Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଜେଟ ଅଧିବେଶନ: ୧୬ରେ ସର୍ବଦଳୀୟ ବୈଠକ

    Share on :
    ajab-Image
    Date: Feb 12, 2026    Views: 2923

    ଭୁବନେଶ୍ୱର:ବିଧାନସଭାର ଆଗାମୀ ବଜେଟ ଅଧିବେଶନକୁ ନେଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ବିରୋଧୀ ଦଳ ଓ ଶାସକ ଦଳ ।ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ ଆସନ୍ତା ୧୭ରୁ । ମଝିରେ ମାତ୍ର ୫ ଦିନ ରହିଲା । ବିଧାନସଭାର ଏ ଅଧିବେଶନ ପୂର୍ବରୁ ରାଜ୍ୟ ରାଜନୀତି ପାଣିପାଗରେ ଅନେକ ଉଷ୍ମତା ପ୍ରବେଶ କରିସାରିଛି । ଗଲା କିଛିଦିନ ଭିତରେ ବିଜେଡିର ଅନେକ ତୃଣମୂଳ ସ୍ତର ନେତାଙ୍କୁ ବିଜେପି ନିଜ ଶିବିରକୁ ନେଇ ସାରିଛି । ବିଜେଡି ମଧ୍ୟ ସରକାର ବିରୋଧରେ ଲଗାତାର ଆକ୍ରମଣାତ୍ମକ ବୟାନବାଜି ଜାରି ରଖିଛି । କଂଗ୍ରେସ ମଧ୍ୟ ବଳ ବଢ଼ାଇବାକୁ ଲାଗି ପଡ଼ିଛି । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିପାଇଁ ଆସନ୍ତା ୧୬ ତାରିଖ ଦିନ ସାଢେ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।
    ଏଥର ବିଧାନସଭାରେ ହେବ ତଗଡ଼ା ଲଢ଼େଇ । କେନ୍ଦ୍ର ବଜେଟ ଓ ରାଜ୍ୟ ବଜେଟରୁ ଦୋଷ ଦୁର୍ବଳତା କାଢ଼ି ସରକାରଙ୍କୁ ଘେରିବେ ବିରୋଧୀ ଦଳ । ମହାନଦୀକୁ ପ୍ରମୁଖ ପ୍ରସଙ୍ଗ କରିବାକୁ ବିଜେଡି ବିଧାନସଭା ପୂର୍ବରୁ ହିଁ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି । ବିଜେଡିର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି, ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ରହିଛି । ଧାନ ମଣ୍ଡିରେ ଚାଷୀ ନିର୍ଯାତିତ ହେଉଛି । କଟନ ଛଟନୀ ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି । ସେପଟେ ମହାନଦୀ ପ୍ରସଙ୍ଗ ନେଇ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ରହିଛି । କୋଟିଆ, ପୋଲାଭରମ ଏଥର ବି ପ୍ରସଙ୍ଗ ହେବ । ରାଜ୍ୟରେ ଆଇନଶୃଙ୍ଖଳା ବଡ଼ ସମସ୍ୟା ହୋଇଛି । ୪ ମାସ ହେବ ଲୋକଙ୍କୁ ଭତ୍ତା ମିଳୁନି । ଗାଁ ଗାଁରେ ବିକାଶ କାମ ବନ୍ଦ ପଡ଼ିଛି । ମୋଟରଯାନ ପ୍ରଦୂଷର ପ୍ରମାଣପତ୍ର (ପିୟୁସିସି) ଯନ୍ତ୍ରଣା ବି ଉପସ୍ଥାପନ କରାଯିବ । ଏ ସବୁ ପ୍ରସଙ୍ଗରେ ସରକାରଙ୍କଠାରୁ ବିଜେଡି ଜବାବ ମାଗିବ ।

    କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ଚାଷୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ । ମଣ୍ଡି ସମସ୍ୟା ନେଇ କଂଗ୍ରେସ ସ୍ୱର ଉଠାଇବ । ଏହାବାଦ ମନରେଗା ବନ୍ଦ ହେବା ନେଇ କଂଗ୍ରେସ ଦୃଢ଼ ସ୍ୱର ଉପସ୍ଥାପନ କରିବ । ନାରୀ ନିର୍ଯାତନା ବୃଦ୍ଧି ଉଦବେଗର ବିଷୟର ହୋଇଛି । ଆଇନଶୃଙ୍ଖଳା ଓ ବିଜୁଳି ସମସ୍ୟା ମଧ୍ୟ ପ୍ରମୁଖ ପ୍ରସଙ୍ଗ ରହିଛି । ଆସନ୍ତା ୧୬ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ନେଇ ରଣନୀତି ଚୂଡ଼ାନ୍ତ କରାଯିବ ।

    ବିରୋଧୀ ଦଳକୁ ମୁକାବିଲା କରିବାକୁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାକୁ ମିଳୁଥିବା ଫାଇଦା ଗଣାଇବ ଶାସକ ଦଳ । ଖାଲି ସେତିକି ନୁହେଁ, ମୋଦିଙ୍କ କେନ୍ଦ୍ର ବଜେଟ ଓ ମୋହନ ସରକାରଙ୍କ ରାଜ୍ୟ ବଜେଟରେ ରାଜ୍ୟବାସୀ କିଭଳି ଉପକୃତ ହେବେ, ତା’ର ସଫଳତା ବଖାଣିବେ । ରେଳ ବଜେଟରୁ ଓଡ଼ିଶାକୁ ମିଳୁଥିବା ପ୍ୟାକେଜ ଓ ପ୍ରକଳ୍ପର ଦସ୍ତାବିଜ ମଧ୍ୟ ଥୋଇବେ । ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି, ବିରୋଧୀ ଦଳ ବିରୋଧ କରିବେ, ଅନେକ ପ୍ରସଙ୍ଗ ଉଠାଇବେ । ହେଲେ ବିରୋଧୀ ଦଳର ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଧାନ ବାବଦରେ ଅଧିକ ମୂଲ୍ୟ ମିଳୁଥିବାରୁ ରାଜ୍ୟରେ ଧାନ ଚାଷୀଙ୍କ ଭିତରେ ଆଗ୍ରହ ବଢ଼ିଯାଇଛି । ଚାଷୀଙ୍କ ଆୟ ବଢ଼ିଛି । ଅପରାଧ ବିରୋଧରେ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି । ଯାହା ବି ପ୍ରସଙ୍ଗ ଆସିବ, ତା’ର ଠିକଣା ଜବାବ ଦିଆଯିବ । ଏଭଳି ଟକରାଟକରି ଭିତରେ ବିଧାନସଭାରେ ଏଥର କିଛି ନୂଆ ସ୍ଥିତି ଦେଖିବାକୁ ମିଳିପାରେ ।

    ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭୂମିକା କ’ଣ ରହିବ? ନିଲମ୍ବିତ ବିଧାୟକ କାହା ସହ ସ୍ୱର ମିଶାଇବେ ଓ କାହାକୁ ଟାର୍ଗେଟ କରିବେ, ତାହା ଉପରେ ସାରା ରାଜ୍ୟର ନଜର ରହିବ । ସେହିପରି କଂଗ୍ରେସ ରାଜ୍ୟ ନେତୃତ୍ୱ ଓ କିଛି ବିଧାୟକଙ୍କ ଭିତରେ ବିବାଦ ଲାଗି ରହିଥିବା ଚର୍ଚ୍ଚାର ପ୍ରଭାବ ବିଧାନସଭାରେ ଦେଖିବାକୁ ମିଳିବ କି ନାହିଁ, ତାହା ମଧ୍ୟ ଆଉ ଏକ ପ୍ରମୁଖ ଘଟଣାବଳୀ ହେବ ବଜେଟ ଅଧିବେଶନରେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook