ମୁଖ୍ୟ ଖବର
କଟକ: ଚୌଦ୍ୱାର୍ ସର୍କଲ୍ ଜେଲ୍ର ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି । ଚୌଦ୍ୱାର ଥାନା ପୁଲିସ ତାଙ୍କୁ ଭୁବନେଶ୍ୱର ସହିଦନଗରସ୍ଥିତ ବାସଭବନରୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସୁଜିତଙ୍କୁ ଚୌଦ୍ୱାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ତେବେ ଜଣେ ଜେଲ୍ ଅଧୀକ୍ଷକ ଗିରଫ ହୋଇ ନିଜ ଜେଲ୍ ରହିବା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ମଣ୍ଡଳ କାରାଗାରର ଗୁରୁତ୍ୱପୂର୍ଣ୍ଣ ମିନିଟ୍ସ ବୁକ୍ରେ ଚଞ୍ଚକତା କରିବା ନେଇ ସୁଜିତଙ୍କ ନାଁରେ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା । ଜେଲ୍ରୁ ଦୁଇ ବିହାରୀ ଅପରାଧୀ ଫେରାର୍ ହେବା ପରେ ସୁଜିତ ନିଜକୁ ବଞ୍ଚାଇବା ପାଇଁ ଏଭଳି ଚଞ୍ଚକତା କରିଥିଲେ ବୋଲି ତାଙ୍କ ନାଁରେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶ ଏତଲା ଦେଇଥିଲେ । ଗିରଫଦାରୀ ଏଡ଼ାଇବା ପାଇଁ ସୁଜିତ୍ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମ୍କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ଜାମିନ୍ ଆବେଦନ ବିଚାରାଧୀନ ।୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଚୌଦ୍ୱାର ଜେଲ୍ରୁ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର୍ ହୋଇଯାଇଥିଲେ । ସେ ସମୟରେ ଜେଲ୍ର ଅଧୀକ୍ଷକ ସୁଜିତ ରାଉଳ ଡ୍ୟୁଟିରେ ନ ଥିଲେ । ଏହି ବେଆଇନ ଅନୁପସ୍ଥିତିକୁ ଲୁଚାଇବାକୁ ଯାଇ ସେ ଜେଲ୍ର ମିନିଟ୍ସ ବୁକ୍ରେ ଜାଲିଆତି କରିଥିଲେ । ନିଜ ଉପସ୍ଥିତି ଜାହିର କରିବା ସହିତ ଜେଲରଙ୍କ ଅଜାଣତରେ ତାଙ୍କ କାଗଜପତ୍ରରେ ଜାଲ୍ ଦସ୍ତଖତ ବି କରାଇଥିଲେ । ଏହା ଜେଲର୍ ସନ୍ତୋଷିନୀ ଦାଶ ଜାଣି ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ମିନିଟ୍ସ ବୁକ୍ ଓ ଅନ୍ୟ କାଗଜପତ୍ର ପହଞ୍ଚାଇବା ପାଇଁ ବାରମ୍ବାର ଅଧୀକ୍ଷକ ଶ୍ରୀ ରାଉଳଙ୍କୁ ଚିଠି କରିଥିଲା । ମାତ୍ର ସେ ତାହା ପ୍ରଦାନ କଲେନି । ଇତିମଧ୍ୟରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଅଧୀକ୍ଷକ ସୁଜିତ ରାଉଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ସୁଜିତଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ।
ମାତ୍ର ଗତ ଅଗଷ୍ଟ ୨୯ ତାରିଖରେ ସୁଜିତଙ୍କ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିବା ସହିତ ଆଗୁଆ ଜାମିନ ଆବେଦନକୁ ରଦ୍ଦ କରିଦେଇଥିଲେ । ଗତ ସେପ୍ଟେମ୍ବର ୪ରେ ସୁଜିତ ଆଗୁଆ ଜାମିନ ଆବେଦନ ସୁପ୍ରିମ୍କୋର୍ଟରେ କରିଥିଲେ । ହାଇକୋର୍ଟଙ୍କ ଆଦେଶକୁ ସେ ସୁପ୍ରିମ୍କୋର୍ଟରେ ଚାଲେଞ୍ଜ୍ କରିଥିଲେ । ଯାହା ଏବେ ବିଚାରାଧୀନ । ଚୌଦ୍ୱାର ପୁଲିସ ମଧ୍ୟରାତ୍ରିରେ ସୁଜିତଙ୍କୁ କୋର୍ଟରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୁଜିତଙ୍କୁ ଚୌଦ୍ୱାର ଜେଲ୍ରେ ରଖାଯାଇଛି ।
Comments ସମସ୍ତ ମତାମତ