସରକାର ଓଡ଼ିଶାକୁ ପ୍ରତିଯୋଗିତାମୂଳକ ଉପôାଦନ ଓ ଉଦ୍ୟମ କେନ୍ଦ୍ରରେ ପରିଣତ କରୁଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶରେ ମୋଟ ଲୁହାପଥର ଉପôାଦନର ୬୧%ରୁ ଅଧିକ ଅବଦାନ ରଖିଛି । ଦେଶରେ ଇସ୍ପାତ ଓ ଷ୍ଟେନଲେସ ଷ୍ଟିଲ ଉପôାଦନରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ୧୦୦ ନିୟୁତ ଟନ ଇସ୍ପାତ ଯୋଗାଇବାକୁ ଓଡ଼ିଶା ନିଜକୁ ପ୍ରସ୍ତୁତ ରଖିଛି ।
୨୦୨୫ ମସିହାରେ ଓଡ଼ିଶାର ଶିଳ୍ପାୟନ କ୍ଷମତାକୁ ନିର୍ଣ୍ଣାୟକ ଭାବରେ ପ୍ରଦର୍ଶନ କରିଛଇ, ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛି ।
ଓଡ଼ିଶା ମୋଟ ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଗ୍ରହକୁ ଆକର୍ଷିତ କରିଛି । ଏହି ସମୟ ମଧ୍ୟରେ ,ମୋ ସରକାର ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ଭାବନା ଏବଂ ୪.୬୫ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ସହିତ ୩୪୩ଟି ବୃହତ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି ।
ମୋ ସରକାର ଡିସେମ୍ବର ୨୦୨୫ ସୁଦ୍ଧା ୧୨.୭୨ ଲକ୍ଷ ଏମ୍ଏସ୍ଏମ୍ଇ ଉଦ୍ୟୋଗକୁ ଉଦ୍ୟମ ପୋର୍ଟାଲ ଅଧୀନରେ ପଞ୍ଜିକୃତ କରିଛନ୍ତି । ଏଥିରେ ୧୨.୬୧ ଲକ୍ଷ ସୂକ୍ଷ୍ମ, ୯୯୫୯ କ୍ଷୁଦ୍ର ଓ ୬୦୧ ମଧ୍ୟମ ଉଦ୍ୟମ ସାମିଲ ହୋଇଛନ୍ତି । ଡିସେମ୍ବର ୨୦୨୫ ସୁଦ୍ଧା ରାଜ୍ୟରେ ୧୬୪୯.୫୧ କୋଟି ଟଙ୍କାର ୨୩୮ଟି ପୁଞ୍ଜିନିବେଶ ପ୍ରସ୍ତାବ ଡିଏଲଏସଡବ୍ଲୁ୍ୟସିଏ ଦ୍ୱାରା ଅନୁମୋଦିତ ହୋଇଛି । ଏମଏସଏମଇ ବିକାଶ ନୀତି ଅଧୀନରେ ୭୪ଟି ଏମଏସଏମଇ ୧୫.୫୧ କୋଟି ଟଙ୍କା ପାଇଛନ୍ତି । ଏବଂ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ଅଧୀନରେ ୨୧ଟି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ୭.୬୦ କୋଟି ଟଙ୍କା ମଞ୍ଜୁର ଓ ପ୍ରଦାନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ରପ୍ତାନି କାରବାର, ୫୦୯୧୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରି ଓଡ଼ିଶାର ପ୍ରାଥମିକ ଶିକ୍ଷାର ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ, ୨୦୨୫-୨୬ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷରେ ୨୨୦୦ଟି ବିଦ୍ୟାଳୟ ପାଇଁ ୧୨୦୦୦କୋଟି ଟଙ୍କା ବ୍ୟୟ ହେବ । ୨୦୨୫-୨୬ ଶିକ୍ଷା ବର୍ଷରେ ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ଶିଶୁ ବାଟିକା’ ନାମରେ ୪୫ ହଜାରରୁ ଅଧିକ ପ୍ରାକ-ପ୍ରାଥମିକ ଶ୍ରେଣୀ ଆରମ୍ଭ କରାଯାଇ, ପ୍ରଥମଥର ପାଇଁ ୫ରୁ ୬ବର୍ଷ ବୟସର ପ୍ରାୟ ୩.