ମୁଖ୍ୟ ଖବର
ଜଗତସିଂହପୁର: ପାରାଦ୍ୱୀପ ସହର ଉପକଣ୍ଠ ତାରିଣୀଗଡାର ଚାରି ମହଲା କୋଠାଘରୁ ଯୁବତୀଙ୍କୁ ଠେଲି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୋଲିସ । ଯୁବତୀଙ୍କୁ ଦୁଷ୍କର୍ମ ପରେ ଚାରି ମହଲା କୋଠାରୁ ଫିଙ୍ଗି ହତ୍ୟା କରାଯାଇଥିବା ନେଇ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ଯୁବତୀଙ୍କ ପ୍ରେମିକ ସମେତ ଝାଡଖଣ୍ଡର ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ପୋଲିସ, ଅଭୟଚନ୍ଦପୁର ଥାନା ଢିଙ୍କିଆର ସୋମନାଥ ଓଝା (31) ଏବଂ ଝାଡ଼ଖଣ୍ଡର ଶୁଭମ କୁମାର ସିଂ (24)ଙ୍କୁ ଗିରଫ କରିଛି ।
ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମାଙ୍କ କହିବା ଅନୁସାରେ, "ଯୁବତୀ ଜଣଙ୍କ ଅଭୟଚନ୍ଦପୁର ଅଞ୍ଚଳର ସୋମନାଥ ଓଝାଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ଗତ 22 ତାରିଖ ଦିନ ଘରୁ ଶାରଳା ମନ୍ଦିର ଯାଉଛି କହି ଯୁବତୀ ଜଣଙ୍କ ପ୍ରେମିକ ସୋମନାଥଙ୍କୁ ଭେଟିବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ, ସୋମନାଥ ତାଙ୍କୁ ରାହାମା ବଜାର ନିକଟରେ ଛାଡ଼ି ଚାଲିଯାଇଥିଲା ।"
ପୋଲିସ କହିଛି, ଯୁବତୀ ଜଣକ ଅସହାୟ ଅବସ୍ଥାରେ ରାହମା ବଜାରରେ ଥିବାବେଳେ ଝାଡ଼ଖଣ୍ଡର ଶୁଭମ କୁମାର ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ କହି ମୋଟର ସାଇକେଲରେ ପାରାଦ୍ୱୀପ ନେଇ ଯାଇଥିଲା । ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ତାଙ୍କ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରିଥିଲା । ପରେ ଯୁବତୀଙ୍କୁ 4 ମହଲା ଛାତ ଉପରୁ ତଳକୁ ଠେଲି ଦେଇଥିଲା । ଫଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଅଭିଯୁକ୍ତ ଶୁଭମ ପ୍ରମାଣ ନଷ୍ଟ କରିବାକୁ ଯାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।ଏସପି ଅଙ୍କିତ କୁମାର ବର୍ମା କହିଛନ୍ତି, "22 ତାରିଖ ରାତିରେ ଯୁବତୀଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଛି । ପାରାଦ୍ବୀପ ପୋର୍ଟରେ କାମ କରୁଥିବା ଝାଡ଼ଖଣ୍ଡର ଶୁଭମ କୁମାର ସିଂ ତାଙ୍କୁ ଦୁଷ୍କର୍ମ କରି ଚତୁର୍ଥ ମହଲାରୁ ଫିଙ୍ଗି ଦେଇଥିବା ବେଳେ, ଯୁବତୀଙ୍କର ମୃତ୍ଯୁ ହୋଇଥିଲା ।"
ପୋଲିସ ପ୍ରଥମେ 23 ଫେବୃଆରୀରେ 2 ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ଏବଂ 27 ଫେବୃଆରୀରେ ଆନୁଷ୍ଠାନିକ ଭାବରେ ଗିରଫ କରିଥିଲା । ଗତକାଲି (ଶୁକ୍ରବାର) ଦୁଇ ଅଭିଯୁକ୍ତଙ୍କୁ କୁଜଙ୍ଗ ଜେଏମଏଫସି କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଦୁଇ ଅଭିଯୁକ୍ତଙ୍କୁ କୁଜଙ୍ଗ ସମାଗୋଳ ଜେଲକୁ ପଠାଇ ଦିଆଯାଇଛି ।
Comments ସମସ୍ତ ମତାମତ