ମୁଖ୍ୟ ଖବର
ଭୁବନେଶ୍ୱର : ବିନ୍ଦୁ ସାଗର ସ୍ୱଚ୍ଛ ପ୍ରକଳ୍ପ କାର୍ଯ୍ୟ ନେଇ ଆୟୋଜିତ ସମାରୋହରେ ମୁହାଁମୁହିଁ ହୋଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ । କେହି କାହାକୁ ଟାର୍ଗେଟ କରିନଥିଲେବି ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ସାଂସଦ କଟାକ୍ଷ କରିଥିବାବେଳେ ଅପରପକ୍ଷରେ ଅଶୋକ ଏକାମ୍ର କ୍ଷେତ୍ରର ବିକାଶ ନେଇ ହୋଇଥିବା ହିସାବ ଫର୍ଦ୍ଧ ଦେଖାଇଥିଲେ ।
କ’ଣ କହିଲେ ଅପରାଜିତା ଷଡ଼ଙ୍ଗୀ ? ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେଯେ, ଆମେ ଅତ୍ୟନ୍ତ ଆନନ୍ଦିତ, ପୁରୁଣା ସ୍ୱପ୍ନ ପୂରଣ ହେବାକୁ ଯାଉଛି । କୁହାଯାଉଥିଲା ଏତେ ଟଙ୍କା ଖର୍ଚ୍ଚ ହେଲା ବୋଲି କୁହାଯାଉଥିଲା । କିନ୍ତୁ ତାହା ଦୃଶ୍ୟମାନ ହେଉନଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଇଓସିଏଲର ପ୍ରଚେଷ୍ଟା ଯୋଗୁଁ ୭୦ ଲକ୍ଷ ଟଙ୍କାର କାମ ହେବାକୁ ଯାଉଛି । କେଦାରଗୌରୀଠାରୁ ନେଇ ପାପନାଶିନୀ ପର୍ଯ୍ୟନ୍ତ ଅନେକ ଜଳାଶୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତେଣୁ ତାହାକୁ ସ୍ୱଚ୍ଛ କରିବା ଦରକାର । ବିନ୍ଦୁସାଗର ସ୍ୱଚ୍ଛତା ଅଭିଯାନ ହେଉଛି ମୋଦିଙ୍କ ସ୍ୱପ୍ନ । ବିନ୍ଦୁସାଗର ଜଳାଶୟର ସ୍ୱଚ୍ଛତା କାର୍ଯ୍ୟ ୪ ମାସରେ ସାରିବାକୁ ଲକ୍ଷ୍ୟ ରହିଛି । ଆମେ ଏହି କାମ ଦେଖିବାକୁ ଚାହୁଁଛୁ । ଆମେ ଦେଖିଲେ ହିଁ ବିଶ୍ୱାସ କରିବା । କେବଳ କହିଲେ କି ଆଶ୍ୱାସନା ଦେଲେ ହୁଏନାହିଁ । ସମନ୍ୱୟରେ ହିଁ ସଫଳତା ରହିଛି ବୋଲି ସେ କହିଥିଲେ । ସେହିପରି ସେ ପ୍ରକଳ୍ପ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
କ’ଣ କହିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା : ଜୟ ଲିଙ୍ଗରାଜ କହି ସେ ସମ୍ବୋଧନ ଆରମ୍ଭ କରିଥିଲେ । ସାଢେ଼ ୪ କୋଟି ଲୋକଙ୍କ ସ୍ପନ୍ଦନ ମୋ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଁ କୋଟି କୋଟି ପ୍ରଣାମ କରୁଛି, ତାଙ୍କ ସ୍ୱପ୍ନର ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି । ସେ ନିଜେ ଏବେ ବୁଲିକି ଦେଖିକି ଆସିଥିଲେ ।
ଶ୍ରୀ ପଣ୍ଡା କହିଲେଯେ, ସାଂସଦ କହୁଥିଲେଯେ, ୪ ମାସରେ ଶେଷ ହେବ । କିନ୍ତୁ ୪ ସପ୍ତାହ ଭିତରେ ଏହା ସାରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରାଯିବା ଦରକାର । ମୁଖ୍ୟମନ୍ତ୍ରୀ ୬ କୋଟି ଟଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଇଥିଲେ । ୩ କୋଟି ଟଙ୍କାର ପାଇପ ପଡ଼ି ଏଠାକୁ ପାଣି ଆସିବା ପାଇଁ କାର୍ଯ୍ୟ କରାଯାଉଛି । ଏକଥା ସାଂସଦ ଜାଣିବା ଦରକାର । କେଦାରଗୌରୀ ପାଇଁ ୯୩ ଲକ୍ଷ ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ଲିଙ୍ଗରାଜ ଆଇନ କରାଯାଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଅବଦାନ । ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଆଇନ କରାଯାଇଛି । ଗୋଦାବରୀ କୁଣ୍ଡ, କୋଟିତୀର୍ଥ ଠାରୁ ପାପନାଶିନୀ ଆଦି ସବୁର ରକ୍ଷଣାବେକ୍ଷଣ କରାଯିବାର ବ୍ୟବସ୍ଥା କରାଯାଇଛି । ଏକାମ୍ର ବନ ବି ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ ହେଉଛି । ବିନ୍ଦୁସାଗରରେ ଲାଇଟ ଆଣ୍ଡ ସୋ, ଲିଙ୍ଗରାଜ ଐତିହ୍ୟ ହାଟ, ମାର୍କେଟ କମ୍ପ୍ଲେକ୍ସ ଆଦି ହୋଇଛି । ଏମିତି ଅନେକ ହିସାବ ଦେଇଥିଲେ ଅଶୋକ ଚନ୍ଦ୍ର ପଣ୍ଡା ।
Comments ସମସ୍ତ ମତାମତ