ମୁଖ୍ୟ ଖବର
ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗ । 12 ଲୁଟେରାଙ୍କୁ କାବୁ କଲା ବଡଗଡ ଥାନା ଓ ସ୍ପେଶାଲ୍ ସ୍କ୍ବାଡ୍ ପୋଲିସ । ସାଇବର ଅପରାଧୀମାନେ ହେଲେ ବିହାର, କେରଳ ଓ ଓଡ଼ିଶାର । ଭୁବନେଶ୍ୱର ବଡଗଡରେ ଜଣକ ଘର ଭଡ଼ା ନେଇ ଚଳାଇ ଥିଲେ ଅପରେସନ ।
କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଛି ଏହି ଗ୍ୟାଙ୍ଗ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି 60 ଟି ମୋବାଇଲ ଫୋନ, ଲାପଟପ, ଗିଫ୍ଟ କାର୍ଡ, ଲଟେରୀ କାର୍ଡ ଓ ସିମକାର୍ଡ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିଲା ପଙ୍କଜ କୁମାର । ଭଉବନେଶ୍ବରରେ ଘରଭଡା ଦେଇଥିବା ମାଲିକ ଦେବାଶିଷ ତ୍ରିପାଠୀ କମିଶନ ନେଉଥିଲେ । ଏବେ ସୁଦ୍ଧା 3 କୋଟି ଟଙ୍କା ଠକେଇ ହୋଇଥିବା ନେଇ ପ୍ରମାଣ ମିଳିଥିବା ପୋଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବିହାରର ବିଜୟ କୁମାର (24), ପିଣ୍ଟୁ କୁମାର (27), ଅର୍ଜନୁ ରାଜ (22), ସଞ୍ଜୟ କୁମାର ରାୟ (42), ପଙ୍କଜ କୁମାର (37), ମନୀଷ କୁମାର (20), ଗୁଞ୍ଜନ କୁମାର (40), କେରଳର ଅଜୟ ରାଜ (39), ସାଂଥ୍ରୋ ଭି (25), ଅଜିତ ଏମ (25), ସରଥ ଶଶୀ (25) ଓ ଭୁବନେଶ୍ୱରର ଦେବାଶିଷ ତ୍ରିପାଠୀ (44), ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
କମିଶନରେଟ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା ପରେ ଏହା ସ୍ପଷ୍ଟ ଭାବରେ ଜଣାପଡ଼ିଛି ଯେ ଦେବାଶିଷ ତ୍ରିପାଠୀ, ଅର୍ଜୁନ, ବିଜୟ ଏବଂ ପଙ୍କଜ ହେଉଛନ୍ତି ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ବିଶେଷ କରି ପଙ୍କଜ ତାଙ୍କ ଗାଁରେ କାର୍ଯ୍ୟରତ ଏଜେଣ୍ଟମାନଙ୍କ ମାଧ୍ୟମରେ NAPTOL, MEESHO ଏବଂ ଅନ୍ୟାନ୍ୟ ଇ-କମର୍ସ ପ୍ଲାଟଫର୍ମ ସାଇଟ ଗୁଡ଼ିକର ସମ୍ପୂର୍ଣ୍ଣ ଗ୍ରାହକ ଡାଟାବେସ୍ ସଂଗ୍ରହ କରୁଥିଲେ ଏବଂ ଟଙ୍କା ଅନଲାଇନ୍ ଟ୍ରାନ୍ସଫର ପାଇଁ ଏହି ଅପରାଧ ଚଳାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସଂଗ୍ରହ କରୁଥିଲେ।ସାଇବର ଠକମାନେ ବିହାରରେ ଥିବା ସେମାନଙ୍କର ଏଜେଣ୍ଟମାନଙ୍କଠାରୁ UPI ହ୍ୟାଣ୍ଡେଲ ସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଂଗ୍ରହ କରୁଥିଲେ । ଏହା ସହିତ ଲୋକମାନେ ସେମାନଙ୍କର ଟଙ୍କା ଜମା, ସ୍ଥାନାନ୍ତର କରିବା ପାଇଁ ସେହି ଆକାଉଣ୍ଟ ନମ୍ବର, UPI ହ୍ୟାଣ୍ଡେଲ ଗୁଡ଼ିକୁ ସେୟାର କରୁଥିଲେ। ସେମାନେ ଗ୍ରାହକମାନଙ୍କୁ ଫୋନ୍ କଲ୍ କରିବା, ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଚଲାଇବା ପାଇଁ ନକଲି ଡକ୍ୟୁମେଣ୍ଟ ପ୍ରଦାନ କରୁଥିବା ଏଜେଣ୍ଟମାନଙ୍କ ମାଧ୍ୟମରେ ବିଭିନ୍ନ ମୋବାଇଲ୍ ସେବା ପ୍ରଦାନକାରୀଙ୍କଠାରୁ ନକଲି ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ମଧ୍ୟ ହାସଲ କରୁଥିଲେ। ବିଶେଷ କରି ସେମାନେ ତିନି ପ୍ରକାରେ ଲୋକଙ୍କୁ ଠକୁଥିଲେ ଯେପରିକି ଗିଫ୍ଟ ଭାଉଚରର ବିଜେତା, ଲଟେରୀ, ଋଣ ପ୍ରଦାନ ଭଳି ଯୋଜନା ମଧ୍ୟାମରେ ବୋଲି କହିଛନ୍ତି କମିଶରେଟ ପୋଲିସ ।
Comments ସମସ୍ତ ମତାମତ