ମୁଖ୍ୟ ଖବର
ବେଜିଂ: ପୁଣିଥରେ ପୂରା ଦୁନିଆରେ କରୋନାର ଆତଙ୍କ ଆରମ୍ଭ ହୋଇଛି। କିଛି ଦିନ ପାଇଁ ବିପଦ କମ୍ ହେବା ପରେ ଏବେ ଆଉ ଥରେ ନିଜ କଳା କାୟା ମେଲାଇବା ଆରମ୍ଭ କରିଛି କରୋନା ଭାଇରସ୍। କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଆସୁଛି ଯେ ଏସିଆନ୍ ଗେମ୍ସକୁ ସ୍ଥଗିତ କରାଯାଇଛି। ଏ ନେଇ ଚୀନ୍ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ଏସିଆନ୍ ଗେମ୍ସ ସେପ୍ଟେମ୍ବର ୧୯ରୁ ୨୫ ମଧ୍ୟରେ ଆୟୋଜିତ ହେବାର ଥିଲା। ଏଥରକ ଚୀନ୍ରେ ଏହି ଗେମ୍ ଆୟୋଜିତ ହୋଇଥାନ୍ତା। ଚୀନ୍ର ଝାଙ୍ଗଝୋଓରେ ଏସିଆନ୍ ଗେମ୍ସ ନେଇ ପ୍ରସ୍ତୁତି ବି ଆରମ୍ଭ ହୋଇସାରିଥିଲା। କିନ୍ତୁ ଏବେ ଚୀନ୍ ପକ୍ଷରୁ କୁହାଯାଇଛି ଯେ ଆଉ ଆୟୋଜିତ ହେବନି ଏସିଆନ୍ ଗେମ୍ସ।
ଏସିଆନ୍ ଅଲମ୍ପିକ୍ କାଉନ୍ସିଲ୍ ପକ୍ଷରୁ କୁହାଯାଇଛି ଯେ ଏବେ ଏହି ଗେମ୍କୁ ସ୍ଥଗିତ ରଖାଯାଇଛି। କିନ୍ତୁ ଖେଳକୁ ସ୍ଥଗିତ ରଖାଯିବା ପଛର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର କୁହାଯାଉଛି ଯେ ପୁଣିଥରେ କରୋନା ଭାଇରସ୍ର ପ୍ରକୋପ ବଢ଼ୁଥିବାରୁ ଖେଳକୁ ରଦ୍ଦ ରଖାଯାଇଛି। ଚୀନ୍ରେ କରୋନାସଂକ୍ରମଣ ପୂର୍ବାପେକ୍ଷା ଅଧିକ ବଢ଼ିଛି। ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁ ହାର ବି ବଢ଼ୁଛି। ଏଣୁ ଦେଶରେ କୌଣସି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ଚାହୁଁ ନାହାନ୍ତି।
ପ୍ରକାଶ ଯେ ଏବେ ଚୀନ୍ରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପୂର୍ବରୁ କିଛି ଦିନ କରୋନାରେ ବ୍ରେକ୍ ଲାଗିଥିବା ବେଳେ ଏବେ ପୁଣିଥରେ ବ୍ୟାପିବାରେ ଲାଗିଛି ଏହି ମହାମାରୀ। କରୋନା ସଂକ୍ରମଣ ଏତେ ବେଗରେ ବ୍ୟାପୁଛି ଯେ ଚୀନ୍ର କେତେକ ସହରରେ ଲକ୍ଡାଉନ୍ ବି ଲାଗୁ କରାଯାଇଛି। ଲୋକଙ୍କୁ ପଦାକୁ ବାହାରିବାକୁ ମନା କରାଯାଇଛି। ଯଦି କେହି ନିୟମ ନ ମାନେ ତେବେ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଏବେ ଚୀନ୍ରେ କରୋନା ସ୍ଥିତି ପୂର୍ବ ତୁଳନାରେ ଆହୁରି ସାଂଘାତିକ ହୋଇଛି। ଏଠାରେ ମୃତ୍ୟୁ ହାର ବି ବଢ଼ୁଛି। ଏଭଳି ସ୍ଥିତିରେ ଏସିଆନ୍ ଗେମ୍ସ ଆୟୋଜନ କରି ଆଉ ଚିନ୍ତା ବଢ଼ାଇବାକୁ ଚାହୁଁ ନାହାନ୍ତି ଚୀନ୍ ସରକାର। ଏଣୁ ସେ ଏସିଆନ୍ ଗେମ୍କୁ ସ୍ଥଗିତ ରଖିଛନ୍ତି।
Comments ସମସ୍ତ ମତାମତ