Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ‘ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍’କୁ ବାଏ ବାଏ କଲେ ଅରିଜତ୍

    Share on :
    ajab-Image
    Date: Jan 28, 2026    Views: 3054

    ନୂଆଦିଲ୍ଲୀ: ଅରିଜତ୍ ସିଂହ । ସିର୍ଫ ନାମ ହି କାଫି । ଭର୍ସାଟାଇଲ ସିଙ୍ଗର । ନାମକରା କଣ୍ଠଶିଳ୍ପୀ । ନିଜ ନିଆରା କଣ୍ଠସ୍ୱରରେ ସେ କରନ୍ତି ମତୁଆଲା । ସଂଗୀତର ସୁମଧୁର ସ୍ୱରରେ ସେ ଭରିପାରନ୍ତି ରଙ୍ଗୀନ୍ ରୋମାନ୍ସ । ଦୁଃଖର ସ୍ୱରରେ ବିଚ୍ଛେଦର ଜ୍ୱାଳାକୁ ବଢ଼ାଇପାରନ୍ତି । ଆଖିରେ ଆଣନ୍ତି ‘ଲୁହର ଶ୍ରାବଣ’ । ‘ଜେନ ଜି’ଙ୍କ ଏ ଫେବରେଟ୍ ସିଙ୍ଗର ଆଉ ସିନେମାରେ ଗାଇବେନି । ଏ ବିଗ୍ ବ୍ରେକିଂ ଏବେ ସମସ୍ତଙ୍କୁ କରୁଛି ଛଟପଟ । କାହିଁକି....କ’ଣ ପାଇଁ..? ଏମିତି କ’ଣ ହେଲା, ଅରିଜିତ୍ ପ୍ଲେ ବ୍ୟାକ ସିଙ୍ଗିଙ୍ଗକୁ ଅଲବିଦା କହିଲେ । ଜୀବନରେ ଏମିତି କି ଦୁଃଖ ଆସିଲା ଯେ ପ୍ରଚ୍ଛଦପଟ ସ୍ୱରକୁ ଭାବପୂର୍ଣ୍ଣ ବାଏ ବାଏ କଲେ । ଜୀବନ ସଂଗୀତର ଏମିତି କି ‘ଟର୍ଣ୍ଣିଂ ପଏଣ୍ଟ‘ରୁ ସ୍ୱର ଦେବାକୁ ‘ନା’ କହିଲେ ସ୍ୱର ସମ୍ରାଟ । କୋଟି କୋଟି ‘ଅରିଜତ୍ ଫ୍ୟାନ୍ସ’ଙ୍କ ମନରେ ଏ ପ୍ରଶ୍ନ । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି ଗୋଟିଏ ନାଁ- ଅରିଜିତ୍ ସିଂହ ।
    ବିବଧବର୍ଣ୍ଣା....ସ୍ୱର ସମ୍ରାଟ । ସବୁଠୁ ବଡ଼ ବ୍ରାଣ୍ଡ । ଭିନ୍ନ ଏକ ଟ୍ରେଣ୍ଡ । ଦିନେ ନୁହଁ କି ଦି ଦିନ । ବର୍ଷ ପରେ ବର୍ଷ ସଂଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଛନ୍ତି ଅରିଜତ୍ । ଭିନ୍ନ ଓ ନିଆରା ସ୍ୱରରେ ମନକୁ ବାନ୍ଧୁଥିଲେ । ଭରୁଥିଲେ ରୋମାଞ୍ଚ । ସାଧାସିଧା ଜୀବନ ଜିଉଁଥିବା ଅରିଜିତ ତିଆରି କରିଛନ୍ତି ସଂଗୀତର ବିଶାଳ ସାମ୍ରାଜ୍ୟ । ହଠାତ୍ ସେ ଫିଲ୍ମରେ ଗୀତ ଗାଇବାକୁ ମନା କରିବା ଏବେ ଛିଡ଼ା କରାଇଛି ପ୍ରଶ୍ନର ପାହାଡ଼ । ସଂଗୀତପ୍ରେମୀଙ୍କୁ ଦେଇଛି ଝଟକା । ସେ ଅବଶ୍ୟ ଇନଷ୍ଟାରେ ସ୍ପଷ୍ଟ କରିଛନ୍ତି- ଚିରାଚରିତ ସଂଗୀତକୁ ନେଇ ମୁଁ ପୁରା ବୋର୍ ହୋଇ ଗଲିଣି । ବହୁଦିନ ହେବ ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ନେବାକୁ ଚିନ୍ତା କରୁଥିଲି । ସାହସ ହେଉନଥିଲା । ଏବେ ସେ ନିଷ୍ପତ୍ତି ନେଲି । ଆଉ ପ୍ରଚ୍ଛଦପଟ ଗାୟକ ଭାବେ କୌଣସି ନୂଆ ଫିଲ୍ମରେ ଗାଇବି ନାହିଁ । ସଂଗୀତଠାରୁ ଦୂରେଇବି ନାହିଁ । ଭାରତୀୟ ଶାସ୍ତ୍ରୀୟ ସଂଗୀତକୁ ଫେରିବା ସହ ନିଜେ ସଂଗୀତ ତିଆରି କରିବି । ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏମିତି ସ୍ପଷ୍ଟ କରିଛନ୍ତି ବଲିଉଡର ସବୁଠୁ ସଫଳ ଗାୟକ ଅରିଜିତ୍ ।

    ​​​​ଟପରେ କ୍ୟାରିୟରଗ୍ରାଫ୍ । ଶୀର୍ଷରେ ଥାଇ ସନ୍ନ୍ୟାସ । ଏମିତି କେତେ ଜଣ ନିଷ୍ପତ୍ତି ନେଇପାରିବେ? ଦାଉ ଦାଉ ହୋଇ ଝଟକୁଥିବା ସ୍ୱର୍ଣ୍ଣିମ କ୍ୟାରିୟରକୁ ପାଦରେ ଏଡ଼ାଇବା କ’ଣ ଏତେ ସହଜ? କ’ଣ କାରଣ ହୋଇପାରେ? ଏମିତି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଫ୍ୟାନ୍ସ । ତାଙ୍କ ଇନଷ୍ଟା ପୋଷ୍ଟ ସନ୍ତୁଷ୍ଟ କରିପାରୁନି । ବିନା ଅରିଜିତରେ ସଂଗୀତ ଜଗତ ଅଧୁରା । ଏମିତି ପୋଷ୍ଟର ସୁଅ ଛୁଟୁଛି ।

    ୨୦୧୦ରେ ତେଲଗୁ ଫିଲ୍ମରେ ଡେବ୍ୟୁ କଲେ ଅରିଜିତ୍ । ବଲିଉଡ୍ ଫିଲ୍ମ ମର୍ଡର-୨ରେ ପ୍ରଥମ କରି ସେ ଗାଇଲେ । ଦେଶ ଶୁଣିଲା ନୂଆ ସ୍ୱର..ନୂଆ ଆୱାଜ୍ । କିମିଆ କଲେ ଅରିଜିତ୍ । ପାଗଳ ହେଲେ ଜେନ୍ ଜି । କମ ଦିନରେ ପାଲଟିଗଲେ ସଫଳ ସଂଗୀତର ସୌଦାଗର । ପ୍ରାୟ ୮୦୦ରୁ ଅଧିକ ଗୀତ ଗାଇବା ସହ ଦେଶ ବିଦେଶରେ ଷ୍ଟେଜ ସୋ କରି ସେ ସାଉଁଟିଛନ୍ତି ଅଜସ୍ର ଭଲପାଇବା । ଭିଡ଼ ଭିତରେ ସେ ବାରି ହୋଇ ପଡ଼ୁଥିଲେ ।

    ସାଧାରଣ ପରିବାରରୁ ବହୁ ଅସାଧାରଣ ଓ ସଫଳ କାହାଣୀ ସୃଷ୍ଟି ହୁଏ । ପ୍ରତିଭାର ଅଗ୍ନିକଣାକୁ ଅଭାବର ପାଉଁଶଗଦା କଦାପି ଚାପି ରଖିପାରେନି । ସଂଗୀତର ଏ ସଫଳ ନାୟକ ତାର ଉଦାହରଣ । ପଶ୍ଚିମବଙ୍ଗର ମୁର୍ସିଦାବାଦର ଏ ସେନସେସନ୍ ମୁମ୍ବାଇ ମାୟାରେ ବାୟା ହୋଇ ନାହାନ୍ତି । ମିଡିଆ ପ୍ରଚାର ପ୍ରସାର ଠାରୁ ସେ ବହୁ ଦୂରରେ । ସଂଗୀତ...ନିଛକ ସଂଗୀତ ହିଁ ଅରିଜିତଙ୍କ ପ୍ରାଣ । ଯେଉଁଥିପାଇଁ ବୋଧେ ବଲିଉଡ୍ ସଂଗୀତର ଚିରାଚରିତ ଧାରା ଓ ଆଦବକାଇଦା ରେ ସେ ପେଷି ହୋଇ ଯାଇଥିଲେ । ଏବେ ସେ ବିଶୁଦ୍ଧ ସଂଗୀତ, ମାନେ ଭାରତୀୟ ସଂଗୀତକୁ ଆଦରିବେ । ଆମ ମାଟି..ପାଣି ପବନର ଶାସ୍ତ୍ରୀୟ ସଂଗୀତକୁ ବିଶ୍ୱ ଦରବାରରେ ପହଞ୍ଚାଇବେ । ଅରଜିତ୍..ତୁ ସି ଗ୍ରେଟ୍ ହୋ... ।

    Maximum 500 characters

    ବିଶେଷ View all

    Find Us on Facebook