୨ ଲକ୍ଷ ଶିଶୁ ନାମ ଲେଖାଇଛନ୍ତି । ଜାନୁଆରୀ ୨୦୨୫ରେ ରାଜ୍ୟ, ସ୍ଥାନୀୟ ପ୍ରାସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚାକୁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ଗ୍ରହଣ କରିଛି । ୨୦୨୬-୨୭ ଶିକ୍ଷାବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ ।
ମୋ ସରକାର ୧୭୬୫ଟି ବିଦ୍ୟାଳୟ ଏବଂ ୫୯୬୭ଟି ଛାତ୍ରାବାସ ମାଧ୍ୟମରେ ୫.୫୧ ଲକ୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ବିଦ୍ୟାଳୟ ସୁବିଧା ଯୋଗାଇ ଦେଇ, ରାଜ୍ୟବ୍ୟାପୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏକ ସହାୟକ ଶୈକ୍ଷିକ ପରିବେଶ ସୁନିଶ୍ଚିତ କରିଛନ୍ତି ।
ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ୍ରପ-ଆଉଟ ହାର ହ୍ରାସ କରିବା ପାଇଁ, ମୋ ସରକାର ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ୨୦୨୫-୨୬ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୭୬୦୭୫ ଜଣ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୩୮ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ।
ଉକ୍ରର୍ଷ ଆଇଟିଆଇ ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ତିନି ବର୍ଷ ଅବଧିରେ ମୋଟ ୫୦୦ କୋଟି ଟଙ୍କା ବ୍ୟୟ ସହିତ ୫ଟି ବିଦ୍ୟମାନ ଆଇଟିଆଇକୁ ଜୋନାଲ ଉକ୍ରର୍ଷ ଆଇଟିଆଇଭାବେ ଉନ୍ନୀତ କରିବ ।
ମୋ ସରକାର, ବିଜ୍ଞାନ ଭିତ୍ତିଭୂମି ଓ ସାର୍ବଜନିକ ବୈଜ୍ଞାନିକ ସହଭାଗିତାରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଛନ୍ତି । ମୋ ସରକାର, ୧୭ଟି ଉପ-ଯୋଜନାକୁ ଅନ୍ତର୍ଭୁକ୍ତ କରି ୧୧୧୩.୫୦ କୋଟି ଟଙ୍କାର ମୋଟ ବ୍ୟୟ ଅଟକଳରେ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଜୈବପ୍ରଯୁକ୍ତି ଗବେଷଣା, ନବସୃଜନ ଓ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ଏକ ପ୍ରମୁଖ ନୀତିଗତ ପଦକ୍ଷେପ ‘ଜୈବପ୍ରଯୁକ୍ତି ବିକାଶ’ ଯୋଜନା ଗ୍ରହଣ କରିଛନ୍ତି ।
୨୦୨୫-୨୬ରେ, ‘ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ର, ଏକ ପରିବର୍ତ୍ତନକାରୀ ସମ୍ପ୍ରସାରଣ କରିଥିଲା । ମୋ ସରକାର, ପୂର୍ବବର୍ଷ ତୁଳନାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୯% ବୃଦ୍ଧି ସହ ରେକର୍ଡ ୨୩୬୩୫ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ମୋ ସରକାର କଠୋର ପଦକ୍ଷେପ ସ୍ୱରୂପ ସମସ୍ତ ତମାଖୁ ଏବଂ ନିକୋଟିନ ଯୁକ୍ତ ପଦାର୍ଥର ଉପôାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରିଛନ୍ତି । ରାଜ୍ୟର ଖେଳାଳିମାନେ ଗତ କ୍ୟାଲେଣ୍ଡର ବର୍ଷରେ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରି, ପ୍ରାୟ ୬୦୦ଟି ପଦକ ଜିତିଥିଲେ । ମୋ ସରକାର ମହିଳା ସଶକ୍ତିକରଣ, ସୁରକ୍ଷା ଏବଂ ମର୍ଯ୍ୟାଦାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସୁଭଦ୍ରା ଅଧୀନରେ ଏପର୍ଯ୍ୟନ୍ତ ୧.୧୨ କୋଟିରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି ଏବଂ ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ବାବଦରେ ୧୫୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ ଲିଙ୍କେଜ ଲକ୍ଷ୍ୟ ରଖାଯାଇଛି ଏବଂ ଏ ପର୍ଯ୍ୟନ୍ତ ୧.୬୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବର୍ତ୍ତମାନ ୧୯ଟି ସରକାରୀ ବିଭାଗର କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି, ଯାହାକି ଗଭୀର ସାଂଗଠନିକ ସମନ୍ୱୟକୁ ପ୍ରତିଫଳିତ କରୁଛି । ୨୦୨୫-୨୬ ଆର୍ଥିକ ବର୍ଷରେ, ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଏସଏଚଜିଙ୍କୁ ୨୨୮ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି । ପ୍ରତ୍ୟେକ ଶିଶୁ ଆଗାମୀ କାଲିର ଭବିଷ୍ୟତ ;ତେଣୁ ମୋ ସରକାର ଏହାକୁ ସ୍ୱୀକାର କରନ୍ତି ଯେ ପ୍ରତ୍ୟେକ ଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣକୁ ଆଧାର କରି ଓଡିଶାର ୨୦୩୬ ଓ ୨୦୪୭ ଯାତ୍ରା ନିର୍ଭର କରେ ।
୨୦୨୫-୨୬ ଆର୍ଥିକ ବର୍ଷରେ ୬ ବର୍ଷରୁ କମ ବୟସ୍କ ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନକାରୀ ମା ଓ କିଶୋରୀ କନ୍ୟାମାନଙ୍କ ସମତେ ପ୍ରାୟ ୪୭.୭୮ ଲକ୍ଷ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ଓ ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିବୂରକ ପୁଷ୍ଟିସାର କାର୍ଯ୍ୟକ୍ରମ(ଏସଏନପି), କିଶୋରୀ ବାଳିକା ଯୋଜନା(ଏସଏଜି) ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମଏସପିୱାଇ) ଅଧୀନରେ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇଛି । ମମତା ଯୋଜନାରେ ୬୮.୪୨ ଲକ୍ଷ ଗର୍ଭବତୀ ଓ ସ୍ତନ୍ୟପାନକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୭୬୭ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି ।
ସମୃଦ୍ଧ କୃଷକ ଯୋଜନାରେ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ମୂଲ୍ୟରେ ଧାନ କ୍ରୟ ପାଇଁ ୬୦୦କୋଟି ଟଙ୍କା ଏବଂ ସିଏମ-କିଷାନ ଯୋଜନାରେ, ଆୟ ବୃଦ୍ଧି ଓ ଚାଷର ବିବିଧତା ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟ କରାଯିବା ଫଳରେ ଚାଷ ସହିତ ଜଡ଼ିତ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି । ମୋ ସରକାର ପୂର୍ବ ସମସ୍ତ ରେକର୍ଡକୁ ଅତିକ୍ରମ କରି, ୨୦୨୪-୨୫ରେ ୧୫୦.୪୮ ଲକ୍ଷ ମେଟ୍ରିକ ଟନ ଫସଲ ଉପôାଦନ ହାସଲ କରିଛି । ସିଏମ-କିଷାନ ଯୋଜନା ଅଧୀନରେ ୨୯୯୧ କୋଟି ଟଙ୍କାରୁ ଅଧିକ ଋଣ ବଣ୍ଟନ କରାଯାଇଛି, ଯାହା ଦ୍ୱାରା ୩୨୩୬ ଜଣ ପିଭିଟିଜି ଚାଷୀ ଓ ୩୧୬୯୫ ଜଣ ସହରାଞ୍ଚଳ ଚାଷୀ ସମେତ ୫୧.୫୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । କୃଷି ଯାନ୍ତ୍ରିକୀକରଣକୁ ପ୍ରାଥମିକତା ଦେଇ ୨୦୨୬ ସୁଦ୍ଧା ୩.୫୦ କିଲୋୱାଟ/ହେକ୍ଟର ଲକ୍ଷ୍ୟ ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟ/ହେକ୍ଟରର ଦୃଷ୍ଟିକୋଣ ରହିଛି ।
ମୋ ସରକାର, ସେପ୍ଟେମ୍ବରରୁ ନଭେମ୍ବର ୨୦୨୫ ତିନି ମାସ ଅବଧି ମଧ୍ୟରେ ଏନ୍ଏଫ୍ଏସ୍ଏ ଅଧୀନରେ ୯୬.୪୮ ଲକ୍ଷ ପରିବାର ଏବଂ ଏସ୍ଏଫ୍ଏସ୍ଏସ୍ ଅଧୀନରେ ୧.୩୮ ଲକ୍ଷ ପରିବାରକୁ ପ୍ରତି କାର୍ଡରେ ମାସିକ ୫ କେଜି ଅତିରିକ୍ତ ପୁଷ୍ଟିସାର ଯୁକ୍ତ ଚାଉଳ ଯୋଗାଇ ଦେଉଛନ୍ତି । ନୂତନ ରାସନକାର୍ଡ ପାଇଁ ସାରା ରାଜ୍ୟରେ ୧୫ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି ଏବଂ ମୋ ସରକାର ଏସ୍ଏଫ୍ଏସ୍ଏସ୍ ଅଧୀନରେ ଗ୍ରାମାଞ୍ଚଳ ପାଇଁ ୧୩.୫୦ ଲକ୍ଷ ହିତାଧିକାରୀ ଏବଂ ସହରାଞ୍ଚଳ ପାଇଁ ୧.୫୦ ଲକ୍ଷ ହିତାଧିକାରୀଙ୍କ ନିର୍ଦ୍ଧାରଣ କରିଛନ୍ତି । ସଂଗୃହୀତ ଧାନରୁ ଚାଉଳ ଉପôାଦନ ୨୦୨୪-୨୫ ଖରିଫ ଋତୁରେ ୬୨.୮୫ ଲକ୍ଷ ମେଟ୍ରିକ ଟନକୁ ପହଞ୍ଚିଛି ।
ଏମଏମଏସୱାଇ-ନୂତନ ସଂଯୋଗୀକରଣ ଅଧନରେ ଡିସେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ୩୬୩.୩୬ କିଲୋମିଟର ରାସ୍ତା ମଧ୍ୟରୁ ୧୫୯.୨୨ କିଲୋମିଟର ରାସ୍ତା ନିର୍ମାଣ ହୋଇଛି, ଏବଂ ଚଳିତ ବର୍ଷ ୨୭୧୧.୬୫ କିମି ଦୈର୍ଘ୍ୟ ବିଶିଷ୍ଟ ୬୪୮ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏକ ନୂତନ ଯୋଜନା ଏମଏମଏସୱାଇ-ବିପର୍ଯ୍ୟୟ ପ୍ରତିରୋଧୀ ରାସ୍ତା(ଡିଆରଆର) ମଧ୍ୟ ପ୍ରବର୍ତ୍ତନ କରିଛନ୍ତି,ଯାହା ଅଧୀନରେ ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷା ପ୍ରତି ସ୍ଥିରତା ବୃଦ୍ଧି କରିବା ପାଇଁ ୪୭୫.୫୯ କିମି ଲମ୍ବ ବିଶିଷ୍ଟ ୭୯ଟି ରାସ୍ତା ପ୍ରକଳ୍ପ ଅନୁମୋଦନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୩୯ଟି ସେତୁ-ତଥା-ଆଡ଼ିବନ୍ଧ ପ୍ରକଳ୍ପ ଅନୁମୋଦନ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟଲକ୍ଷ୍ୟ ୧୪୨.୮୭ କିଲୋମିଟର ମଧ୍ୟରୁ ଡିସେମ୍ବର ୨୦୨୫ ସୁଦ୍ଧା ୨୦.୦୮ କିମି ରାସ୍ତା ସମ୍ପୂର୍ଣ୍ଣ ହୋଇଛି ।
