Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚର୍ଚ୍ଚାରେ ଅପରାଜିତା-ଜଗା ସମୀକରଣ

    Share on :
    ajab-Image
    Date: Jul 9, 2026    Views: 2926

     ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ସ୍କାଏୱାକ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ରସୁଲଗଡ଼–ପଳାଶୁଣି ମଧ୍ୟରେ ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ସ୍କାଏୱାକ୍ ସହ ୩ଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଆୟୋଜିତ ଏହି ସରକାରୀ କାର୍ଯ୍ୟକ୍ରମକୁ ନେଇ ଏବେ ବିବାଦ ଦେଖାଦେଇଛି । ବିରୋଧୀଙ୍କ ଅଭିଯୋଗ, ସରକାରୀ କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ ମଞ୍ଚରେ ପରିଣତ କରାଯାଇଛି । ଏହାସହ ସ୍ଥାନୀୟ ନିର୍ବାଚିତ ବିଧାୟକଙ୍କୁ ଯଥୋଚିତ ଗୁରୁତ୍ୱ ନ ଦେଇ ଅଣ-ନିର୍ବାଚିତ ବ୍ୟକ୍ତିଙ୍କୁ ମଞ୍ଚରେ ସ୍ଥାନ ଦିଆଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଅନ୍ୟପଟେ ଭୁବନେଶ୍ୱର ବିଜେପିର ଆଭ୍ୟନ୍ତରୀଣ ସମୀକରଣକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଭୁବନେଶ୍ୱର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବଦଳରେ ସମ୍ପ୍ରତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ମଞ୍ଚରେ ପ୍ରାଧାନ୍ୟ ଦେଇଥିବା ନେଇ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି ।

     ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ।ଏହି ପ୍ରସଙ୍ଗରେ ଜଗନ୍ନାଥ ପ୍ରଧାନ କହିଛନ୍ତି, ଅପରାଜିତା ଷଡ଼ଙ୍ଗୀ ଦଳର ନିର୍ବାଚିତ ସାଂସଦ ଏବଂ ସଂଗଠନକୁ ମଜବୁତ କରିବା ତାଙ୍କର ଦାୟିତ୍ୱ । ସେ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳର ନୀତି ଓ ନିର୍ଦ୍ଦେଶ ଅନୁସାରେ କାମ କରୁଛନ୍ତି ବୋଲି କହିଛନ୍ତି । ସାଂସଦଙ୍କ କାର୍ଯ୍ୟଶୈଳୀ ଉପରେ ମନ୍ତବ୍ୟ କରିବାକୁ ସେ ମନା କରିଥିଲେ । ସେ ଆହୁରି କହିଛନ୍ତି, ପୂର୍ବ ବିଜେଡି ସରକାର ସମୟରେ ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମରୁ ଦୂରେ ରଖାଯାଉଥିଲା । ସେତେବେଳେ ବିଜେପି ଏହାର ବିରୋଧ କରୁଥିଲା । ତେଣୁ ବର୍ତ୍ତମାନର ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ତାହାର ଉତ୍ତର ସାଂସଦ ନିଜେ ଦେବେ ବୋଲି ସେ କହିଛନ୍ତି । ତେବେ ଏହି ବିବାଦ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ । ରାଜଧାନୀ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଏହି ପ୍ରସଙ୍ଗ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook