Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବେଗୁନିଆରୁ ଲଢ଼ିବେ ଅପରାଜିତା ଷଡ଼ଙ୍ଗୀ

    Share on :
    ajab-Image
    Date: Apr 28, 2022    Views: 82415

    ଭୁବନେଶ୍ୱର : ଦଳ ଭିତରେ କୋଣଠେସା ହୋଇଥିଲେବି ଅପରାଜିତା ଷଡ଼ଙ୍ଗୀ ନିଜ ଢଙ୍ଗରେ ସାଂଗଠନିକ କାର୍ଯ୍ୟ ଜାରି ରଖିଛନ୍ତି  । ଆଗାମୀ ୨୦୨୪ ପାଇଁ ସେ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି  । ତେବେ ସେ ସାଂସଦ ଭାବେ ଲଢ଼ିବେ ନା ବିଧାୟକ ଭାବେ ଲଢ଼ିବେ ତାହା ସ୍ପଷ୍ଟ ହୋଇନଥିଲେବି ବେଗୁନିଆରୁ ଅପରାଜିତା ଷଡ଼ଙ୍ଗୀ ବିଧାୟକ ଭାବେ ଲଢ଼ିବାକୁ ଯୋଜନା କରିଛନ୍ତି  । ଏଥିପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଏବେ ମିଶନ ମୋଡ଼ରେ ବେଗୁନିଆ ନିର୍ବାଚନମଣ୍ଡଳୀରେ ନିଜର ସାଂଗଠନିକ କାୟା ବିସ୍ତାର କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଥିବା ଜଣାପଡ଼ିଛି  ।

    ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ରେ ଅପରାଜିତାଙ୍କୁ ଦଳ ପକ୍ଷରୁ ଭୁବନେଶ୍ୱର ଲୋକସଭା ଟିକେଟ ମିଳିବା ନିଶ୍ଚିତ  । ଖାଲି ସେତିକିନୁହେଁ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ତାଙ୍କ ପରାମର୍ଶ କ୍ରମେ ହିଁ ଟିକେଟ ଆବଣ୍ଟନ କରାଯିବ ବୋଲି ସ୍ପଷ୍ଟ ହୋଇଯାଇଛି  । ତେବେ ଗତ ଥର କଂଗ୍ରେସ ପ୍ରାର୍ଥୀ ନଦେବାରୁ ଅପରାଜିତା ବାଜିମାତ କରିପାରିଥିଲେ  । ଏତେ ଲୋକପ୍ରିୟତା ସତ୍ୱେ ସେ ଅଳ୍ପକେ ବିଜୟ ଲାଭ କରିଥିଲେ  । ଏବେ କିନ୍ତୁ ସେଭଳି ସ୍ଥିତି ନାହିଁ  । ଦଳ ଭିତରୁ ବି ତାଙ୍କୁ ପ୍ରବଳ ମାତ୍ରାରେ ବିରୋଧ କରାଯାଉଛି  । ଅନେକ ଆଗଧାଡ଼ିର ନେତାମାନେ ମଧ୍ୟ ଅପରାଜିତାଙ୍କ ବିରୋଧରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଠିଆ ହୋଇଛନ୍ତି  । ଯାହାର ନଜିର ମେୟର ନିର୍ବାଚନବେଳେ ଦେଖିବାକୁ ମିଳିଥିଲା  । ତେଣୁ ଅପରାଜିତା ରିସ୍କ ନନେଇ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଛନ୍ତି  ।

