ମୁଖ୍ୟ ଖବର
ଭୁବନେଶ୍ବର : ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀକ୍ଷେତ୍ର ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଏଥିରେ ଅପରାଜିତା ଉଲ୍ଲେଖ କରିଛନ୍ତି, ପୁରୀରେ ଐତିହ୍ୟର ବିକାଶ ନାଁରେ ମଠର ଉଚ୍ଛେଦ କରାଯାଇ ପ୍ରାଚୀନ ଐତିହ୍ୟକୁ ନଷ୍ଟ କରାଯାଇଛି। ଏପରି କରିବା ପାଇଁ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା ସେନେଇ ପ୍ରଶ୍ନ ଉଠାଇବା ସହ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏକାମ୍ର କ୍ଷେତ୍ରର ଶୁକସାରୀ ମନ୍ଦିର ନିକଟରେ ଖନନ ସମୟରେ ପ୍ରାଚୀନ କୀର୍ତ୍ତିରାଜି ଆବିଷ୍କୃତ ହୋଇଥିବାବେଳେ ରାଜ୍ୟ ସରକାର ଏନେଇ କେତେ ଯତ୍ନବାନ ତା’ର ସୂଚନା ମିଳୁନି। ଏହି ମର୍ମରେ ଏକ କୋର୍ କମିଟି ଗଠନ ହେବ ବୋଲି ସାଂସଦ କହିଛନ୍ତି। ସେହିପରି ଐତିହ୍ୟର ବିକାଶ ନିମନ୍ତେ ଯେଉଁମାନେ ବିସ୍ଥାପିତ ହେଉଛନ୍ତି ସେମାନଙ୍କୁ ସଠିକ୍ ଢଙ୍ଗରେ ପ୍ରାପ୍ୟ ମିଳୁନଥିବା ସେ ଅଭିଯୋଗ ଆଣିବା ସହ ଏଥିରେ ସ୍ବଚ୍ଛତା ରକ୍ଷା ସହ ତାଲିକା ପ୍ରକାଶ ନିମନ୍ତେ ପରାମର୍ଶ ଦେଇଛନ୍ତି।
ଏକାମ୍ରକ୍ଷେତ୍ରର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ସୁରକ୍ଷା ପ୍ରସଙ୍ଗରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗତ ୨୩ ତାରିଖରେ ଏକାମ୍ରର ବରିଷ୍ଠ ସେବାୟତଙ୍କ ସହ ତାଙ୍କ କାର୍ୟ୍ୟାଳୟରେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଉପନିୟମ ଉପରେ ଆଲୋଚନା କରିଥିଲେ। ସେବାୟତଙ୍କ ଅନୁରୋଧକ୍ରମେ ରବିବାର ଅପରାହ୍ଣରେ ଏକାମ୍ରବାସୀଙ୍କ ସହ ଆଲୋଚନା କରିବାକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଖଳାରେ ଆୟୋଜିତ ବୈଠକରେ ସାମିଲ ହୋଇ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଏକାମ୍ର ବିକାଶ ନାଁରେ କିପରି ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ କରୁଛନ୍ତି ତା’ ଉପରେ କହିଥିଲେ। ଆଇନ ବିରୋଧରେ କୌଣସି କାର୍ୟ୍ୟ ନ ହେଉ ବୋଲି ସେ କହିଥିଲେ।
Comments ସମସ୍ତ ମତାମତ