ମୁଖ୍ୟ ଖବର
ନୂଆଦିଲ୍ଲୀ; ଓଡ଼ିଶା ଜୁନିୟର ଇଞ୍ଜିନିୟର (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଓଡ଼ିଶାରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରର ଲିଙ୍କ୍ ଥିବା ପର୍ଦ୍ଦାଫାସ୍ ହୋଇଛି । ବିହାର ସମସ୍ତିପୁରା ଜିଲ୍ଲାର ୩୫ ବର୍ଷୀୟ ରାଜ ମୋହନ ପ୍ରସାଦକୁ ଗିରଫ କରାଯାଇଛି । ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଭିଯୁକ୍ତକୁ ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ ।
ପୁଲିସ୍ର ସୂଚନା ଅନୁସାରେ, ଜେଇ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏ ପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି । ଜୁନିୟର ସିଭିଲ୍ ଇଞ୍ଜିନିୟରଙ୍କ ନିଯୁକ୍ତି ପରୀକ୍ଷା ଯାହା ୨୦୨୩ ଜୁଲାଇ ୧୬ରେ ହେବାର ଥିଲା ପ୍ରଶ୍ନପତ୍ର ଲିକ୍ ହେବାପରେ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ଅଭିଯୋଗ ଅନୁସାରେ,ରାଜ ମୋହନ ପ୍ରସାଦ, ବିଶାଲ କୁମାର, ବିଜେନ୍ଦ୍ର ଗୁପ୍ତା ଏବଂ ଅଜୟ କୁମାରଙ୍କ ସହିତ ପଶ୍ଚିମବଙ୍ଗ ଦୀଘା ନିକଟସ୍ଥ ଏକ ହୋଟେଲରୁ ଲିକ୍ ପ୍ରଶ୍ନପତ୍ର ଧରି ଯାଇଥିଲେ । ପ୍ରାୟ ୮୭ ଜଣ ପ୍ରାର୍ଥୀ ସେହି ସ୍ଥାନରୁ ପ୍ରଶ୍ନପତ୍ର ସଂଗ୍ରହ କରିଥିବା ଆକଳନ କରାଯାଉଛି । ପୁଲିସ୍ ଚଢାଉରେ ଧରା ପଡିଥିଲେ ।
ସୂଚନା ଆଧାରରେ, କ୍ରାଇମବ୍ରାଞ୍ଚ ଚଢାଉ କରି ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତଥାପି ରାଜ ପ୍ରସାଦ ପ୍ରଥମେ ଖସି ପଳାଇ ଯାଇଥିଲା ଏବଂ ସ୍ଥାନ ପରିବର୍ତ୍ତନ କରୁଥିଲା । ଗୋଟିଏ ବର୍ଷ ଧରି ଫେରାର ଥିବା ରାଜ ପ୍ରସାଦ ଶେଷରେ ଗିରଫ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ଏବଂ ଏହି ଦୁର୍ନୀତିରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରିବାକୁ କାମ କରୁଛି ପୁଲିସ । ପେପର୍ ଲିକରେ ଆଉ କିଏ କିଏ ସାମିଲ ଅଛନ୍ତି କେତେ ଟଙ୍କାରେ ଡିଲ୍ ହେଉଥିଲା ରାଜ ମୋହନକୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।
Comments ସମସ୍ତ ମତାମତ