ନୂଆଦିଲ୍ଲୀ: ଚାଇନାକୁ ହରାଇ ୫ମ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫିକୁ କବଜା କରିଛି ଭାରତ। ଫାଇନାଲରେ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ କଡ଼ା ସଂଘର୍ଷ ସହ ଚାଇନାକୁ ୧-୦ରେ ହରାଇ ଟ୍ରଫି ଜିତିଛି। ଭାରତ ପକ୍ଷରୁ ଯୁଗରାଜ ସିଂହ ହିଁ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହି ଗୋଲଟି ଶେଷ କ୍ୱାର୍ଟର(୫୧ତମ ମିନିଟ)ରେ ହିଁ ମିଳିଥିଲା। ଚାଇନା ପ୍ରଥମଥର ଫାଇନାଲ ଖେଳୁଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଥିଲା। ବିଶେଷ କରି ଚାଇନାର ଗୋଲ କିପର ଏକାଧିକ ଗୋଲକୁ ରୋକିବାକୁ ସକ୍ଷମ ହୋଇଥିଲେ।
ପ୍ୟାରିସ ଅଲମ୍ପିକରେ ବ୍ରୋଞ୍ଜ ପଦକ ପରେ ଭାରତୀୟ ହକି ଦଳ ଦେଶ ପାଇଁ ଆଣିଛି ଆଉ ଏକ ସଫଳତା। ଏସିଆନ ଚମ୍ପିଆନସିପ୍ ଫାଇନାଲ୍ରେ ଚୀନକୁ ହରାଇ ଭାରତ ଚାମ୍ପିଅନ ହୋଇଛି। ଭାରତୀୟ ହକି ଦଳର ଏହି ସଫଳତା ପରେ ସାରା ଦେଶରୁ ହକି ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହା ସହ ଅସମୟରେ ଭାରତୀୟ ହକି ଦଳର ହାତ ଧରି ଉପରକୁ ଉଠାଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମସ୍ତେ ପ୍ରଶଂସା କରୁଛନ୍ତି। ଭାରତୀୟ ହକି ଦଳ ଯେବେ ବି ତିରଙ୍ଗା ଉଡ଼ାଇବ, ସେତେବେଳେ ନବୀନ ମନେ ପଡ଼ିବେ ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ମତବ୍ୟକ୍ତ କରିଛନ୍ତି ।
Comments ସମସ୍ତ ମତାମତ