ମୁଖ୍ୟ ଖବର
ଭୁବନେଶ୍ବର: ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ବିଭିନ୍ନ ସରକାରୀ ପଦବୀ । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସଚିବସ୍ତରୀୟ ବୈଠକ । ବିଭିନ୍ନ ବିଭଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଲକ୍ଷ୍ୟ ହାସଲ ପାଇଁ ୨ ବର୍ଷିଆ କାର୍ଯ୍ୟାନୁଷ୍ଠାନ ଯୋଜନା କାର୍ଯ୍ୟକାରିତା ନେଇ ବୈଠକରେ ହୋଇଛି ଆଲୋଚନା ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତକାଲି (ବୁଧବାର) ସଚିବସ୍ତରୀୟ ବୈଠକ ଖାରବେଳ ଭବନରେ ଅନୁଷ୍ଠିତ ହୋଇଛି । ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ପ୍ରସ୍ତୁତି ହୋଇଥିବା ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା ହେବ । ଏ ନେଇ ନିର୍ଦ୍ଧାରିତ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ ବା କେପିଆଇକୁ ସରଳୀକରଣ କରି କାର୍ଯ୍ୟ ଅଗ୍ରଗତି କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ ବିନ୍ଦୁ କାର୍ଯ୍ୟସୂଚୀ ମଧ୍ୟରେ ଭିଜନ ଡକ୍ୟୁମେଣ୍ଟ ଲକ୍ଷ୍ୟ କାର୍ଯ୍ୟକାରୀ କରିବା ଅନ୍ୟତମ ପ୍ରାଥମିକତା । ଓଡ଼ିଶାର ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗମାନେ ଗୁରୁତ୍ୱ ଦେବେ । ନିୟମିତ ସମୀକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବ ଆଲୋଚନା କରି ପରାମର୍ଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ “୩୬ ଫର ୩୬” ପ୍ରମୁଖ ପଦକ୍ଷେପ ଅନ୍ତର୍ଗତ ପ୍ରତ୍ୟେକ ଜିଲ୍ଲାରେ ସନ୍ତୁଳିତ ଓ ସମୟବଦ୍ଧ ବିକାଶ ଉପରେ ଗୁରୁତ୍ୱ ଦେଇ ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା ଓ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ସଂପର୍କରେ ନିଯୁକ୍ତି ନେଇ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ସବୁବେଳେ ଗୁରୁତ୍ୱାରୋପ କରିଆସୁଛନ୍ତି । ଆଗାମୀ ଜୁନ ୨୦୨୬ ସୁଦ୍ଧା ୬୫,୦୦୦ ନିଯୁକ୍ତି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନୂତନ ସରକାର ଗଠନ ପରେ ଅଦ୍ୟାବଧି ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ତଥା ନିଯୁକ୍ତି ମେଳା ମାଧ୍ୟମରେ ୩୯,୫୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଛି । ୩ ମାସ ମଧ୍ୟରେ ଆଉ ୩୪,୬୪୧ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାପ୍ତ ପ୍ରସ୍ତାବ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଆଦିଙ୍କୁ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଛି ।
ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଆଲୋଚନା କରିଛନ୍ତି । ବିଭିନ୍ନ ବିଭାଗମାନଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ନିୟମିତ ସମୀକ୍ଷା ସହ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ତତ ସହିତ ଆଗାମୀ ବର୍ଷରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ନିୟମିତ ତଥ୍ୟ ପ୍ରେରଣ ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
୨୦୨୫-୨୬ ବଜେଟ ଅନୁମୋଦନ ଅନୁସାରେ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ବଜେଟ ଖର୍ଚ୍ଚ ଶେଷ କରିବା ଓ ସମ୍ପୃକ୍ତ ବିଭାଗମାନଙ୍କ ଦ୍ୱାରା ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ସମ୍ପର୍କରେ ଆଲୋଚନା ହୋଇଛି । ଏହା ସହିତ ବିଭିନ୍ନ ସମୟରେ ସାଂସଦ ଓ ବିଧାୟକମାନେ ଦେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ପରାମର୍ଶ ଏବଂ ପ୍ରକଳ୍ପଗୁଡ଼ିକୁ ବିଭାଗମାନେ ଅନୁଧ୍ୟାନ କରିବା ଏବଂ ସେସବୁର କାର୍ଯ୍ୟକାରିତା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।
Comments ସମସ୍ତ ମତାମତ