Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏସ୍‌ଆଇଙ୍କୁ ବାନ୍ଧିଲା ପୁଲିସ

    Share on :
    ajab-Image
    Date: Aug 23, 2026    Views: 3339

    ବାରିପଦା: ଖାକିରେ ଲାଗିଲା କଳଙ୍କର ଛିଟା । ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ ନାୟକଙ୍କ ନାମରେ ଯୌତୁକ ନିର୍ଯାତନା, ହତ୍ୟା ଅଭିଯୋଗ ଆଣିଛନ୍ତି ପତ୍ନୀ । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଓ ବିବାହ ପରେ ନବବିବାହିତା ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ, ସଭି ର୍ସ ବନ୍ଧୁକ ଦେଖାଇ ହତ୍ୟା ଧମକ ଓ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ଏସ୍ଆଇ । ଏନେଇ ପତ୍ନୀ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ମାମଲା ରୁଜୁ କରି ଅଭିଯୁକ୍ତ ଏସ୍ଆଇକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଏସ୍ଆଇ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅଧୀନ ବଣିଆପାଟ ଗ୍ରାମର ଜମେଶ୍ୱର ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ ।ସୂଚନା ମୁତାବକ ପୁରୀ ଜିଲ୍ଲା ଅଞ୍ଚଳର ୩୧ ବର୍ଷୀୟା ଯୁବତୀଙ୍କ ସହ ୪ବର୍ଷ ହେବ ପରିଚୟ ସୃଷ୍ଟି ହେବା ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀଙ୍କର ବିବାହକୁ ପ୍ରଭାତ ବାରମ୍ବାର ଭାଙ୍ଗିଦେବା ସହିତ ବିବାହର ପ୍ରତିଶ୍ରୁତି ଦେଇଥିଲେ । ୨୦୨୫ ମସିହା ଡିସେମ୍ବର ୨୫ତାରିଖ ରାତିରେ ଯୁବତୀଙ୍କ ଅନିଚ୍ଛା ସତ୍ତେ୍ୱ ବଳାତ୍କାର କରିବା ସହିତ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯୁବତୀ ଜଣକ ବିବାହ କରିବାକୁ ଜିଦ୍ ଧରି ବସିଥିଲେ ସୁଦ୍ଧା ପ୍ରଭାତ ବିଭିନ୍ନ ବାହାନା କରି ଆଡ଼େଇ ଚାଲିଥିଲେ । ଚାରିବର୍ଷର ସମ୍ପର୍କ ମଧ୍ୟରେ ଯୁବତୀଙ୍କ ଠାରୁ ପ୍ରଭାତ ପର୍ଯ୍ୟାୟକ୍ରମେ ୧ ଲକ୍ଷ ୭୯ ହଜାର ୮୭୫ ଟଙ୍କା ସମେତ ଦୁଇଟି ରୁପା ବ୍ରେସଲେଟ ମଧ୍ୟ ନେଇଥିବା ଏତଲାରେ ଦର୍ଶାଇଛନ୍ତି । ଅର୍ଥାଭାବ ଯୋଗୁଁ ବିବାହ କରିବା ସମ୍ଭବପର ନୁହେଁ ବୋଲି କହିବା ସହିତ ବିବାହ ପାଇଁ ନଗଦ ୧୦ ଲକ୍ଷ ଟଙ୍କା ଓ ୨୦ ଭରି ସୁନା ଗହଣା ଯୌତୁକ ଆକାରରେ ପ୍ରଭାତ ଦାବି କରିଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି । ଶେଷରେ ଘରଲୋକଙ୍କ ସହାୟତାରେ ୭ ଲକ୍ଷ ଟଙ୍କାର ସୁନା ଗହଣା କିଣି ପ୍ରଭାତଙ୍କୁ ରସିଦ ପଠାଇଥିଲେ ସୁଦ୍ଧା ପ୍ରଭାତ ଫୋନ ଉଠାଉ ନଥିଲେ । ଯୋଗାଯୋଗ ବନ୍ଦ କରିଦେଇଥିଲେ ।