ମୁଖ୍ୟ ଖବର
ପୁରୀ: ପ୍ରେମିକାକୁ ହୋଟେଲରେ ଦୁଷ୍କର୍ମ ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ପ୍ରେମିକକୁ ଗିରଫ କରିଛି । ତାକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ । ପ୍ରେମିକ ହେଲା ବ୍ରହ୍ମଗିରି ଥାନା ଅଧୀନ ହାତିଆର ସନ୍ତୋଷ ଦଳେଇ (୩୩) ।
ପୁଲିସ ସୂଚନାନୁଯାୟୀ, ସନ୍ତୋଷର ବ୍ରହ୍ମଗିରି ଅଞ୍ଚଳର ଜଣେ ଯୁବତୀଙ୍କ ସହ ୨୦୨୦ ମସିହା ଏପ୍ରିଲ ୧୧ରେ ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଫୋନ୍ରେ ବାର୍ତ୍ତାଳାପ ଜାରି ରହିଥିଲା । ଏପରିକି ଉଭୟେ ଜୀବନସାଥି ହେବେ ବୋଲି ନିଷ୍ପତ୍ତି ନେଇଥିଲେ । ୨୦୨୫ ମସିହା ନଭେମ୍ବର ମାସରେ ସନ୍ତୋଷ ପ୍ରେମିକାକୁ ପୁରୀ ବୁଲାଇ ଆଣି ସିଟିରୋଡସ୍ଥିତ ଏକ ହୋଟେଲରେ ରଖିଥିଲା । ବିବାହ କରିବା ଲାଗି ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ।
ଅନ୍ୟପକ୍ଷରେ ସନ୍ତୋଷର ଅନ୍ୟ ଏକ ସ୍ଥାନରେ ବିବାହ ଠିକ୍ ହୋଇଥିବା ଶୁଣିଥିଲା ପ୍ରେମିକା । ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ଉଭୟ ପରିବାର ପକ୍ଷରୁ ୨୦୨୫ ମସିହା ଡିସେମ୍ବର ୧ରେ ବ୍ରହ୍ମଗିରିର ଏକ ମନ୍ଦିରରେ ଆଲୋଚନା ହୋଇଥିଲା । ସନ୍ତୋଷ ବିବାହ କରିବାକୁ ମନା କରିବା ସହ କିଛି ଟଙ୍କା ଦେବ ବୋଲି କହିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକା ଡିସେମ୍ବର ୩ ତାରିଖ ଅପରାହ୍ଣରେ ସନ୍ତୋଷ ଘରକୁ ଯାଇ ଦ୍ୱାର ସମ୍ମୁଖରେ ବିଷ ପିଇ ଦେଇଥିଲା । ସନ୍ତୋଷ ପ୍ରେମିକାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏନେଇ ଯୁବତୀ ଜଣଙ୍କ ଗତ ରବିବାର ରାତିରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ସନ୍ତୋଷକୁ ଗିରଫ କରିଛି ।
Comments ସମସ୍ତ ମତାମତ