ମୁଖ୍ୟ ଖବର
ଭୁବନେଶ୍ବର : ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ବିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ନିୟମାବଳୀ (ଏସ୍ଓପି) ଜାରି ହୋଇଛି। ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ ୨୦୨୩, ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ ୨୦୧୬ ଏବଂ ପଞ୍ଜୀକରଣ ଆଇନ ୧୯୦୮ର ବିଭିନ୍ନ ବ୍ୟାଖ୍ୟା କାରଣରୁ ସୃଷ୍ଟି ହେଉଥିବା ଅସ୍ପଷ୍ଟତା ଦୂର କରିବା ସହ ରାଜ୍ୟବ୍ୟାପୀ ଏକ ସମାନ ପ୍ରକ୍ରିୟା ଅନୁସରଣ ସୁନିଶ୍ଚିତ କରିବା ପାଇଁ ଏହି ଏସ୍ଓପି ପ୍ରଣୟନ କରାଯାଇଛି।
ନୂଆ ଏସ୍ଓପି ମୁତାବକ, ଆପାର୍ଟମେଣ୍ଟ ସମ୍ବନ୍ଧୀୟ ପଞ୍ଜୀକରଣକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ପ୍ରି-ରେରା ଆପାର୍ଟମେଣ୍ଟର ପୁନଃ ବିକ୍ରୟ, ପ୍ରି-ରେରା ପ୍ରକଳ୍ପରେ ବିକ୍ରୟ ହୋଇନଥିବା ଫ୍ଲାଟ୍ର ପ୍ରଥମ ବିକ୍ରୟ ଏବଂ ପୋଷ୍ଟ-ରେରା ଆପାର୍ଟମେଣ୍ଟରେ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲ ପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ପଷ୍ଟ ଭାବେ ଏହି ନୂତନ ଏସ୍ଓପିରେ ଉଲ୍ଲେଖ ରହିଛି। ପୋଷ୍ଟ-ରେରା ଆପାର୍ଟମେଣ୍ଟ କ୍ଷେତ୍ରରେ ପଞ୍ଜୀକରଣ ପୂର୍ବରୁ ଓଡ଼ିଶା ରେରା ପଞ୍ଜୀକରଣ (ଯେଉଁଠି ପ୍ରଯୁଜ୍ୟ), ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଆଲଟିମାନଙ୍କ ସଂଘର ପଞ୍ଜୀକରଣ, ଧାରା-୯ ଅନୁଯାୟୀ ଘୋଷଣାପତ୍ରର ପଞ୍ଜୀକରଣ ଏବଂ ସାଧାରଣ କ୍ଷେତ୍ର ଓ ସୁବିଧାର ହସ୍ତାନ୍ତର ସମ୍ବନ୍ଧୀୟ ବ୍ୟବସ୍ଥା ଅନୁପାଳନ ବାଧ୍ୟତାମୂଳକ କରାଯାଇଛି। ଏହା ସମ୍ପୃକ୍ତ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ପଞ୍ଜୀକରଣ ସମ୍ଭବ ହୋଇପାରିବ। ଏସ୍ଓପିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ଭାବେ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ସ୍ପଷ୍ଟ କରାଯାଇଛି। ମହିଳାଙ୍କ ନାମରେ ହେଉଥିବା ଆପାର୍ଟମେଣ୍ଟ ହସ୍ତାନ୍ତର କ୍ଷେତ୍ରରେ ପୂର୍ବରୁ ଚାଲୁଥିବା ଏକ ପ୍ରତିଶତ ଷ୍ଟାମ୍ପ ଶୁଳ୍କ ରିଆତି ସୁବିଧା ଜାରି ରହିବ। ସେହିପରି ଆଲଟିମାନଙ୍କ ସଂଘ ସପକ୍ଷରେ ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତର ଦଲିଲ ପାଇଁ ନାମମାତ୍ର ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଫି’ ନିର୍ଦ୍ଧାରଣ କରାଯାଇଛି।
Comments ସମସ୍ତ ମତାମତ