ସମସ୍ତ ଗ୍ରାମୀଣ ବସତିକୁ ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରିବା ମୋ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି ଏବଂ ୨୦୨୭ ସୁଦ୍ଧା ସମସ୍ତ ଘରକୁ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ(ଏଫଏଚଟିସି) ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି । ୧ ଏପ୍ରିଲ ୨୦୨୧ରୁ ୧୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜନଶୁଣାଣୀ ପୋର୍ଟାଲରେ ଗ୍ରହଣ କରାଯାଇଥିବା ମୋଟ ୧୪.୮୮ ଲକ୍ଷ ଅଭିଯୋଗ ମଧ୍ୟରୁ ୧୩.୫୬ ଲକ୍ଷ ଅଭିଯୋଗର ସମାଧାନ କରାଯାଇଛି । ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ଅଧୀନରେ ୬୫୦୭ ମାମଲା ମଧ୍ୟରୁ ୫୭୨୨ ମାମଲାର ସମାଧାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ୧ ଜୁନ ୨୦୨୪ରୁ ୧୫ ଡିସେମ୍ବର ୨୦୨୫ ମଧ୍ୟରେ ଗ୍ରହଣ କରଯାଇଥିବା ୧୩୩୫୮ଟି ଅଭିଯୋଗ ମଧ୍ୟରୁ ୧୨୫୯୨ଟିର ସମାଧାନ କରାଯାଇଥିଲା, ଯାହା ୯୪% ସମାଧାନ ହାର ହାସଲ କରିଥିଲା ।
ମଇ ୨୦୨୫ରେ ହୋଇଥିବା ଅଦିନିଆ ବର୍ଷା ୧୦୬୦୧ ହେକ୍ଟର ଜମିରେ ଧାନ ଫସଲ କ୍ଷତିଗ୍ରସ୍ତ କରିଥିଲା, ଯାହା ପାଇଁ ପ୍ରଭାବିତ ଚାଷୀମାନଙ୍କୁ ୧୭.୭୭ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ମୋ ସରକାର ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରୁ ମିଳୁଥିବା ସୁଧକୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟର ବ୍ୟବସ୍ଥିତ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ବିକାଶ ପାଇଁ ବ୍ୟବହାର କରାଯାଉଛି ।
ଆମର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ଆମ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏବଂ ଲୋକଙ୍କ ବିଶ୍ୱାସ ସହିତ ମୋ ସରକାର ଏକ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ ଓଡ଼ିଶା ନିର୍ମାଣ କରୁଛି । ଯେଉଁଠାରେ ଅଭିବୃଦ୍ଧି, ସହାନୁଭୂତି ବହନ କରେ ଏବଂ ବିକାଶ ମର୍ଯ୍ୟାଦା ପ୍ରଦାନ କରେ । ଭିଜନ ୨୦୩୬ ଆଡ଼କୁ ଆଗେଇ ଯାଇଥିବା ଆମର ଯାତ୍ରା, ଲୋକଙ୍କ ଆତ୍ମବିଶ୍ୱାସ ଦ୍ୱାରା ପରିଚାଳିତ, ଅନୁଷ୍ଠାନ ଦ୍ୱାରା ସଶକ୍ତ ଏବଂ ପ୍ରତ୍ୟେକ ଓଡ଼ିଆର ଭବିଷ୍ୟତ ଦ୍ୱାରା ପ୍ରେରିତ ।
Comments ସମସ୍ତ ମତାମତ