    ଏହି ପରିପ୍ରେକ୍ଷୀରେ ବେଗୁନିଆ ଆସନ କାହିଁକି ବୋଲି ପ୍ରଶ୍ନ ଉଠିପାରେ  । ବେଗୁନିଆ ଆସନଟି ଅପରାଜିତାଙ୍କ ପାଇଁ ଅନ୍ୟ ନିର୍ବାଚନମଣ୍ଡଳୀ ତୁଳନାରେ ନିରାପଦ ବୋଲି ମନେ କରାଯାଉଛି  । ଭୁବନେଶ୍ୱରର ତିନି ଆସନରେ ଲଢ଼ିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିବ  । ସେହିପରି ଜଟଣୀ ଓ ଖୋର୍ଦ୍ଧା ବି ତାଙ୍କ ପାଇଁ ନିରାପଦ ନୁହେଁ  । ଗତ ଲୋକସଭା ନିର୍ବାନଚରେ ଅପରାଜିତା ବେଗୁନିଆରୁ ଭଲ ଭୋଟ ପାଇଥିଲେ  । ଏବେ ବେଗୁନିଆ ବିଜେଡ଼ି ବହୁ ଭାଗରେ ବିଭକ୍ତ  । ଯଦି ବିଜେଡ଼ି ପ୍ରଦୀପ ସାହୁଙ୍କୁ ଟିକେଟ ଦିଏ, ତେବେ ତାଙ୍କୁ ହରାଇବା ପାଇଁ ବିଜେଡ଼ିର ଗୋଟିଏ ଗୋଷ୍ଠୀ ନିଶ୍ଚିତ ଉଦ୍ୟମ କରିବେ  । ଯାହାର ଫାଇଦା ଅପରାଜିତାଙ୍କୁ ମିଳିବ ବୋଲି ସେ ଆକଳନ କରିଛନ୍ତି  । ସେହିପରି ଯଦି ବିଜେଡ଼ି ଆଉ କାହାକୁ ଭୋଟ ଦିଏ ପ୍ରଦୀପ ସାହୁଙ୍କ ଗୋଷ୍ଠୀର ଭୋଟ ତାଙ୍କୁ ମିଳିବ  । କାହିଁକିନା ୨୦୧୯ରେ ପ୍ରଦୀପ ସାହୁଙ୍କ ସମର୍ଥକମାନେ ବିଜେପିକୁ ହିଁ ଭୋଟ ଦେଇଥିଲେ  । ଅତଏବ ଅସନ୍ତୁଷ୍ଟ ବିଜେଡ଼ିର ୨୦ ହଜାରରୁ ଉଦ୍ଧ୍ୱର୍ ଭୋଟ ଅପରାଜିତାଙ୍କୁ ଯିବା ନିଶ୍ଚିତ  । ଏବେ ବେଗୁନିଆରେ ବିଜେପିର ୪୦ ହଜାର ଭୋଟ ଥିବାବେଳେ ଅସନ୍ତୁଷ୍ଟ ଭୋଟ ୨୦ ହଜାର ରହିଛି  । ଅର୍ଥାତ ଅପରାଜିତାଙ୍କ ପାଇଁ ୬୦ ହଜାର ଭୋଟ ଥୁଆ  । ଏହାଛଡ଼ା ତାଙ୍କର ବେଗୁନିଆରେ ଭଲ ଲୋକପ୍ରିୟତା ରହିଛି  । ଜିଲ୍ଲା ପରିଷଦ ନିର୍ବାଚନରେ ତାହାର ପ୍ରତିଫଳନ ଦେଖିବାକୁ ମିଳିନଥିଲେ ମଧ୍ୟ ସେ ପ୍ରାର୍ଥୀ ହେଲେ ଆଉ ପନ୍ଦର ହଜାର ଭୋଟ ସାଉଁଟିପାରିବେ  । ଫଳରେ ତାଙ୍କର ବିଜୟ ସମ୍ଭାବନା ଉଜ୍ଜ୍ୱଳ ହୋଇପାରିବ  । ଏହାକୁ ଅପରାଜିତା ଆକଳନ କରି ଏବେ ବେଗୁନିଆ ଉପରେ ଫୋକସ କରିବା ଆରମ୍ଭ କରିଦେଇଛନ୍ତି  । 

    Maximum 500 characters

    ତାଜା ଖବର View all

    Find Us on Facebook