ଶେଷରେ ଅନ୍ୟ ଉପାୟ ନପାଇ ଯୁବତୀ ଜଣକ ପ୍ରଭାତଙ୍କୁ ଦେଖା କରିବାକୁ ଗତ ଏପ୍ରିଲ ୧ତାରିଖରେ ବାରିପଦା ଟାଉନ ଥାନାକୁ ଆସିଥିଲେ । ପ୍ରଭାତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଯୁବତୀ ଜଣକ ଆରକ୍ଷୀ ଅଧୀକ୍ଷକ, ଏସଡିପିଓ, ରିଜର୍ଭ ଇନ୍ସପେକ୍ଟର ଓ ଥାନା ଆଇଆଇସିଙ୍କ ନିକଟରେ ଅଭିଯୋଗ କରିବାରୁ ପ୍ରଭାତ କ୍ଷମା ମାଗି ବୁଝାସୁଝା କରିଥିଲେ । ଏହିଭଳି ବାରମ୍ବାର ନିର୍ଯାତନା ସହିନପାରି ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ । ପରେ ପ୍ରଭାତ ଗତ ଜୁନ ମାସ ୧୨ତାରିଖରେ କୁଳିଅଣାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ପରେ ସ୍ତ୍ରୀକୁ ନିଜ ଘରକୁ ନନେଇ ଏକାକୀ କୁଆଡ଼େ ପଳାଇ ଯାଇଥିଲେ । ଶେଷରେ ଗତ ଜୁଲାଇ ମାସ ୧ତାରିଖରେ ସ୍ୱାମୀଙ୍କୁ ଖୋଜିଖୋଜି ସ୍ତ୍ରୀ ପ୍ରଭାତଙ୍କ ପୈତୃକଘର କେନ୍ଦୁଝର ଜିଲ୍ଲା ବଣିଆପାଟକୁ ଯାଇଥିଲେ । ସେଠାରେ ପ୍ରଭାତଙ୍କ ମା', ବଡ଼ଭାଇ ଓ ଭାଉଜ ପ୍ରମୁଖ ଗାଳିଗୁଲଜ କରି ବୋହୂ ବୋଲି ସ୍ୱୀକାର ନକରିବାରୁ ମାମଲା କେନ୍ଦୁଝର ଟାଉନ୍ ଥାନା ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଭାତ ପହଞ୍ଚି ଆଲୋଚନା କରିବା ସହ ଲିଖିତ ଭାବେ ସ୍ତ୍ରୀ ବୋଲି ସ୍ୱୀକାର କରିବା ପରେ ସମାଧାନ ହୋଇଥିଲା ।ଏହାପରେ ପୁଣି ୧୦ ଲକ୍ଷ ଟଙ୍କା ଅଧିକ ଯୌତୁକ ଦାବିକରି ପ୍ରଭାତଙ୍କ ବଡ଼ଭାଇ ଓ ପ୍ରଭାତ ମାରପିଟ ଓ ଧମକ ଚମକ ଦେଇଥିଲେ । ପରେ ଜୁଲାଇ ମାସ ୨ତାରିଖରେ ଉଭୟ ବସ୍‌ରେ କେନ୍ଦୁଝରରୁ ବାରିପଦା ଆସିବା ପରେ ପ୍ରଭାତଙ୍କୁ କୋର୍ଟ ବିବାହ ପାଇଁ କହିବାରୁ ପ୍ରଭାତ ରୋକଠୋକ ମନା କରିବା ସହ ଭଦ୍ରକ ଜିଲ୍ଲାର ଜଣେ ଯୁବତୀକୁ ବିବାହ କରିବେ ବୋଲି କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେବା ପରେ ପ୍ରଭାତ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲେ । ଏନେଇ ପ୍ରଭାତଙ୍କ ସ୍ତ୍ରୀ ଟାଉନ ଥାନାରେ ଏତଲା ଦାଏର କରିଥିଲେ । ଦୁଷ୍କର୍ମ, ହତ୍ୟା ଉଦ୍ୟମ, ହତ୍ୟା ଧମକ ସମେତ ବିଭିନ୍ନ ଦଫାରେ ଟାଉନ ଥାନା ପୁଲିସ ମାମଲା ରୁଜୁ କରିଥିଲେ । ଉକ୍ତ ସମସ୍ତ ଘଟଣାକୁ ଚପାଇବା ପାଇଁ ବାରିପଦାର ଜଣେ ମହିଳା ପାୟଲ ରାୟଙ୍କ ସମେତ ୭ଜଣ ମିଳିତ ଭାବେ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି ଏସଆଇଙ୍କ ପତ୍ନୀ ।
    ଏ ସଂକ୍ରାନ୍ତରେ ଅଭିଯୁକ୍ତ ଏସଆଇ ପ୍ରଭାତ ନାୟକ କହିଛନ୍ତି ଲଭ୍, ସେକ୍ସ ଓ ଧୋକା ଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ସ୍ୱାମୀ, ସ୍ତ୍ରୀ ମଧ୍ୟରେ ମତାନ୍ତର ଓ ମନାନ୍ତର ରହିଛି । ଅର୍ଥାଭାବ ଯୋଗୁଁ ମୁଁ ସ୍ତ୍ରୀକୁ ଭଡ଼ା ଘରେ ରଖିପାରୁ ନଥିଲି । ବାରମ୍ବାର ସ୍ତ୍ରୀ ଆତ୍ମହତ୍ୟାର ଧମକ ଦେଉଥଲେ । ଘଟଣାର ତଦନ୍ତ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଏସଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି, ଅଭିଯୋଗ ଅନୁଯାୟୀ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ । ଅଭିଯୁକ୍ତ ଏସଆଇ ପ୍ରଭାତ କୁମାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook